ଦେଶବ୍ୟାପୀ ଇଣ୍ଡିଗୋ ବିମାନ ବିଳମ୍ବ: ସ୍ପଷ୍ଟୀକରଣ ଲୋଡ଼ିଲା ଡିଜିସିଏ, ଅସୁସ୍ଥତା ଛୁଟିରେ ବହୁ କ୍ରୁ ସଦସ୍ୟ

ନୂଆଦିଲ୍ଲୀ: ଆବଶ୍ୟକ ପରିମାଣର କ୍ରୁ ସଦସ୍ୟଙ୍କ ଅଭାବ ଯୋଗୁଁ ଦେଶର ବିଭିନ୍ନ ସ୍ଥାନରେ ଶନିବାର ଇଣ୍ଡିଗୋ ବିମାନଗୁଡ଼ିକର ଉଡ଼ାଣ ବିଳମ୍ବ ହୋଇଥିଲା। ଏହି ଘଟଣାକୁ ବିମାନ ‌ଚଳାଚଳ କ୍ଷେତ୍ରର ନିୟାମ ସଂସ୍ଥା ଡିଜିସିଏ ଗମ୍ଭୀରତାର ସହ ନେଇଛି। ଏବିଷୟରେ କଂପାନିଠାରୁ ସ୍ପଷ୍ଟୀକରଣ ଲୋଡ଼ଯାଇଛି। ଶନିବାର ଇଣ୍ଡିଗୋର ମାତ୍ର ୪୫% ବିମାନର ଉଡ଼ାଣ ଠିକ୍ ସମୟରେ ହୋଇଥିଲା। ୫୫% ବିମାନର ଉଡ଼ାଣ ବିଳମ୍ବ ହୋଇଥିଲା ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ତଥ୍ୟରୁ ଜଣାପଡ଼ିଛି।
କୁହାଯାଉଛି ଯେ ଟାଟା ଅଧିଗ୍ରହଣ କରିଥିବା ଏୟାର ଇଣ୍ଡିଆର କ୍ରୁ ସଦସ୍ୟ ପଦ ପାଇଁ ଶନିବାର ସାକ୍ଷାତକାର ଥିଲା। ସେଥିରେ ଅଂଶଗ୍ରହଣ କରିବା ଲାଗି ଇଣ୍ଡିଗୋର ବହୁ କ୍ରୁ ସଦସ୍ୟ ଅସୁସ୍ଥତା କାରଣ ଦର୍ଶାଇ ଛୁଟିରେ ରହିଥିଲେ। ଏୟାର ଇଣ୍ଡିଆର ନିଯୁକ୍ତି ଅଭିଯାନରେ ଇଣ୍ଡିଗୋର ବହୁ କ୍ରୁ ସଦସ୍ୟ ଅଂଶଗ୍ରହଣ କରିବା ଯୋଗୁଁ ଉଡ଼ାଣ ବିଳମ୍ବ ହୋଇଥିଲା। ବର୍ତ୍ତମାନ ସୁଦ୍ଧା ଏବିଷୟରେ ଇଣ୍ଡିଗୋ ପକ୍ଷରୁ କୌଣସି ବିବୃତ୍ତି ଜାରି କରାଯାଇନାହିଁ। ଇଣ୍ଡିଗୋର ଅନେକ ଯାତ୍ରୀ ଉଡ଼ାଣ ବିଳମ୍ବ ହେବା ସମ୍ପର୍କରେ ଟ୍ବିଟର୍‌ରେ ସୂଚନା ଦେବା ସହ ନିଜର ଅସନ୍ତୋଷ ଜାହିର କରିଥିଲେ। ସେଥିରୁ ଏହି ଘଟଣା ସାମ୍ନାକୁ ଆସିଥିଲା।

ଶନିବାର ଇଣ୍ଡିଗୋର ଏକ ବିମାନରେ ଯାତ୍ରୀମାନେ ୪୦ ମିନିଟ୍ ପର୍ଯ୍ୟନ୍ତ ବସିରହିବା ସତ୍ତ୍ବେ ଏୟାର କଣ୍ଡିସନକୁ ଚାଲୁ କରାଯାଇନଥିଲା। ଏ ସମ୍ପର୍କରେ ଜଣେ ଯାତ୍ରୀ ଟୁଇଟ୍‌ କରିବା ପରେ ଇଣ୍ଡିଗୋ ତାହାର ଉତ୍ତର ଦେଇ ଜଣାଇଥିଲା ଯେ ବିମାନ ଇଞ୍ଜିନ ଷ୍ଟାର୍ଟ ହେଲେ ହିଁ ଏସି ଲାଗିପାରିବ। ବିମାନ ଉଡ଼ାଣ ଆରମ୍ଭ ହେବା ମା‌ତ୍ରେ ଏସି ଲାଗିବ ବୋଲି କଂପାନି ଯାତ୍ରୀ ଜଣଙ୍କୁ ପ୍ରତିଶ୍ରୁତି ଦେଇଥିଲା। ଇଣ୍ଡିଗୋର ଷ୍ଟାଫ୍‌ମାନେ ସହଯୋଗ କରୁନଥିବା ନେଇ ଅନ୍ୟ ଜଣେ ଯାତ୍ରୀ ଅଭିଯୋଗ କରିଥିଲେ। ଦେଶ ଭିତରେ ଓ ବାହାରେ ଇଣ୍ଡିଗୋର ବିମାନଗୁଡ଼ିକୁ ଦୈନିକ ୧୬୦୦ରୁ ଅଧିକ ଥର ଉଡ଼ାଣ କରୁଛନ୍ତି। ଶନିବାର ସେଥିରୁ ଅଧାରୁ ଅଧିକ ବିଳମ୍ବରେ ଉଡ଼ାଣ ଆରମ୍ଭ କରିଥିଲେ। କରୋନା ମହାମାରୀ ବ୍ୟାପିବା ପରେ ଇଣ୍ଡିଗୋ ଏହାର କ୍ରୁ ସଦସ୍ୟମାନଙ୍କ ପ୍ରାପ୍ୟ ହ୍ରାସ କରିଥିଲା। ତାହାକୁ ନେଇ ସେମାନଙ୍କ ମଧ୍ୟର ଅସନ୍ତୋଷ ଜାରି ରହିଛି। ସେଥିପାଇଁ ବହୁ କ୍ରୁ ସଦସ୍ୟ ଏୟାର ଇଣ୍ଡିଆ ନିଯୁକ୍ତି ଅଭିଯାନରେ ସାମିଲ ହେବା ଲାଗି ଯାଇଥିଲେ ବୋଲି କୁହାଯାଉଛି। ଗତ ଶନିବାର ଏୟାର ଇଣ୍ଡିଆର ୭୭.୧%, ସ୍ପାଇସ୍‌ଜେଟ୍‌ର ୮୦.୪%, ଭିସ୍ତାରାର ୮୬.୩%, ଗୋ ଫାଷ୍ଟ୍‌ର ୮୮% ଓ ଏୟାର ଏସିଆର ୯୨.୩% ବିମାନ ଠିକ୍ ସମୟରେ ଉଡ଼ାଣ ଆରମ୍ଭ କରିଥିଲେ। ଇଣ୍ଡିଗୋ ଏକମାତ୍ର କଂପାନି ଯାହାର ମାତ୍ର ୪୫.୨% ବିମାନ ଠିକ୍ ସମୟରେ ଉଡ଼ାଣ ଆରମ୍ଭ କରିଥିଲା।

ସମ୍ବନ୍ଧିତ ଖବର