ଭୁବନେଶ୍ବର: ତେଲେଙ୍ଗାନାର ସିଙ୍ଗାରେନି କଲିଅରିଜ୍ କମ୍ପାନି ଲିମିଟେଡ୍‌ (ଏସ୍‌ସିସିଏଲ୍‌)କୁ ଆବଣ୍ଟନ କରାଯାଇଥିବା ଅନୁଗୁଳ ଜିଲ୍ଲାର ଛେଣ୍ଡିପଦାସ୍ଥିତ ନୟନୀ କୋଇଲା ଖଣି ପା‌ଇଁ ରାଜ୍ୟ ସରକାର କମ୍ପାନିକୁ ୧୪୦ ହେକ୍ଟରରୁ ଅଧିକ ଜଙ୍ଗଲ ଜମି ହସ୍ତାନ୍ତର କରିଛନ୍ତି। ଏହି ପ୍ରକଳ୍ପ ଲାଗି ୬୪୩ ହେକ୍ଟର ଜଙ୍ଗଲ ଜମି ବ୍ୟବହାର କରିବାର ଅନୁମତି ଦରକାର। ସେଥିପାଇଁ ଦୀର୍ଘଦିନରୁ ପ୍ରକଳ୍ପ କାର୍ଯ୍ୟ ଆଗକୁ ବଢ଼ିପାରୁନଥିଲା। ମାତ୍ର କେନ୍ଦ୍ର କୋଇଲା ମନ୍ତ୍ରୀ ଜି କିଷନ ରେଡ୍ଡି ଏ ସମ୍ପର୍କରେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ଆଲୋଚନା ପରେ କାମ ଆଗକୁ ବଢ଼ିଛି।

Advertisment

କିଛି ଦିନ ପୂର୍ବେ କେନ୍ଦ୍ର କୋଇଲା ସଚିବ ଅମୃତ ଲାଲ୍‌ ମିନା ଓ ସିଙ୍ଗାରେନିର ଅଧିକାରୀମାନେ ଆସି ମୁଖ୍ୟ ସଚିବ ମନୋଜ ଆହୁଜାଙ୍କୁ ଭେଟି ଏ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ପ୍ରକଳ୍ପ ଲାଗି ସହଯୋଗ ପ୍ରଦାନ କରିବାକୁ କମ୍ପାନିର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଏନ୍ ବଳରାମ ମୁଖ୍ୟ ସଚିବ ଶ୍ରୀ ଆହୁଜାଙ୍କୁ କହିଛନ୍ତି। ନୟନୀ କୋଇଲା ଖଣି ଲାଗି ଆସନ୍ତା ୧୦ ଦିନ ଭିତରେ ଗଛ ଗଣତି କାମ ଆରମ୍ଭ ହେବ ବୋଲି ମୁଖ୍ୟ ସଚିବ ପ୍ରତିଶ୍ରୁତି ଦେଇଛନ୍ତି। ଜଙ୍ଗଲ ଜମି ହସ୍ତାନ୍ତର କରିବା ପୂର୍ବରୁ ଯେଉଁ ଔପଚାରିକତାଗୁଡ଼ିକୁ ପୂରଣ କରିବା ଦରକାର ତାହା ଶୀଘ୍ର ଶେଷ କରିବାକୁ କମ୍ପାନି କର୍ତ୍ତୃପକ୍ଷ ଓଡ଼ିଶା ସରକାରଙ୍କୁ ଅନୁରୋଧ କରିଛନ୍ତି। ବିଶେଷ କରି ଗଛ ଗଣତି, ବିଦ୍ୟୁତ ଯୋଗାଣ, ସଡ଼କ ବ୍ୟବସ୍ଥା ଆଦି କରିବାକୁ କହିଛନ୍ତି।

ନୟନୀ କୋଇଲା ଖଣି ପ୍ରକଳ୍ପ ସମ୍ପର୍କରେ କେନ୍ଦ୍ର କୋଇଲା ସଚିବ ଶ୍ରୀ ମିନା ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କୁ ମଧ୍ୟ ଅବଗତ କରିଛନ୍ତି। ଖଣି ‌‌ଯେଭଳି ଶୀଘ୍ର କାର୍ଯ୍ୟକ୍ଷମ ହେବ ସେଥିପାଇଁ ରାଜ୍ୟ ସରକାର ସବୁ ପ୍ରକାର ସହଯୋଗ କରିବେ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। କମ୍ପାନି ଅଧ୍ୟକ୍ଷ ଶ୍ରୀ ବଳରାମ ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରାଙ୍କୁ ଭେଟି ମଧ୍ୟ ଏ ସମ୍ପର୍କରେ ଆଲୋଚନା କରିଥିଲେ। ୨୦୧୫ରେ ନୟନୀ କୋଇଲା ବ୍ଲକୁ ସିଙ୍ଗାରେନିକୁ ଆବଣ୍ଟନ କରାଯାଇଥିଲା। ଏହି ପ୍ରକଳ୍ପ ଲାଗି ୯୧୨.୭୯ ହେକ୍ଟର ଜମି ଆବଶ୍ୟକ। ‌ସେଥିରୁ ୧୭.୬୯ ହେକ୍ଟର ହେଉଛି ସରକାରୀ ଜମି। ୭୮୩.୨୮ ହେକ୍ଟର ଜମି‌ରେ ଗଛ ଗଣତି କାର୍ଯ୍ୟ ବାକି ରହିଛି। ଖଣି ପାଇଁ ଗୋଟିଏ ଗାଁର ଲୋକମାନଙ୍କୁ ବିସ୍ଥାପିତ ହେବାକୁ ପଡ଼ିବ। ଶୀଘ୍ର ଏହି ଖଣିକୁ କାର୍ଯ୍ୟକ୍ଷମ କରିବା ଲାଗି ତେଲେଙ୍ଗାନା ସରକାର ଓ ସିଙ୍ଗାରେନି ଉଦ୍ୟମ କରୁଛନ୍ତି। ଛେଣ୍ଡିପଦା ପାଖାପାଖି ଏକ ପାୱାର ପ୍ଲାଣ୍ଟ ସ୍ଥାପନ କରିବାକୁ କମ୍ପାନି ଲକ୍ଷ୍ୟ ରଖିଛି।