ଭୁବନେଶ୍ୱର: ଏକ ଡେରି ପ୍ଲାଣ୍ଟ୍ ସ୍ଥାପନ କରିବା ପାଇଁ ଜାତୀୟ ଦୁଗ୍ଧ ବିକାଶ ବୋର୍ଡ (ଏନଡିଡିବି) ଓ ଓମ୍ଫେଡ୍ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଗତ ମାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଏହି ଏମ୍ଓୟୁ ସ୍ୱାକ୍ଷରିତ ହୋଇଥିଲା। ଏନ୍ଡିଡିବିର ଅଧ୍ୟକ୍ଷ ଦିଲ୍ଲୀପ ରଥଙ୍କ ନେତୃତ୍ୱରେ ଦୁଇ ସଂସ୍ଥାର ବରିଷ୍ଠ ଅଧିକାରୀମାନଙ୍କ ଏକ ଟିମ୍ କାରଖାନା ସ୍ଥାପନ କରାଯିବା ସ୍ଥାନ ପରିଦର୍ଶନ କରିଛନ୍ତି। ନିର୍ମାଣ କାର୍ଯ୍ୟ ଶୀଘ୍ର ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ପ୍ଲାଣ୍ଟ୍ର ଉତ୍ପାଦନ କ୍ଷମତା ୫ ଲକ୍ଷ ଲିଟର ହେବ। ଏଥିପାଇଁ ରାଜ୍ୟ ସରକାର ୫୧ ଏକର ଜମି ଓ ୨୪୪.୭୪ କୋଟି ଟଙ୍କା ପ୍ରଦାନ କରିବେ। ଡେରି ପ୍ଲାଣ୍ଟ୍ରେ ଦହି, ବଟରମିଲ୍କ, ଲସି, ଫ୍ଲେଭରଡ୍ ମିଲ୍କ ଆଦି ଉତ୍ପାଦନ କରାଯିବ। ଉଲ୍ଲେଖଯୋଗ୍ୟ, ମଦର ଡେରିର ସଫଲ୍ ବ୍ରାଣ୍ଡ୍ ଜରିଆରେ ଏନ୍ଡିଡିବି ପକ୍ଷରୁ ଓଡ଼ିଶାରେ ଫଳ ଓ ପନିପରିବା ବିକ୍ରି କରାଯାଉଛି। ଏବେ ରାଜ୍ୟରେ କଂପାନିର ୧୭ଟି ସଫଲ୍ ଏଫ୍ଆଣ୍ଡଭି ଷ୍ଟୋର୍ ରହିଛି। ଭୁବନେଶ୍ୱର ଆଖାପାଖରେ ମଦର ଡେରି ଏକ କେନ୍ଦ୍ରୀୟ ବିତରଣ ବ୍ୟବସ୍ଥା ବିକଶିତ କରିବାକୁ ଯୋଜନା ରଖିଛି। ସେଥିପାଇଁ ଜମି ପ୍ରଦାନ କରିବାକୁ ରାଜ୍ୟ ସରକାରଙ୍କ ନିକଟରେ ଆବେଦନ କରିଛି। ଏହି ପ୍ରକଳ୍ପ ପାଇଁ ୧୫ ଏକର ଜମି ଦରକାର। ସେଠାରେ ମଧ୍ୟ ଏକ ଦୁଗ୍ଧ କାରଖାନା ସ୍ଥାପନ କରିବାକୁ ଏନ୍ଡିଡିବି ଯୋଜନା ରଖିଛି ବୋଲି ନିକଟରେ ଶ୍ରୀ ରଥ କହିଥିଲେ।