ନୂଆଦିଲ୍ଲୀ: ଅଲିମ୍ପିକ୍ସ ଦୁଇ ପଦକ ବିଜେତା ତଥା ଦେଶର ତାରକା ଜାଭ୍‌ଲିନ୍‌ ଫିଙ୍ଗାଳି ନୀରଜ ଚୋପ୍ରାଙ୍କୁ ବୁଧବାର ଆନୁଷ୍ଠାନିକ ଭାବେ ଭ‌ାରତୀୟ ସେନାର ଲେଫ୍ଟନାଣ୍ଟ୍‌ କର୍ଣ୍ଣେଲ ଭାବେ ନିଯୁକ୍ତି ମିଳିଛି। ନୂଆଦିଲ୍ଲୀରେ ଅନୁଷ୍ଠିତ ପାଇପିଂ କାର୍ଯ୍ୟକ୍ରମରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ସ୍ଥଳ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଉପସ୍ଥିତ ରହି ତାଙ୍କୁ ଏହି ନିଯୁକ୍ତି ପ୍ରଦାନ କରିଥିଲେ। ଭାରତୀୟ ରାଜପତ୍ର ଅନୁଯାୟୀ ଏହି ନିଯୁକ୍ତି ଚଳିତ ବର୍ଷ ଏପ୍ରିଲ ୧୬ ତାରିଖରେ କାର୍ଯ୍ୟକାରୀ ହୋଇଥିଲା। 

Advertisment

ନୀରଜ ୨୦୧୬ ଅଗଷ୍ଟ ୨୬ରେ କମିସନ୍‌ଡ୍‌ ଅଧିକାରୀ ଭାବେ ନାଏବ ସୁବେଦାର ରାଙ୍କ୍‌ରେ ଭାରତୀୟ ସେନାରେ ଯୋଗ ଦେଇଥିଲେ। କ୍ରୀଡ଼ା‌ ସଫଳତା ଲାଗି ତାଙ୍କୁ ୨୦୧୮ରେ ଅର୍ଜୁନ ଏବଂ ୨୦୨୧ରେ ଖେଳରତ୍ନ ପୁରସ୍କାର ମିଳିଥିଲା। ୨୦୨୧ରେ ସେ ସୁବେଦାର ଭାବେ ପଦୋନ୍ନତି ପାଇଥିଲେ। ଟୋକିଓ ୨୦୨୦ ଅଲିମ୍ପିକ୍ସରେ ତାଙ୍କର ଐତିହାସିକ ସ୍ୱର୍ଣ୍ଣ ପଦକ ବିଜୟ ପରେ ୨୭ ବର୍ଷୀୟ ଏହି ଭାରତୀୟ ତାରକାଙ୍କୁ ୨୦୨୨ରେ ଭାରତୀୟ ସେନା ଦ୍ୱାରା ପରମ ବିଶେଷ ସେବା ପଦକ ପ୍ରଦାନ କରାଯିବା ସହ ସେହିବର୍ଷ ସେ ସୁବେଦାର ମେଜରକୁ ମଧ୍ୟ ପଦୋନ୍ନତି ପାଇଥିଲେ। ଏଥିସହ ଭାରତର ଚତୁର୍ଥ ସର୍ବୋଚ୍ଚ ନାଗରିକ ପୁରସ୍କାର ପଦ୍ମଶ୍ରୀ ମଧ୍ୟ ସେ ପାଇଛନ୍ତି।