ସୋସିଆଲ୍‌ ମିଡିଆରେ ଅଧିକ ପ୍ରଚାର ଦରକାର

ହୋଟେଲ୍‌ ଓ ରେସ୍ତୋରାଁ ସଂଘର ସୁପାରିସ୍‌

ଭୁବନେଶ୍ବର: ଫେସବୁକ୍ ଓ ଟ୍ବିଟର୍‌ ଭଳି ସୋସିଆଲ୍ ମିଡ଼ିଆରେ ପର୍ଯ୍ୟଟନର ପ୍ରଚାର‌ରେ ଓଡ଼ିଶା ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ପଛରେ ରହିଛି। ଓଡ଼ିଶାକୁ ଏକ ପର୍ଯ୍ୟଟନସ୍ଥଳୀ ଭାବେ ବିକଶିତ କରିବା ପାଇଁ ସୂଚନା ଓ ପ୍ରଯୁକ୍ତି ପ୍ରଚାରରେ ଯେତିକି ଟଙ୍କା ଖର୍ଚ ହେଉଛି ତାହାର ଅତିକମ୍‌ରେ ୨୦% ‌ସୋସିଆଲ୍ ମିଡିଆରେ ଖର୍ଚ କରିବାକୁ ଓଡ଼ିଶା ହୋଟେଲ୍‌ ଓ ରେସ୍ତୋରାଁ ସଂଘ (ଏଚ୍ଆର୍‌ଏଓ) ରାଜ୍ୟ ସରକାରଙ୍କୁ ସୁପାରିସ କରିଛି। ଜଣେ ଲୋକପ୍ରିୟ ସିନେମା ଅଭିନେତାଙ୍କୁ ବ୍ରାଣ୍ଡ୍‌ ଆମ୍ବାସାଡର ଭାବେ ନିଯୁକ୍ତ କରିବା, ସବୁ ପାନ୍ଥନିବାସର ଘରୋଇକରଣ କରିବା, ସାମୁକା ସମୁଦ୍ରକୂଳକୁ ବିକଶିତ କରିବା, ହୋଟେଲ୍‌ ପ୍ରକଳ୍ପ ପାଇଁ ଜମି ଯୋଗାଇ ଦେବା, ରାଜ୍ୟ ପର୍ଯ୍ୟଟନ ଉନ୍ନୟନ କତୃର୍ପକ୍ଷ ଗଠନ କରିବା ଓ ଏକ ଆନ୍ତର୍ଜାତିକ ମାନର କନ୍‌ଭେନ୍‌ସନ୍ ସେଣ୍ଟର୍‌ ସ୍ଥାପନ କରିବା ଭଳି ପଦକ୍ଷେପ ଗ୍ରହଣ କରିବାକୁ ସଂଘ ପକ୍ଷରୁ ସୁପାରିସ ପ୍ରଦାନ କରାଯାଇଛି। ତୃତୀୟ ଓଡ଼ିଶା ପର୍ଯ୍ୟଟନ କନ୍‌କ୍ଲେଭ୍‌ରେ ହୋଇଥିବା ଆଲୋଚନାକୁ ନେଇ ଏହି ସବୁ ସୁପାରିସ ପ୍ରଦାନ କରାଯାଇଛି। ତାହାକୁ ନେଇ ଏକ ପୁସ୍ତିକା ପ୍ରସ୍ତୁତ କରାଯାଇଥିଲା। ଆଜି ଉନ୍ନୟନ କମିସନର ଆର୍‌ ବାଲ୍‌କ୍ରିଷ୍ଣନ ତାହାକୁ ଉନ୍ମୋଚନ କରିଛନ୍ତି। ଏହି ଅବସରରେ କ୍ରୀଡ଼ା ଓ ଯୁବ ସେବା ସଚିବ ବିଶାଲ ଦେବ ଓ ପର୍ଯ୍ୟଟନ ନିର୍ଦେଶକ ଅର୍ଚ୍ଚନା ପଟ୍ଟନାୟକ, ଏଚ୍‌ଆର୍‌ଏଓର ଅଧ୍ୟକ୍ଷ ଜେ କେ ମହାନ୍ତି ଓ ଅନ୍ୟମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର