ନୂଆଦିଲ୍ଲୀ: ଭାରତର ଇସ୍ପାତ, ଆଲୁମିନିୟମ୍ ଓ ଅନ୍ୟାନ୍ୟ ଉତ୍ପାଦ ଉପରେ ୫୦ ପ୍ରତିଶତ ଶୁଳ୍କ ଲଗାଇବା ପରେ ଆମେରିକା ଉପରେ ପାଲଟା ଶୁଳ୍କ ଲଗାଇବାକୁ ଭାରତ ବିଚାର କରୁଛି। ଭାରତ ଓ ଆମେରିକା ଭିତରେ ସମ୍ପର୍କ ଖରାପ ହେବା ପରେ ପ୍ରଥମ ଥର ପାଇଁ ଭାରତ ଏଭଳି ପଦକ୍ଷେପ ନେବାକୁ ଯାଉଛି ଯାହା ସିଧାସଳଖ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଚ୍ୟାଲେଞ୍ଜ ହେବ।
ଗତ ଫେବ୍ରୁଆରିରୁ ଦୁଇ ଦେଶ ମଧ୍ୟରେ ଇସ୍ପାତ ଓ ଆଲୁମିନିୟମ୍ ଉପରେ ଶୁଳ୍କକୁ ନେଇ ସମସ୍ୟା ରହିଛି। ଧାତବ ପଦାର୍ଥ ଉପରେ ଟ୍ରମ୍ପ ୨୫ ପ୍ରତିଶତ ଶୁଳ୍କ ଲଗାଇଛନ୍ତି। ଜୁନ୍ରେ ସେହି ଶୁଳ୍କକୁ ୫୦ ପ୍ରତିଶତକୁ ବୃଦ୍ଧି କରାଯାଇଥିଲା। ତାହା ଭାରତର ୭୬୦ କୋଟି ଡଲାର ରପ୍ତାନିକୁ ଗୁରୁତର ପ୍ରଭାବିତ କରିଛି।
ଏସମ୍ପର୍କରେ ଭାରତ ସରକାର ବିଶ୍ବ ବାଣିଜ୍ୟ ସଂଗଠନ (ଡବ୍ଲ୍ୟୁଟିଓ)ର ପରାମର୍ଶ ଲୋଡ଼ିଛି। ଜାତୀୟ ସ୍ବାର୍ଥ ଆଳରେ ଆମେରିକା ନେଉଥିବା ପଦକ୍ଷେପ ଆଇନର ଉଲ୍ଲଂଘନ ବୋଲି ଭାରତ କହିଛି। ଭାରତ ଉପରେ ଆମେରିକା ଏହାର ଶୁଳ୍କ ୫୦ ପ୍ରତିଶତକୁ ବୃଦ୍ଧି କରିବା ପରେ ଦ୍ବିପାକ୍ଷିକ ବାଣିଜ୍ୟ ଆଲୋଚନାକୁ ମଧ୍ୟ ବନ୍ଦ କରିଦେଇଛି। ତେଣୁ ଭାରତ ଏବେ ଆଇନ ବାଟରେ ଆମେରିକା ସହ ଲଢ଼ିବାକୁ ପ୍ରସ୍ତୁତ ହେଉଛି। ଅନ୍ୟ କୌଣସି ବାଟ ନ ଥିବାରୁ ଭାରତ ଜବାବୀ ଟିକସ ଲଗାଇବାକୁ ଯାଉଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ଆମେରିକାର ନିର୍ଦ୍ଦିଷ୍ଟ କିଛି ଉତ୍ପାଦ ଉପରେ ଟିକସ ଲଗାଯିବ। ଆମେରିକା ଭାରତରୁ ୪୫୦୦ କୋଟି ଡଲାରର ସାମଗ୍ରୀ ପଠାଉଥିବା ବେଳେ ଆମେରିକାକୁ ଭାରତ ୮୬୦୦ କୋଟି ଡଲାରର ଜିନିଷ ପଠାଉଛି। ଦୁଇ ଦେଶ ଭିତରେ ଥିବା ବାଣିଜ୍ୟ ଅନ୍ତର ଟ୍ରମ୍ପଙ୍କ ପାଇଁ ଅସହ୍ୟ ହୋଇଛି। କାରବାରକୁ ସମାନ ସ୍ତରକୁ ଆଣିବା ଲାଗି ସେ ଟିକସ ବଢ଼ାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/03/09/ftcS6u654ZX9HWJazAWP.jpg)