ନେଟ୍‌ଓ୍ଵର୍କରେ ସମସ୍ୟା, ଏୟାରସେଲ୍‌ ଗ୍ରାହକ ହନ୍ତସନ୍ତ

ଭୁବନେଶ୍ୱର: ଦେଶର ଏକ ଅଗ୍ରଣୀ ମୋବାଇଲ କଂପାନି ଏୟାରସେଲ୍‌ର ଗ୍ରାହକମାନେ କିଛି ଦିନ ହେଲାଣି ଅସୁବିଧା ସାମ୍ନା କରୁଛନ୍ତି। ସେମାନେ କଲ୍‌ କରିପାରୁନାହାନ୍ତି କିମ୍ବା ଡାଟା ମଧ୍ୟ ବ୍ୟବହାର କରିପାରୁନାହାନ୍ତି। ଯେଉଁ ଗ୍ରାହକମାନେ ପୋର୍ଟିଂ କରି ଅନ୍ୟ ନେଟଓ୍ଵର୍କକୁ ଚାଲିଯିବାକୁ ଚାହୁଁଛନ୍ତି, ସେମାନଙ୍କୁ ସେହି ସୁବିଧା ମଧ୍ୟ ମିଳୁନି। ଗ୍ରାହକଙ୍କ ସମସ୍ୟା ଦୂର କରିବା ପାଇଁ କଂପାନି ପକ୍ଷରୁ କୌଣସି ପ୍ରକାର ସୂଚନା ପ୍ରଦାନ କରାଯାଉନଥିବା ଅଭିଯୋଗ ହୋଇଛି।

ଟ୍ରାଇ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଓଡ଼ିଶାରେ ଏୟାରସେଲ୍‌ର ୩୯ ଲକ୍ଷ ଗ୍ରାହକ ରହିଛନ୍ତି। କଂପାନିର ରାଜ୍ୟରେ ୨୩୩୪ଟି ସାଇଟ୍‌ ରହିଛି। ସେଥି ମଧ୍ୟରୁ ଅଧିକାଂଶ ଅଚଳ ହୋଇଯାଇଛି। ସାଇଟ୍‌ଗୁଡ଼ିକ କାର୍ଯ୍ୟକ୍ଷମ ହେବା ପରେ ଗ୍ରାହକମାନେ ନିରବଚ୍ଛିନ୍ନ ସେବା ହାସଲ କରିପାରିବେ। ତେବେ ଏଥିପାଇଁ କେତେ ଦିନ ଲାଗିବ ତାହା କେହି କହିପାରୁନାହାନ୍ତି। ଏହି ସମସ୍ୟା ସମ୍ପର୍କରେ କଂପାନିର ଜଣେ ଅଧିକାରୀ କହିଛନ୍ତି ଯେ, ନେଟ୍‌ଓ୍ଵର୍କରେ ସମସ୍ୟା ଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଆମେ ଯୁଦ୍ଧକାଳୀନ ଭିତ୍ତିରେ ଏହି ସମସ୍ୟା ଦୂର କରିବା ପାଇଁ କାମ କରୁଛୁ। ଖୁବ୍‌ଶୀଘ୍ର ସବୁ କିଛି ଠିକ୍‌ ହୋଇଯିବ। ଏୟାରସେଲ୍‌ ବନ୍ଦ ହୋଇଯିବ ବୋଲି ଯେଉଁ ଚର୍ଚା ହେଉଛି ତାହାକୁ ସେ ଖଣ୍ଡନ କରିଛନ୍ତି।

କିନ୍ତୁ, ଜାତୀୟ ଗଣମାଧ୍ୟମଗୁଡ଼ିକରେ ନିକଟରେ ଅନେକ ଖବର ପ୍ରକାଶ ପାଇଲାଣି ଯାହା ଏୟାରସେଲ୍‌ର ଭବିଷ୍ୟତ ଉଜ୍ୱଳ ନୁହେଁ ବୋଲି ସଙ୍କେତ ଦେଉଛି। ଖୁବ୍‌ଶୀଘ୍ର କଂପାନି ନିଜକୁ ଦେବାଳିଆ ଘୋଷଣା କରିବ ବୋଲି ମଧ୍ୟ ଖବର ପ୍ରକାଶ ପାଇଥିଲା। ଏ ପର୍ଯ୍ୟନ୍ତ କଂପାନି ପକ୍ଷରୁ ଏହି ସବୁ ଖବରଗୁଡ଼ିକ ବିଷୟରେ କୌଣସି ସ୍ପଷ୍ଟୀକରଣ ଦିଆଯାଉନାହିଁ। ମୋବାଇଲ୍‌ ସେବା ଚାଲୁ ରଖିବା ପାଇଁ ଟାଓ୍ଵାର ଭେଣ୍ଡର୍‌ମାନଙ୍କୁ ସେମାନଙ୍କ ପ୍ରାପ୍ୟ କଂପାନି ଦେଇପାରୁନଥିବା ଅଭିଯୋଗ ହୋଇଛି। କଂପାନି ଇଣ୍ଟରକନେକ୍ସନ ଚାର୍ଜ ଦାଖଲ କରିବା ପାଇଁ ମଧ୍ୟ ଏହା ସଂଘର୍ଷ କରୁଥିବା କୁହାଯାଉଛି।

ସମ୍ବନ୍ଧିତ ଖବର