ନୂଆଦିଲ୍ଲୀ: ମନମାନି କିମ୍ବା ପରିଚାଳନାଗତ ତ୍ରୁଟି ପ୍ରଭାବରେ ଦୁର୍ବଳ ହେଉଥିବା ଅଣ ବ୍ୟାଙ୍କିଙ୍ଗ୍ ଆର୍ଥିକ ସଂସ୍ଥା (ଏନ୍ବିଏଫ୍ସି)ଗୁଡ଼ିକ ଆଉ ଖସିପାରିବେ ନାହିଁ। ସେମାନେ ଦୁର୍ବଳ ହୋଇ ବୁଡ଼ିଯିବା ପୂର୍ବରୁ ସଂସ୍ଥାରେ ଥିବା ସମସ୍ୟାକୁ ରିଜର୍ଭ ବ୍ୟାଙ୍କ ଆଗୁଆ ଚିହ୍ନଟ କରିବ। ସ୍ଥିତିରେ ସୁଧାର ଆଣିବା ଲାଗି ସେମାନଙ୍କ ଉପରେ ପ୍ରମ୍ପଟ କରେକ୍ଟିଭ୍ ଆକ୍ସନ (ପିସିଏ) ଭଳି କଠୋର କଟକଣା ଲଗାଯିବ। ସ୍ଥିତିରେ ସୁଧାର ହେଲା ବୋଲି ରିଜର୍ଭ ବ୍ୟାଙ୍କ ସନ୍ତୁଷ୍ଟ ହେବା ପରେ ସେହି କଟକଣା ହଟାଇବ। ବର୍ତ୍ତମାନ ସୁଦ୍ଧା କେବଳ ସରକାରୀ ବ୍ୟାଙ୍କଗୁଡ଼ିକ ଉପରେ ପିସିଏ କଟକଣା ଲାଗୁ କରାଯାଉଥିଲା। ଏବେ ଏନ୍ବିଏଫ୍ସି ପାଇଁ ରିଜର୍ଭ ବ୍ୟାଙ୍କ ସେଭଳି ବ୍ୟବସ୍ଥା ଆଣିଛି। ଏହି ବ୍ୟବସ୍ଥାକୁ ଆସନ୍ତା ବର୍ଷ ଅକ୍ଟୋବର ୧ରୁ କାର୍ଯ୍ୟକାରୀ କରାଯିବ।
ଅତୀତରେ କିଛି ଫାଇନାନ୍ସ କଂପାନି ଓ ଏନ୍ବିଏଫ୍ସି ହଠାତ୍ ବୁଡ଼ିଯିବା ଭଳି ଅବସ୍ଥାକୁ ଚାଲିଆସିଥିଲେ। ୨୦୧୮ ସେପ୍ଟେମ୍ବରରେ ଦେଶର ସବୁଠୁ ବଡ଼ ଏନ୍ବିଏଫ୍ସି ଆଇଏଲ୍ଆଣ୍ଡ୍ଏଫ୍ଏସ୍ ଆର୍ଥିକ ବ୍ୟବସ୍ଥାକୁ ସବୁଠୁ ବଡ଼ ଝଟ୍କା ଦେଇଥିଲା। ଏହା ପରେ ୨୦୧୯ରେ ଦିୱାନ୍ ହାଉସିଂ ଫାଇନାନ୍ସ ଲିମିଟେଡ୍ (ଡିଏଚ୍ଏଫ୍ଏଲ୍) ଦେବାଳିଆ ହୋଇପଡ଼ିଥିଲା। ଚଳିତ ବର୍ଷ କୋଲକାତାର ଶ୍ରେୟୀ ଗ୍ରୁପ୍ ଓ ଅନିଲ ଅମ୍ବାନିଙ୍କ ରିଲାଏନ୍ସ କ୍ୟାପିଟାଲ୍ ଦେବାଳିଆ ହୋଇପଡ଼ିଛି। ଏହି ସବୁ ମାମଲାରେ ସଂସ୍ଥାଗୁଡ଼ିକରେ ଥିବା ସମସ୍ୟା ଶେଷ ପର୍ଯ୍ୟାୟରେ ଜଣାପଡ଼ିଥିଲା। ତେଣୁ ସେଗୁଡ଼ିକୁ ଉଦ୍ଧାର କରିବା କଷ୍ଟକର ହେଉଛି। ରିଜର୍ଭ ବ୍ୟାଙ୍କ ଯେଉଁ ପିସିଏ ବ୍ୟବସ୍ଥା ଆଣିଛନ୍ତି ସେଥିରେ ଏନ୍ବିଏଫ୍ସିଗୁଡ଼ିକ ଲାଗି କେତେକ କଠୋର ସର୍ତ୍ତ ରଖାଯାଇଛି। ସେମାନଙ୍କ ଅସୁଲ ହୋଇପାରୁନଥିବା ଋଣ ବା ଏନ୍ପିଏ ଯଦି ଏକ ନିର୍ଦିଷ୍ଟ ସ୍ତର ବାହାରକୁ ଚାଲିଯିବ ତେବେ ସେଭଳି ସଂସ୍ଥା ଉପରେ ରିଜର୍ଭ ବ୍ୟାଙ୍କ ପିସିଏ ଭଳି କଠୋର କଟକଣା ଲାଗୁ କରିବ। ଏକ ନିର୍ଦିଷ୍ଟ ସ୍ତର ପର୍ଯ୍ୟନ୍ତ ସ୍ଥିତିରେ ଉନ୍ନତି ନହେବା ପର୍ଯ୍ୟନ୍ତ ସେମାନଙ୍କ ଅନେକ ଗୁରୁତ୍ବପୂର୍ଣ୍ଣ କାରବାରକୁ ବନ୍ଦ ରଖାଯିବ। ଏନ୍ବିଏଫ୍ସି ପାଇଁ ପିସିଏ ବ୍ୟବସ୍ଥାରେ ସଂସ୍ଥାଗୁଡ଼ିକର ପୁଞ୍ଜି ସ୍ବଚ୍ଛଳତା ହାର (ସିଏଆର୍) ଉପରେ ରିଜର୍ଭ ବ୍ୟାଙ୍କ ନଜର ରଖିବ।
ଆସନ୍ତା ବର୍ଷ ଅକ୍ଟୋବରୁ ନୂଆ ନିୟମ
ସଂସ୍ଥାର ଅଡିଟ୍ ହୋଇଥିବା ବାର୍ଷିକ ଆର୍ଥିକ ଫଳାଫଳକୁ ଅନୁଧ୍ୟାନ କରିବା ପରେ ଦରକାର ପଡ଼ିଲେ ତାହା ଉପରେ ପିସିଏ କଟକଣା ଲଗାଯିବ। କିନ୍ତୁ କିଛି ନିର୍ଦିଷ୍ଟ ମାମଲାରେ ଯଦି ସ୍ଥିତି ବିଗୁଡ଼ୁଥିବା ଆଗୁଆ ଜଣାପଡ଼ିବ ତେବେ ବର୍ଷ ମଝିରେ ପିସିଏ କଟକଣା ଲାଗୁ କରାଯାଇପାରିବ। ନିଟ୍ ଏନ୍ପିଏ ହାର ୬%ରୁ ଅଧିକ ହେଲେ ପିସିଏ ଲଗାଯିବ। ଯଦି କୌଣସି ସଂସ୍ଥା ଉପରେ ଏହି କଟକଣା ଲଗାଗଲା ତେବେ ପ୍ରତିଷ୍ଠାତା ଓ ଅଂଶଧନକାରୀମାନଙ୍କୁ ନୂତନ ପାଣ୍ଠି ଦେବା ଲାଗି କୁହାଯିବ। ଲାଭାଂଶ ବଣ୍ଟନ ଓ ଲାଭ ହସ୍ତାନ୍ତରକୁ ଅଟକାଇ ଦିଆଯିବ। ନିଟ୍ ଏନ୍ପିଏ ୯%ରୁ ଅଧିକ ହେଲେ ଶାଖା ସମ୍ପ୍ରସାରଣକୁ ସମ୍ପୂର୍ଣ୍ଣ ବନ୍ଦ କରାଯିବ। ନିଟ୍ ଏନ୍ପିଏ ୧୨%ରୁ ଅଧିକ ହେଲେ ପୁଞ୍ଜି ବ୍ୟୟ ବନ୍ଦ କରିଦିଆଯିବ।
କୌଣସି ଏନ୍ବିଏଫ୍ସି ଦୁର୍ବଳ ହେଉଥିବା ମନେ ହେଲେ ରିଜର୍ଭ ବ୍ୟାଙ୍କ ବାହ୍ୟ ଅଡିଟରଙ୍କ ଜରିଆରେ ଅଡିଟ୍ କରାଇପାରିବ। ଦରକାର ପଡ଼ିଲେ ସଂସ୍ଥା ବିରୋଧରେ ଇନ୍ସଲ୍ଭେନ୍ସି ମାମଲା ରୁଜୁ କରିପାରିବ ଏବଂ ସଂସ୍ଥାକୁ ସବୁଦିନ ଲାଗି ବନ୍ଦ କରିବା ଲାଗି କାରଣ ଦର୍ଶାଅ ନୋଟିସ୍ ଜାରି କରିପାରିବ। ସଂସ୍ଥାର ପରିଚାଳନା କର୍ତ୍ତୃପକ୍ଷଙ୍କୁ ହଟାଇ ନୂଆ କର୍ତ୍ତୃପକ୍ଷ ନିଯୁକ୍ତ କରିପାରିବ। ନୂତନ ଜମା ଗ୍ରହଣ କରିବା ଓ ବଜାରରୁ ଋଣ ହାସଲ କରିବା ଆଦି ଉପରେ ମଧ୍ୟ କଟକଣା ଲଗାଇ ଦିଆଯିବ। ପିସିଏ ବ୍ୟବସ୍ଥାରେ ଯେଉଁ ସବୁ ମାନଦଣ୍ଡ ଓ ସୀମା ଧାର୍ଯ୍ୟ କରାଯାଇଛି ତାହାକୁ କ୍ରମାଗତ ଚାରିଟି ତ୍ରୟମାସ (୧୨ ମାସ) ଠିକ୍ ଭାବେ ପାଳନ କଲେ ପିସିଏ କଟକଣା ପ୍ରତ୍ୟାହାର କରାଯିବ।