ଅଦୃଶ୍ୟ ଯୋଗୀ କିଏ? ଚିତ୍ରାଙ୍କ ଘରେ ଆୟକର ଚଢ଼ଉ

ମୁମ୍ବାଇ : ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ପୂର୍ବତନ ସିଇଓ ତଥା ଏମ୍‌ଡି ଚିତ୍ରା ରାମକୃଷ୍ଣ ହିମାଳୟର ଜଣେ ଯୋଗୀଙ୍କ ନିର୍ଦ୍ଦେଶରେ କାର୍ଯ୍ୟ କରୁଥିଲେ। ତାଙ୍କ ନିର୍ଦ୍ଦେଶରେ ଷ୍ଟକ ଏକ୍ସଚେଞ୍ଜ ପାଇଁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଉଥିଲେ ବୋଲି କହିଛନ୍ତି। ଅଦୃଶ୍ୟ ଯୋଗୀ ବା ଆଧ୍ୟାତ୍ମିକ ଗୁରୁଙ୍କ କଥାରେ ଷ୍ଟକ ଏକ୍ଚଚେଞ୍ଜ ଭଳି ସଂସ୍ଥାର ଗୁରୁତ୍ବପୂର୍ଣ୍ଣ‌ ପଦରେ ଅବସ୍ଥାପିତ ଅଧିକାରୀ ନିଷ୍ପତ୍ତିମାନ ଗ୍ରହଣ କରୁଥିଲେ ବୋଲି ସେବି ନିକଟରେ ଚିତ୍ରାଙ୍କ ମନ୍ତବ୍ୟ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି। ସମ୍ଭବତଃ ଚିତ୍ରା ଏ ସଂପର୍କରେ ଏପର୍ଯ୍ୟନ୍ତ ସତ ମାନିନାହାନ୍ତି ବୋଲି ଅନୁମାନ କରାଯାଉଛି।

ଏହାବ୍ୟତୀତ ଏଭଳି ସା‌ଂଘ‌ା‌ତିକ କାରନାମା କରିଥିବା ଅଧିକାରୀଙ୍କ ବିରୋଧରେ ଷ୍ଟକ ଏକ୍ସଚେଞ୍ଜ କିମ୍ବା ସେବି କିମ୍ବା ଅନ୍ୟ କୌଣସି ତଦନ୍ତକାରୀ ସଂସ୍ଥା କିଭଳି ସୂଚନା ଯଥାସମୟରେ ପାଇପାରିଲେ ନାହିଁ। ଏହି ଘଟଣା ପ୍ରଘଟ ହେବାବର୍ଷ ୨୦୧୬ ମସିହାରେ ‌ସେ କିଭଳି ଇସ୍ତଫା ଦେଇ ଚାଲିଗଲେ ତାହା ଅନେକଙ୍କୁ ଚକିତ କରିଛି। ତେବେ ପୂର୍ବରୁ ସେବି ତଦନ୍ତ ଚଳାଇଥିବା ବେଳେ ଆଜି ଆୟକର ବିଭାଗ ପକ୍ଷରୁ ଚିତ୍ରାଙ୍କ ମୁମ୍ବାଇ ଓ ସୁବ୍ରମଣ୍ୟନଙ୍କ ଚେନ୍ନାଇ ବାସଭବନରେ ଚଢ଼ଉ ହୋଇଛି। ଏହି ଚଢ଼ଉ ଚିତ୍ରାଙ୍କ କଳା କାରନାମାର ସତ ସ‌ହିତ ଅଦୃଶ୍ୟ ଯୋଗୀଙ୍କ ସଂପର୍କରେ କିଛି ତଥ୍ୟ ସାମ୍ନାକୁ ଆଣିବାରେ ସହାୟକ ହେବ ବୋଲି ଆଶା କରାଯାଉଛି।

ସୂଚନା ଅନୁଯାୟୀ, ଚିତ୍ରା ଏବଂ ପୂର୍ବତନ ଗ୍ରୁପ ପରିଚାଳନା ଅଧିକାରୀ ତଥା ଏମ୍‌ଡିଙ୍କ ଉପଦେଷ୍ଟା ଆନନ୍ଦ ସୁବ୍ରମଣ୍ୟନଙ୍କ ସହ ଜଡ଼ିତ ଏକାଧିକ ସ୍ଥାନରେ ଆୟକର ବିଭାଗ ଆଜି ସକା‌ଳେ ଚଢ଼ଉ କରିଛି। ସେମାନନଙ୍କ ଅମଳରେ ହୋଇଥିବା ଅନିୟମିତା ଏବଂ ଟିକସ ଫାଙ୍କି ସଂପର୍କରେ ପ୍ରମାଣ ସଂଗ୍ରହ ପାଇଁ ଏହି ଚଢ଼ଉ କରାଯାଇଛି। ଆୟକର ବିଭାଗର ମୁମ୍ବାଇ ଶାଖା ପକ୍ଷରୁ ଉକ୍ତ ଚଢ଼ଉ ହୋଇଛି। ଏନ୍‌ଏସ୍‌ଇ ଭିତରର ସୂଚନା ବାହାର ଲୋକଙ୍କୁ ପ୍ରଦାନ କରି ଚିତ୍ରା ନିୟମ ଉଲ୍ଲଂଘନ କରିଥିବା ଖବରକୁ ନେଇ ନିକଟରେ ଚିତ୍ରା ଓ ଅନ୍ୟମାନେ ବିବାଦ ଘେରକୁ ଆସିଛନ୍ତି। ହିମାଳୟର ଅଦୃଶ୍ୟ ଯୋଗୀଙ୍କ କଥାରେ ସଂସ୍ଥା ଚଳାଇବା ଏବଂ ଆଭ୍ୟନ୍ତରୀଣ ସୂଚନା ପ୍ରଦାନ କରି ଆର୍ଥିକ ଫାଇଦା ସେ ନେଇଥିବା ସେବି ତଦନ୍ତରୁ ଜଣାଯାଇଛି। ଏଥିସହିତ ତାଙ୍କର ପରିଚିତ ଲୋକଙ୍କୁ ସେ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜରେ ଚିଫ୍‌ ଷ୍ଟ୍ରାଟେଜିକ୍‌ ଅଫିସର ପଦରେ ନିଯୁକ୍ତ କରିଥିଲେ। ସଂପୃକ୍ତ ଅଧିକାରୀଙ୍କ ବାର୍ଷିକ ବେତନ ୧.୩୮ କୋଟି ଟଙ୍କା ରହିଥିଲା।

ନିକଟରେ ସେବି ଚିତ୍ରା ରାମକୃଷ୍ଣଙ୍କ ସଂପର୍କରେ ତଦନ୍ତ କରି ତାଙ୍କ ଉପରେ ୩ କୋଟି ଟଙ୍କାର ଜରିମାନା ଲାଗୁ କରିଥିଲା। ସୁବ୍ରମଣ୍ୟନଙ୍କୁ ପ୍ରଥମେ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ଚିଫ୍ ଷ୍ଟ୍ରାଟେଜିକ୍ ଅଧିକାରୀ ଭାବେ ନିଯୁକ୍ତ କରାଯାଇଥିଲା। ପରେ ତାଙ୍କୁ ଏମ୍‌ଡିଙ୍କ ଉପଦେଷ୍ଟା କରାଯାଇଥିଲା। ସୁବ୍ରମଣ୍ୟନ୍‌ଙ୍କ ସମେତ ଅନ୍ୟ କେତେକଙ୍କ ନିଯୁକ୍ତି କ୍ଷେତ୍ରରେ ନିୟମ ଉଲ୍ଲଂଘନ ହୋଇଥିବା ଅଭିଯୋଗ ଚିତ୍ରାଙ୍କ ବିରୋଧରେ ସେବି ଆଣିଛି। ରାମକୃଷ୍ଣଙ୍କ ଉପରେ ସେବି ୩ କୋଟି, ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ, ସୁବ୍ରମଣ୍ୟନ ଏବଂ ପୂର୍ବତନ ଏମଡି ତଥା ସିଇଓ ରବି ନାରାଏନ୍‌ଙ୍କ ଉପରେ ଉପରେ ୨ କୋଟି ଲେଖାଏଁ ଏବଂ ଭିଆର୍‌ ନରସିଂହନ୍‌ଙ୍କ ଉପରେ ୬ ଲକ୍ଷ ଟଙ୍କାର ଜରିମାନା ସେବି ଲଗାଇଛି। ଅଜଣା ବ୍ୟକ୍ତିଙ୍କ ପରିଚୟ ଚିତ୍ରା ପ୍ରକାଶ କରୁନାହାନ୍ତି। ବରଂ ସେ ଜଣେ ଆଧ୍ୟାତ୍ମିକ ଶକ୍ତି ବୋଲି କହୁଛନ୍ତି।

ସମ୍ବନ୍ଧିତ ଖବର