ଫେବ୍ରୁଆରିରେ ଯୋଡ଼ିହେଲେ ୨ ଲକ୍ଷ ମୋବାଇଲ୍ ଗ୍ରାହକ

ଜିଓ, ବିଏସ୍‌ଏନ୍‌ଏଲ୍‌ ଯୋଡ଼ିଲେ, ଅନ୍ୟମାନେ ହରାଇଲେ

ଭୁବନେଶ୍ବର: ଗତ ଫେବ୍ରୁଆରିରେ ରାଜ୍ୟର ମୋବାଇଲ୍‌ ନେଟ୍‌ୱର୍କରେ ୨ ଲକ୍ଷରୁ ଅଧିକ ନୂଆ ମୋବାଇଲ୍ ଗ୍ରାହକ ଯୋଡ଼ିହୋଇଛନ୍ତି। ଫଳରେ ଓଡ଼ିଶାର ମୋଟ୍ ମୋବାଇଲ୍ ଗ୍ରାହକ ସଂଖ୍ୟା ୩ କୋଟି ୩୩ ଲକ୍ଷ ୭୮ ହଜାର ୭୩୫ରେ ପହଞ୍ଚିଛି। ଗତ ଫେବ୍ରୁ୍ଆରିରେ ୨ ଲକ୍ଷ ୬ ହଜାର ୬୨୬ ଜଣ ନୂଆ ଗ୍ରାହକ ମୋବାଇଲ୍‌ ନେଟ୍‌ୱର୍କରେ ସାମିଲ ହୋଇଛନ୍ତି ବୋଲି ଭାରତୀୟ ଦୂରସଂଚାର ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ତରଫରୁ ଜାରି କରାଯାଇଥିବା‌ ତଥ୍ୟରୁ ଜଣାପଡ଼ିଛି।

ଟ୍ରାଇ ତଥ୍ୟ ଅନୁଯାୟୀ, ରାଜ୍ୟରେ ଚାରିଟି ମୋବାଇଲ୍‌ କଂପାନି ଏୟାରଟେଲ୍, ଭୋଡାଫୋନ୍ ଆଇଡିଆ, ରିଲାଏନ୍ସ ଜିଓ ଓ ବିଏସ୍‌ଏନ୍‌ଏଲ ମୋବାଇଲ୍ ସେବା ଯୋଗାଉଛନ୍ତି। ସେଥି ମଧ୍ୟରୁ ଗତ ଫେବ୍ରୁଆରି କେବଳ ଜିଓ ଓ ବିଏସ୍‌ଏନ୍‌ଏଲ୍‌ ନୂଆ ଗ୍ରାହକ ଯୋଡ଼ିଛନ୍ତି। ଜିଓ ୨ ଲକ୍ଷ ୪୩ ହଜାର ୪୪୭ ଜଣ ନୂଆ ଓ ବିଏସ୍‌ଏନ୍‌ଏଲ୍‌ ୭୫,୭୬୫ ଜଣ ନୂଆ ଗ୍ରାହକ ଯୋଡ଼ିଛି। ସେହି ସମୟରେ ଏୟାରଟେଲ୍‌ ୮୩,୬୧୫ ଗ୍ରାହକ ହରାଇଥିବା ବେଳେ ଭୋଡାଫୋନ୍ ଆଇଡିଆ ୨୮,୯୯୯ ଜଣ ଗ୍ରାହକ ହରାଇଛି। ରାଜ୍ୟରେ ଏବେ ଜିଓ ପାଖରେ ସର୍ବାଧିକ ୧ କୋଟି ୨୩ ଲକ୍ଷ ୨୫ ହଜାର ୫୮୭ ଜଣ ଗ୍ରାହକ ଥିବା ବେଳେ ଏୟାରଟେଲ୍‌ର ୧ କୋଟି ୧୫ ଲକ୍ଷ ୩୫ ହଜାର ୨୨୬, ଭୋଡା‌ଫୋନ୍ ଆଇଡିଆର ୩୩ ଲକ୍ଷ ୪୧ ହଜାର ୭୯୦ ଓ ବିଏସ୍‌ଏନ୍‌ଏଲ୍‌ର ୬୧ ଲକ୍ଷ ୭୫ ହଜାର ୭୬୮ ଜଣ ଗ୍ରାହକ ଅଛନ୍ତି। ରାଜ୍ୟରେ ଏବେ ପ୍ରତି ୧୦୦ ଜଣରେ ପ୍ରାୟ ୭୭ ଜଣଙ୍କ ପାଖରେ ମୋବାଇଲ୍ ଫୋନ୍ ରହିଛି। ଏବେବି ଓଡ଼ିଶା ଟେଲି ସାନ୍ଦ୍ରତା ଜାତୀୟ ହାର ୮୭.୬୬ ପ୍ରତିଶତ ଠାରୁ କମ୍ ରହିଛି। ଗତ ଫେବ୍ରୁଆରିରେ ରାଜ୍ୟରେ ୯.୫୭ ନିୟୁତ ଗ୍ରାହକ ନିଜର ନମ୍ବରକୁ ପୋର୍ଟ କରିବାକୁ ଆବେଦନ କରିଥିଲେ। ଓଡ଼ିଶାରେ ଏବେବି ୨ ଲକ୍ଷ ୧୦ ହଜାର ୫୧୦ ଲ୍ୟାଣ୍ଡ୍‌ଲାଇନ୍ ଗ୍ରାହକ ଅଛନ୍ତି। ଗତ ଜାନୁଆରି ତୁଳନାରେ ଫେବ୍ରୁଆରିରେ ଲ୍ୟାଣ୍ଡ୍‌ଲାଇନ୍ ଗ୍ରାହକ ସଂଖ୍ୟା ୯୬୭ ହ୍ରାସ ପାଇଛି।

ସମ୍ବନ୍ଧିତ ଖବର