ନୂଆଦିଲ୍ଲୀ: ଜାନୁଆରି ୧୫ ତାରିଖ ବା ଗତକାଲି ଇଣ୍ଡିଗୋ ଏୟାରଲାଇନ୍ସର ବିମାନ ବିଳମ୍ବ ହେବାପରେ ଯାତ୍ରୀଙ୍କ ମଧ୍ୟରେ କ୍ରୋଧ ଦେଖିବାକୁ ମିଳିଥିଲା। ଏହି ଘଟଣାର ଏକ ଭିଡିଓ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଯାତ୍ରୀମାନେ ରାସ୍ତାରେ ବସିଥିବାର ନଜର ଆସିଥିଲେ।

Advertisment

ଗୋଆରୁ ଦିଲ୍ଲୀ ଅଭିମୁଖେ ଉଡ଼ାଣ ଭରିଥିବା ବିମାନଟି ମୁମ୍ବାଇ ଆଡ଼େ ମୁହାଁଇବା ପରେ ଏୟାରଲାଇନ୍ସ ସୋମବାର ଦିନ ଏକ ବିବୃତ୍ତି ଜାରି କରି ଯାତ୍ରୀମାନଙ୍କୁ କ୍ଷମା ମାଗିଛି। ଏହାସହ ଭବିଷ୍ୟତରେ ଏପରି ଘଟଣାକୁ ଏଡାଇବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବ ବୋଲି ନିଶ୍ଚିତ କରିଛି ମଧ୍ୟ।

ଏକ ଭାଇରାଲ ଭିଡିଓରେ ଇଣ୍ଡିଗୋର ଗୋଆ-ଦିଲ୍ଲୀ ବିମାନରେ ଥିବା ଯାତ୍ରୀମାନେ ମୁମ୍ବାଇ ବିମାନବନ୍ଦରରେ ଖାଦ୍ୟ ଖାଉଥିବାର ଓ ବସିଥିବାର ନଜର ଆସିଥିଲେ। ଇଣ୍ଡିଗୋ ବିମାନ କମ୍ପାନି ଏକ ବିବୃତ୍ତିରେ ଏହା କହିଛି ଯେ, ‘‘ଜାନୁଆରି ୧୪, ୨୦୨୪ରେ ଗୋଆରୁ ଦିଲ୍ଲୀ ଅଭିମୁଖେ ଯାଉଥିବା ଇଣ୍ଡିଗୋ ବିମାନ ୬ଇ୨୧୯୫ ସହିତ ଜଡିତ ଘଟଣା ବିଷୟରେ ଆମେ ଅବଗତ। ଦିଲ୍ଲୀରେ ଦୃଶ୍ୟମାନତା କମ୍ ଥିବାରୁ ବିମାନଟିକୁ ମୁମ୍ବାଇ ଆଡକୁ ନିଆଯାଇଥିଲା। ଏହି ଘଟଣା ପାଇଁ ଆମେ ହୃଦୟରୁ କ୍ଷମା ପ୍ରାର୍ଥନା କରୁଛୁ।’’

ସେ ଆହୁରି ବି କହିଛନ୍ତି ଯେ ଆମେ ଘଟଣାର ଅନୁସନ୍ଧାନ କରୁଛୁ। ଭବିଷ୍ୟତରେ ଏପରି ଘଟଣାକୁ ଏଡ଼ାଇବା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ। ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦର ମଧ୍ୟ ଏହି ଘଟଣା ସମ୍ପର୍କରେ ଏକ ବିବୃତ୍ତି ଜାରି କରି କହିଛି ଯେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନହେବା ପର୍ଯ୍ୟନ୍ତ ଯାତ୍ରୀମାନଙ୍କୁ ବିମାନ ସେବା ଅଧିକାରୀଙ୍କ ସୁରକ୍ଷା ଏବଂ କଡା ନଜରରେ ରଖାଯାଇଛି।