ଆସିବ ୧୬୦ ସିସି ଇଲେକ୍ଟ୍ରିକ୍ ବାଇକ୍, ଥରେ ଚାର୍ଜ କଲେ ୨୨୦ କିମି ଯିବ

ଭୁବନେଶ୍ବର: କ୍ରିସ୍‌ ଇଣ୍ଡିଜେନସ୍ ଟେକ୍ନିକାଲ୍ ଇକ୍ବିପ୍‌ମେଣ୍ଟ୍‌ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ଆସନ୍ତା ମାସରେ ନୂଆ ଇଲେକ୍ଟ୍ରିକ୍ ଯାନର ବଜାର ପ୍ରବେଶ କରାଯିବ। ଭୁବନେଶ୍ବରରୁ ସୃଷ୍ଟି ହୋଇଥିବା ଏହି କଂପାନି ‘କ୍ରିସ୍‌’ ବ୍ରାଣ୍ଡ୍‌ ନାମରେ ଏହାର ଇଲେକ୍ଟ୍ରିକ୍ ଗାଡ଼ିଗୁଡ଼ିକୁ ବିକ୍ରି କରିବ। କଂପାନି ସ୍କୁଟର, ବାଇକ୍ ଏବଂ ତିନି ଚକିଆ ଗାଡ଼ି ଆଣିବ। କଂପାନିର ୧୬୦ ସିସିର ଶକ୍ତିଶାଳୀ ବାଇକ୍‌କୁ ଥରେ ଚାର୍ଜ କଲେ ତାହା ୨୨୦ କିଲୋମିଟର ଯାତ୍ରା କରିବ। ସେହିପରି ସ୍କୁଟରକୁ ଥରେ ଚାର୍ଜ କଲେ ୧୮୦ କିମି ଏବଂ ତିନି ଚକିଆ ଗାଡ଼ିଟି ୧୩୦ କିମି ଯାତ୍ରା କରିପାରିବ। କଂପାନିର ଇଲେକ୍ଟ୍ରିକ୍ ଗାଡ଼ିଗୁଡ଼ିକ ବିଷୟରେ ସୂଚନା ଦେଇ ପ୍ରତିଷ୍ଠାତା ଏବଂ ନିର୍ଦେଶକ ପ୍ରଶାନ୍ତ କୁମାର ମହାନ୍ତି କହିଛନ୍ତି ଯେ, ଏହି ଗାଡ଼ିଗୁଡ଼ିକରେ ବ୍ୟବହାର କରାଯାଇଥିବା ବ୍ୟାଟେରିର ଜୀବନ ହେଉଛି ପାଞ୍ଚ ବର୍ଷ। ଏତେ ଅଧିକ ଦିନ ପର୍ଯ୍ୟନ୍ତ ଚାଲୁଥିବା ବ୍ୟା‌ଟେରି ଅନ୍ୟ କଂପାନିଗୁଡ଼ିକ ଦେଉନାହାନ୍ତି। ବ୍ୟାଟେରିଟି ଅଢ଼େଇ ଘଣ୍ଟାରେ ଫୁଲ ଚାର୍ଜ ହୋଇଯିବ। ଏହା ବ୍ୟତୀତ ଜାପାନ ପ୍ରଯୁକ୍ତିକୁ ବ୍ୟବହାର କରି ଏହି ଗାଡ଼ିଗୁଡ଼ିକୁ ନିର୍ମାଣ କରାଯାଇଛି। କ୍ରିସ୍‌ର ସ୍କୁଟର, ବାଇକ୍ ଏବଂ ତିନିଚକିଆ ଯାନର ସର୍ବାଧିକ ବେଗ ହେଉଛି ଯଥାକ୍ରମେ ୭୫ କିମି, ୮୦ କିମି ଏବଂ ୫୫ କିମି। ସ୍କୁଟରର ମୂଲ୍ୟ ଏକ ଲକ୍ଷ ୭ ହଜାର ଟଙ୍କା ରହିଥିବା ବେଳେ ବାଇକ୍‌ ମୂଲ୍ୟ ୧ ଲକ୍ଷ ୨୭ ହଜାର ଟଙ୍କା ଏବଂ ତିନିଚକିଆ ଯାନ ମୂଲ୍ୟ ୨ ଲକ୍ଷ ୮୦ ହଜାର ଟଙ୍କା ରହିବ। ଏସବୁ ଗାଡ଼ିଗୁଡ଼ିକୁ କଂପାନି ପକ୍ଷରୁ ବାଲିଯାତ୍ରାରେ ପ୍ରଦର୍ଶନ କରାଯାଇଥିଲା ବୋଲି ଶ୍ରୀ ମହାନ୍ତି କହିଛନ୍ତି। ନିକଟରେ ଗୋଆ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଶ୍ରୀ ମହାନ୍ତିଙ୍କୁ ଗୁଣବତ୍ତା ସମ୍ପନ୍ନ ଏଲ୍‌ଇଡି ନିର୍ମାଣ ପାଇଁ ୱାର୍ଲଡ୍‌ ସିଗ୍ନେଚର ଆୱାର୍ଡସ୍‌ ୨୦୧୯ ପ୍ରଦାନ କରାଯାଇଛି।

ସମ୍ବନ୍ଧିତ ଖବର