ଆଜିଠାରୁ ୨୪ ଘଣ୍ଟିଆ ଏନଇଏଫ୍‌ଟି ସେବା, ଛୁଟିଦିନରେ ବି ଅର୍ଥ ପ୍ରେରଣ କରିହେବ

ଭୁବନେଶ୍ୱର : ବ୍ୟାଙ୍କ ଗ୍ରାହକମାନଙ୍କ ପାଇଁ ଖୁସି ଖବର । ଆଜିଠାରୁ ଦେଶର ଏକ ବହୁଳ ପ୍ରଚଳିତ ଅର୍ଥ ପ୍ରେରଣ ବ୍ୟବସ୍ଥା ଏନଇଏଫ୍‌ଟି (ନ୍ୟାସନାଲ ଇଲେକ୍ଟ୍ରୋନିକ ଫଣ୍ଡ ଟ୍ରାନ୍ସଫର) ଦିନରେ ୨୪ ଘଣ୍ଟା ଓ ବର୍ଷର ୩୬୫ ଦିନ ଉପଲବ୍ଧ ହେବ । ଏପରିକି ଏହି ସେବା ଛୁଟିଦିନରେ ମଧ୍ୟ ଉପଲବ୍ଧ ହେବ । ଏ ସଂପର୍କରେ ରିଜର୍ଭ ବ୍ୟାଙ୍କ ଗତ ୬ ତାରିଖ ଦିନ ଘୋଷଣା କରିଥିଲା ।

ପୂର୍ବରୁ ଏହି ଅନଲାଇନ ନେଣଦେଣ ରବିବାର ଓ ମାସର ଦ୍ୱିତୀୟ ଓ ଚତୁର୍ଥ ଶନିବାରରେ କରିହେଉନଥିଲା । ଏହା ବ୍ୟତୀତ ବ୍ୟାଙ୍କ ଛୁଟି ଦିନରେ ମଧ୍ୟ ଏହି ଟ୍ରାଂଜାକସନ୍ କରିହେଉନଥିଲା । ଗୋଟିଏ କାର୍ଯ୍ୟ ଦିବସରେ ସକାଳ ୮ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଫଣ୍ଡ ଟ୍ରାନ୍ସଫର ପାଇଁ ଏନଇଏଫଟିର ବ୍ୟବହାର କରିହେଉଥିଲା । ଏହା ବ୍ୟତୀତ ଶନିବାରଦିନ କେବଳ ସକାଳ ୮ରୁ ପୂର୍ବାହ୍ନ ୧ଟା ପର୍ଯ୍ୟନ୍ତ ଏନଇଏଫଟି କରିହେଉଥିଲା ।
ନ୍ୟାସନାଲ ଇଲେକ୍ଟ୍ରୋନିକ ଫଣ୍ଡ ଟ୍ରାନ୍ସଫର (ଏନଇଏଫଟି) ହେଉଛି ରିଜର୍ଭ ବ୍ୟାଙ୍କ ଦ୍ୱାରା ସ୍ଥାପିତ ଏକ ଇଲେକ୍ଟ୍ରୋନିକ ଅର୍ଥ ପ୍ରେରଣ ବ୍ୟବସ୍ଥା । ୨୦୦୫ରେ ଆରମ୍ଭ ହୋଇଥିବା ଏହି ବ୍ୟବସ୍ଥାକୁ ଇନଷ୍ଟିଚ୍ୟୁଟ୍‌ ଫର ଡେଭଲପମେଣ୍ଟ ଏଣ୍ଡ ରିସର୍ଚ୍ଚ ଇନ ବ୍ୟାଙ୍କିଙ୍ଗ ଟେକନଲୋଜୀ (ଆଇଡିଆରବିଟି) ପରିଚାଳନା ଓ ବୈଷୟିକ ରକ୍ଷଣାବେକ୍ଷଣ କରିଥାଏ ।

ସମ୍ବନ୍ଧିତ ଖବର