୧୮’ରେ ମୋଦି ସରକାରଙ୍କ ହାତ ଛାଡ଼ିଛନ୍ତି ଏହି ୫ ବିଶ୍ବସ୍ତରୀୟ ଅର୍ଥନୀତିଜ୍ଞ

୨୦୧୮ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଏନ୍‌ଡିଏ ସରକାରଙ୍କ ପାଇଁ ଏକ ଖରାପ ବର୍ଷ ଥିଲା। ଦୁଇ ଦୁଇ ଜଣ ଅର୍ଥନୀତିଜ୍ଞ ଏ ବର୍ଷ ଇସ୍ତଫା ଦେବା ସହିତ ସରକାରଙ୍କ ହାତ ଛାଡ଼ି ଦେଇଛନ୍ତି। ପ୍ରଥମେ ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା ଅରବିନ୍ଦ ସୁବ୍ରମଣିଅନ୍ ଇସ୍ତଫା ଦେଇ ଆମେରିକା ଚାଲି ଯାଇଥିଲେ। ବର୍ଷର ଶେଷ ଆଡ଼କୁ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଉର୍ଜିତ ପଟେଲ ଇସ୍ତଫା ଦେବା ମୋଦୀ ସରକାରଙ୍କୁ ଏକ ଶକ୍ତ ଧକ୍କା ଦେଇଥିଲା। ରିଜର୍ଭ ବ୍ୟାଙ୍କର ସ୍ବାୟତ୍ତତା ଉପରେ ମୋଦୀ ସରକାରଙ୍କ ପ୍ରବଳ ହସ୍ତକ୍ଷେପକୁ ଉର୍ଜିତ ସହି ନପାରି ଛାଡ଼ି ପଳାଇବା ଏକ ଖରାପ ବାର୍ତ୍ତା ଦେଇଥିଲା। ଦେଶର ଅର୍ଥନୀତି ଓ ଆର୍ଥିକ ନୀତିକୁ ପରିଚାଳନା ଓ ଦିଗଦର୍ଶନ ଦେଉଥିବା ଦୁଇ ଦୁଇ ଜଣ ଅର୍ଥନୀତିଜ୍ଞ ନିଜ ନିଜ ପଦରୁ ଇସ୍ତଫା ଦେବା ସରକାରଙ୍କ ପାଇଁ ସ୍ବାଭାବିକ ଭାବେ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଥିଲା।

ସରକାରଙ୍କ ଅର୍ଥନୀତିଜ୍ଞ ଅରବିନ୍ଦ ସୁବ୍ରମଣିଅନ୍

୨୦୧୪ ଅକ୍ଟୋବରରେ ଦେଶର ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା (ସିଇଏ) ଭାବେ ନିଯୁକ୍ତି ପାଇଥିବା ଅରବିନ୍ଦ ସୁବ୍ରମଣିଅନ୍ ଚଳିତ ବର୍ଷ ଜୁଲାଇରେ ନିଜ ପଦରୁ ଇସ୍ତଫା ଦେଇଥିଲେ। ପରିବାର ସହ ସମୟ ବିତାଇବା ଆବଶ୍ୟକ ଥିବା ଦର୍ଶାଇ ସେ ଇସ୍ତଫା ଦେଇଥିଲେ। ଏବେ ନିଜର ଅଫ୍ କାଉନ୍‌ସେଲ୍ ନାମକ ପୁସ୍ତକ ଉନ୍ମୋଚନ ପାଇଁ ଭାରତ ଆସିଥିବା ସୁବ୍ରମଣିଅନ୍ ବିମୁଦ୍ରୀକରଣକୁ ତୀବ୍ର ସମାଲୋଚନା କରିଥିଲେ।

 ଉର୍ଜିତ ପଟେଲ୍‌

କାର୍ଯ୍ୟକାଳ ଶେଷ ହେବାର ନଅ ମାସ ପୂର୍ବରୁ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ପଦରୁ ଉର୍ଜିତ ପଟେଲ୍‌ ଡିସେମ୍ବର ୧୦ରେ      ଇସ୍ତଫା ଦେଇଥିଲେ। ବ୍ୟକ୍ତିଗତ କାରଣ ଦର୍ଶାଇ ସେ ଇସ୍ତଫା ଦେଇଥିଲେ ମଧ୍ୟ ସରକାରଙ୍କ ସହ ମତଭେଦ ପାଇଁ    ସେ ପଦ ଛାଡ଼ିବା ସ୍ପଷ୍ଟ ବୁଝାପଡ଼ିଥିଲା।

ସୁର୍ଜିତ୍‌ ଭଲ୍ଲା

ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଉର୍ଜିତଙ୍କ ଇସ୍ତଫା ପ୍ରଦାନର ଗୋଟିଏ ଦିନ ପରେ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦର ସଦସ୍ୟ ସୁର୍ଜିତ ଭଲ୍ଲା ନିଜ ପଦରୁ ଇସ୍ତଫା ଦେଇଥିଲେ। ସେ ପରିଷଦର ଜଣେ ଅସ୍ଥାୟୀ ସଦସ୍ୟ ଭାବେ କାର୍ଯ୍ୟ କରୁଥିଲେ ଓ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ସରକାରଙ୍କୁ ପରାମର୍ଶ ଦେଉଥିଲେ। ଏକ ପୁସ୍ତକ ଲେଖିବାରେ ମନୋନି‌େ‌ବଶ କରିବା ପାଇଁ ସେ ନିଜ ପଦରୁ ଇସ୍ତଫା ଦେଇଥିବା କହିଥିଲେ।

ରଘୁରାମ ରାଜନ

ରଘୁରାମ ରାଜନଙ୍କୁ ୨୦୧୩ରେ ଉପା ସରକାରଙ୍କ ଅମଳରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଭାବେ ନିଯୁକ୍ତି ମିଳିଥିଲା। ୨୦୧୪ରେ ମୋଦୀ ସରକାର ଶାସନ ଭାର ଗ୍ରହଣ କରିବା ପରେ ତାଙ୍କ ପଦ ସୁରକ୍ଷିତ ରହିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ସରକାରଙ୍କ ସହ ତାଙ୍କ ସମ୍ପର୍କ ଖରାପ ହୋଇଯାଇଥିଲା। ସେଥିପାଇଁ ସରକାର ତାଙ୍କୁ ଦ୍ବିତୀୟ ସୁଯୋଗ ଦେବାକୁ ଆଗ୍ରହ ପ୍ରକାଶ କଲେନାହିଁ। ୨୦୧୬ରେ ତାଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା ଓ ସେ ନିଜର                                    ପୁରୁଣା ବୃତ୍ତି ପାଠପଢ଼ାକୁ ଆଦରି ନେବା ଲାଗି ଆମେରିକା ପଳାଇଥିଲେ।

ଅରବିନ୍ଦ ପାନଗାରିୟା

ନିତି ଆୟୋଗ ଉପାଧ୍ୟକ୍ଷ ଭାବେ କାମ କରୁଥିବା ବେଳେ ଅରବିନ୍ଦ ପାନଗାରିୟା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ଗୁଜରାଟ ମଡେଲ୍‌ ଅଭିବୃଦ୍ଧି’ର ବଡ଼ ସମର୍ଥକ ଥିଲେ। କିନ୍ତୁ ବିମୁଦ୍ରୀକରଣ ଘୋଷଣା ହେବା ପରେ ତାଙ୍କ ଆଭିମୁଖ୍ୟ ବଦଳିଯାଇଥିଲା। ଲୋକମାନେ ସାମ୍ନା କରିଥିବା ସମସ୍ୟା ବିଷୟରେ ସେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇଥିଲେ। ୨୦୧୭ ଅଗଷ୍ଟରେ ଇସ୍ତଫା ଦେଇ କଲମ୍ବିଆ ବିଶ୍ବବିଦ୍ୟାଳୟକୁ ଚାଲିଯାଇଥିଲେ।

ସମ୍ବନ୍ଧିତ ଖବର