ତୃତୀୟ ବଡ଼ ବ୍ୟାଙ୍କର ଯାତ୍ରା ଆରମ୍ଭ: ମିଶିଗଲେ ବିଓବି, ଦେନା, ବିଜୟା ବ୍ୟାଙ୍କ

ନୂଆଦିଲ୍ଲୀ: ଦେଶର ତିନିଟି ବ୍ୟାଙ୍କ ଯଥା ବ୍ୟାଙ୍କ ଅଫ୍‌ ବରୋଦା (ବିଓବି), ଦେନା ବ୍ୟାଙ୍କ ଓ ବିଜୟା ବ୍ୟାଙ୍କର ମିଶ୍ରଣ ଆସନ୍ତାକାଲି ଠାରୁ କାର୍ଯ୍ୟକାରୀ ହେବ। ଦେଶର ତୃତୀୟ ବଡ଼ ବ୍ୟାଙ୍କ ଭାବେ ଏହା ନିଜର ଯାତ୍ରା ଆରମ୍ଭ କରିବ। ଏବେ ବଡ଼ ବ୍ୟାଙ୍କ ଭାବେ ଷ୍ଟେଟ୍‌ ବ୍ୟାଙ୍କ ଏକ ନମ୍ବର ସ୍ଥାନରେ ଥିବା ବେଳେ ଆଇସିଆଇସିଆଇ ବ୍ୟାଙ୍କ ଦ୍ବିତୀୟ ସ୍ଥାନରେ ରହିଛି। ରିଜର୍ଭ ବ୍ୟାଙ୍କର କହିବାନୁଯାୟୀ, ଦେନା ବ୍ୟାଙ୍କ ଓ ବିଜୟା ବ୍ୟାଙ୍କର ଶାଖାଗୁଡ଼ିକ ଆସନ୍ତାକାଲି ଠାରୁ ବ୍ୟାଙ୍କ ଅଫ୍‌ ବରୋଦାର ଶାଖା ଭାବେ କାମ କରିବେ। ଏହି ଦୁଇ ବ୍ୟାଙ୍କର ଗ୍ରାହକଙ୍କୁ ବିଓବିର ଗ୍ରାହକ ଭାବେ ବିଚାର କରାଯିବ। ଗତବର୍ଷ ସେପ୍ଟେମ୍ବରରେ ଏହି ତିନି ବ୍ୟାଙ୍କର ମିଶ୍ରଣ ବିଷୟରେ ଘୋଷଣା କରାଯାଇଥିଲା। ଏହି ତିନି ବ୍ୟାଙ୍କ ମିଶିଯିବା ପରେ ସେମାନଙ୍କ ମୋଟ କାରବାର ପରିମାଣ ୧୫ ଲକ୍ଷ କୋଟି ଟଙ୍କାରୁ ଅଧିକ ହୋଇଯିବ। କିଛି ଦିନ ତଳେ ସରକାରଙ୍କ ତରଫରୁ ପୂର୍ବତନ ଅର୍ଥ ସଚିବ ହସମୁଖ ଆଧିଆଙ୍କୁ ତିନି ବ୍ୟାଙ୍କର ମିଶ୍ରଣରେ ସୃଷ୍ଟି ହେଉଥିବା ବ୍ୟାଙ୍କର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଥିଲା।

ଉଲ୍ଲେଖଯୋଗ୍ୟ, ଦେଶର ତୃତୀୟ ବଡ଼ ବ୍ୟାଙ୍କକୁ ଆର୍ଥିକ ସ୍ତରରେ ଅଧିକ ମଜବୁତ କରିବାକୁ ସରକାର ୫୦୪୨ କୋଟି ଟଙ୍କା ଦେବେ ବୋଲି ଘୋଷଣା କରିଛନ୍ତି। ଏହି ମିଶ୍ରଣ ପୂର୍ବରୁ ଷ୍ଟେଟ୍‌ ବ୍ୟାଙ୍କ ସହିତ ଏହାର ସହଯୋଗୀ ବ୍ୟାଙ୍କ ଏବଂ ଭାରତୀୟ ମହିଳା ବ୍ୟାଙ୍କର ମିଶ୍ରଣ ହୋଇଥିଲା।

ସମ୍ବନ୍ଧିତ ଖବର