ନୂଆଦିଲ୍ଲୀ: ଟାଟା ଗ୍ରୁପ୍ ଅଧୀନରେ ପରିଚାଳିତ ହେଉଥିବା ବିଦେଶୀ ବ୍ରାଣ୍ଡ୍‌ ଜାଗୁଆର ଲ୍ୟାଣ୍ଡରୋଭର ଏହାର ରେଞ୍ଜ ରୋଭର ଗାଡ଼ିଗୁଡ଼ିକୁ ଭାରତରେ ଉତ୍ପାଦନ କରିବାକୁ ନିଷ୍ପତ୍ତି ନେଇଛି। ଏହା ଜରିଆରେ କମ୍ପାନି ଏହି ପ୍ରମୁଖ ଏସ୍‌ୟୁଭିର ମୂଲ୍ୟରେ ପରିବର୍ତ୍ତନ ଆଣି ଗ୍ରାହକଙ୍କୁ ଆକୃଷ୍ଟ କରିବାର ସୁଯୋଗ ପାଇବ। ବର୍ତ୍ତମାନ କେବଳ ବ୍ରିଟେନ୍‌ରେ ଏହି ଗାଡ଼ିର ଉତ୍ପାଦନ ହେଉଛି। ପ୍ରଥମ ଥର ପାଇଁ ଏହା ମହାରାଷ୍ଟ୍ରର ପୁଣେଠାରେ ଥିବା କମ୍ପାନିର କାରଖାନାରେ ଉତ୍ପାଦନ ହେବ। ଭାରତ ପାଇଁ ଏହା ଏକ ଗର୍ବର ମୂହୁର୍ତ୍ତ ବୋଲି ଜାଗୁଆର ଲ୍ୟାଣ୍ଡରୋଭର (ଜେଏଲ୍‌ଆର୍‌)ର ପରିଚାଳନା ନିର୍ଦ୍ଦେଶକ ରାଜନ ଆମ୍ବା କହିଛନ୍ତି। ରେଞ୍ଜ ରୋଭରର ଏକ୍ସ ସୋ’ରୁମ୍ ଦାମ୍ ଏବେ ୧.୪୦ କୋଟି ଟଙ୍କା ଥିବା ବେଳେ ରେଞ୍ଜ ରୋଭର ସ୍ପୋର୍ଟସ୍‌ର ଦାମ୍ ୨.୩୬ କୋଟି ଟଙ୍କା ରହିଛି।

Advertisment

କମ୍ପାନି ଏହାର ରେଞ୍ଜ ରୋଭର୍‌ ହାଉସ୍‌କୁ ମଧ୍ୟ ଭାରତ ଆଣିବାକୁ ଯୋଜନା କରିଛି ଯାହା ସ୍ବଚ୍ଛଳ ବର୍ଗର ଗ୍ରାହକଙ୍କ ବିଳାସପୂର୍ଣ୍ଣ ଆବଶ୍ୟକତା ପୂରଣ କରିବ। କମ୍ପାନିର ପରିଚାଳନା ନିର୍ଦ୍ଦେଶକ ଗେରାଲ୍‌ଡିନ୍ ଇନ୍‌ଘମ୍ କହିଛନ୍ତି ଯେ ଆମର ୫୩ ବର୍ଷର ଇତିହାସରେ ରେଞ୍ଜ ରୋଭର ପ୍ରତି ଗ୍ରାହକଙ୍କ ସର୍ବାଧିକ ଆଗ୍ରହ ଥିବା ଆମେ ଦେଖିଛୁ। ୨୦୨୩-୨୪ରେ ଭାରତରେ ବିକ୍ରି ୧୬୦% ବଢ଼ିଛି। ଦେଶ ଭିତରେ ରେଞ୍ଜ ରୋଭର୍‌ ଉତ୍ପାଦନ ହେବା ପରେ କମ୍ପାନି ଧନୀ ଓ ସେଲିବ୍ରିଟିମାନଙ୍କ ଆବଶ୍ୟକତା ପୂରଣ କରିପାରିବ ବୋଲି ସେ କହିଛନ୍ତି।