ଭୁବନେଶ୍ବର: ସୂଚନା ପ୍ରଯୁକ୍ତି କ୍ଷେତ୍ରରେ ଓଡ଼ିଶା ନିଜ ସଫଳତାରେ ଆଉ ଏକ ଫର୍ଦ ଯୋଡ଼ିବାକୁ ଯାଉଛି। ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ପ୍ରମୁଖ ଆଇଟି କମ୍ପାନି ଯଥା ଇନ୍ଫୋସିସ୍, ଟିସିଏସ୍, ମାଇଣ୍ଡ୍ଟ୍ରି, ଟେକ୍ ମହିନ୍ଦ୍ରା, କଗ୍ନିଜାଣ୍ଟ, ଆକ୍ସେଞ୍ଚର ଆଦିକୁ ଆକୃଷ୍ଟ କରିବା ପରେ ଆହୁରି ଅଧିକରୁ ଅଧିକ କମ୍ପାନିଙ୍କୁ ରାଜ୍ୟକୁ ଆଣିବା ଲାଗି ଯୋଜନା ହୋଇଛି। ଆଇଟି କ୍ଷେତ୍ରର ବିକାଶରେ ଇନଫୋଭ୍ୟାଲିର ଗୁରୁତ୍ବପୂର୍ଣ୍ଣ ଯୋଗଦାନ ରହିଥିବା ବେଳେ ସହରର ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ସମାନ ଧରଣର ବିକାଶ ଲାଗି ଉଦ୍ୟମ ଆରମ୍ଭ ହୋଇଛି। ସତ୍ୟନଗରଠାରେ ଏକ ନୂଆ ଆଇଟି ଟାୱାର ସ୍ଥାପନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।
ଓଡ଼ିଶା ବ୍ରିଜ୍ କନଷ୍ଟ୍ରକ୍ସନ କର୍ପୋରେସନ ଲିମିଟେଡ୍କୁ ନୂଆ ଆଇଟି ଟାୱାର ବିକାଶ କରିବା ଦାୟିତ୍ବ ଦିଆଯାଇଛି। ଏହା ଟେଣ୍ଡର ପ୍ରକ୍ରିୟା ମଧ୍ୟ ଆରମ୍ଭ କରିଛି। ପ୍ରସ୍ତାବିତ ଆଇଟି ଟାୱାରରେ ଆଇଟି କମ୍ପାନିଗୁଡ଼ିକ ଲାଗି ସମ୍ପୂର୍ଣ୍ଣ କାର୍ଯ୍ୟାଳୟ କ୍ଷେତ୍ର ବିକାଶ କରାଯିବ। ପ୍ରାୟ ୬ ଏକର ଜମିରେ ବିକାଶ ହେବାକୁ ଥିବା ଏହି ଆଇଟି ଟାୱାର ହେବ ଏକ ୩୪ ମହଲା କୋଠା ଯେଉଁଥିରେ ଗାଡ଼ି ପାଇଁ ବ୍ୟାପକ ପାର୍କିଂ ସୁବିଧା ଓ ଅନ୍ୟାନ୍ୟ ସୁବିଧାସୁଯୋଗ ରହିବ। ପାଖାପାଖି ୮୦୦୦ କର୍ମଚାରୀ କାମ କରିପାରିବା ଭଳି ବ୍ୟବସ୍ଥା ବିକାଶ କରିବାକୁ ଯୋଜନା ହୋଇଛି। ତିନିଟି ବେସ୍ମେଣ୍ଟ୍ରେ ୨୦୦୦ କାର୍ ପାର୍କିଂ ଲାଗି ବ୍ୟବସ୍ଥା ରହିବ। ଗ୍ରାଉଣ୍ଡ ଓ ପ୍ରଥମ ମହଲାରେ ଅଭ୍ୟର୍ଥନା କକ୍ଷ, ଲବି ଭଳି ସୁବିଧାସୁଯୋଗ ରହିବ।