ମୁମ୍ବାଇ: ମୋଟ ଘରୋଇ ଉତ୍ପାଦ (ଜିଡିପି) ହିସାବ ପାଇଁ ଗ୍ରହଣ କରାଯାଇଥିବା ପଦ୍ଧତିକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଥମି ନଥିବା ବେଳେ ଆଉ ଏକ ହିସାବ ପଦ୍ଧତିକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଭାରତୀୟ ରିଜର୍ଭ ବ୍ୟାଙ୍କର ମୁଦ୍ରାନୀତି କମିଟିର ସଦସ୍ୟ ଥିବା ରବିନ୍ଦ୍ର ଢୋଲକିଆ ଏହି ପ୍ରଶ୍ନ ଉଠାଇଛନ୍ତି। ମୁଦ୍ରାସ୍ଫୀତି ହିସାବ ପଦ୍ଧତିକୁ ସେ ପୁରୁଣାକାଳିଆ ବୋଲି କହିଛନ୍ତି।
ସେ କହିଛନ୍ତି ଯେ, ବିକାଶଶୀଳ ଦେଶଗୁଡ଼ିକରେ ଯେଉଁ ପଦ୍ଧତିରେ ମୁଦ୍ରାସ୍ଫୀତି ହିସାବ କରାଯାଉଛି, ସେଭଳି ପଦ୍ଧତି ଭାରତରେ ମଧ୍ୟ ଗ୍ରହଣ କରାଯିବା ଦରକାର। ଏହା ହେଲେ ମୁଦ୍ରାସ୍ଫୀତିର ପ୍ରକୃତ ଚିତ୍ର ସାମ୍ନାକୁ ଆସିବ। ବିଭିନ୍ନ ସାମଗ୍ରୀ କିମ୍ବା ସେବାର ଦରରେ ହେଉଥିବା ହ୍ରାସ ଓ ବୃଦ୍ଧିକୁ ମୁଦ୍ରାସ୍ଫୀତି ଜରିଆରେ ପ୍ରଦର୍ଶିତ କରାଯାଏ। ମୁଦ୍ରାସ୍ଫୀତିରେ ବୃଦ୍ଧିର ଅର୍ଥ ହେଉଛି ଦରଦାମ୍ରେ ବୃଦ୍ଧି ହୋଇଛି। ତେଣୁ ଦରଦାମ୍କୁ କମ୍ କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ପଦକ୍ଷେପ ଗ୍ରହଣ କରିଥାନ୍ତି।
ଇକୋନମିକ୍ ଆଣ୍ଡ୍ ପଲିଟିକାଲ୍ ୱିକ୍ଲିରେ ଢୋଲକିଆ ଲେଖିଛନ୍ତି ଯେ, ମୁଦ୍ରାସ୍ଫୀତି ହିସାବ କରିବା ପାଇଁ ସରକାର ଯେଉଁ ପଦ୍ଧତି ଗ୍ରହଣ କରୁଛନ୍ତି କିମ୍ବା ମୁଦ୍ରାସ୍ଫୀତି ଆକଳନ କରିବା ପାଇଁ ରିଜର୍ଭ ବ୍ୟାଙ୍କ ଯେଉଁ ସର୍ଭେ କରୁଛି, ସେହି ପଦ୍ଧତି ବଦଳିବା ଦରକାର। ଯେଉଁ ଦେଶରେ ମୁଦ୍ରାସ୍ଫୀତିକୁ ଲକ୍ଷ୍ୟରେ ରଖି ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି, ସେଠାରେ ମୁଦ୍ରାସ୍ଫୀତିର ସମ୍ପୂର୍ଣ୍ଣ ସଠିକ୍ ଚିତ୍ର ଆସିବା ଦରକାର। ଯଦି ମୁଦ୍ରାସ୍ଫୀତିକୁ ଠିକ୍ ଭାବେ ହିସାବ କରାଯାଉନଥିବେ ତେବେ ତାହାକୁ ନିୟନ୍ତ୍ରଣରେ ରଖିବା ପାଇଁ ଗ୍ରହଣ କରାଯାଉଥିବା ପଦକ୍ଷେପଗୁଡ଼ିକର ଲାଭ ମିଳିବ ନାହିଁ। ବିକାଶଶୀଳ ଦେଶଗୁଡ଼ିକରେ ମୁଦ୍ରାସ୍ଫୀତି ହିସାବ ପାଇଁ ‘ଚେନ୍ ୱେଟ୍ ଇଣ୍ଡେକ୍ସ’ ପଦ୍ଧତି ବ୍ୟବହାର କରାଯାଉଛି। ତାହାକୁ ସେ ଆଧୁନିକ ହିସାବ ପଦ୍ଧତି ବୋଲି କହିଛନ୍ତି। ଭାରତରେ ଗ୍ରହଣ କରାଯାଉଥିବା ‘ଫିକ୍ସଡ୍ ବେସ୍ ୱେଟ୍ ଇଣ୍ଡେକ୍ସ’ ପଦ୍ଧତିକୁ ସେ ପୁରୁଣାକାଳିଆ ବୋଲି କହିଛନ୍ତି।
ଭାରତୀୟ ରିଜର୍ଭ ବ୍ୟାଙ୍କ ମୁଦ୍ରାସ୍ଫୀତି ତଥ୍ୟ ଜାରି କରିଥାଏ। ସବୁବେଳେ ସରକାରଙ୍କ ଭାଷା କହୁଥିବା ଢୋଲକିଆ ମୁଦ୍ରାସ୍ଫୀତି ହିସାବ ପଦ୍ଧତି ଉପରେ ପ୍ରଶ୍ନ ଉଠାଇବା ପରେ ରିଜର୍ଭ ବ୍ୟାଙ୍କର ଆଉ ଏକ କ୍ଷମତା ହରଣ କରିବାକୁ ପ୍ରୟାସ ଆରମ୍ଭ ହୋଇଯାଇଥିବା ଅନୁମାନ କରାଯାଉଛି। ସୁଧ ହାର ନିର୍ଧାରଣକୁ ନେଇ ପୂର୍ବରୁ ରିଜର୍ଭ ବ୍ୟାଙ୍କର ଯେଉଁ କ୍ଷମତା ଥିଲା ତାହାକୁ ସରକାର ମୁଦ୍ରାନୀତି କମିଟି ଗଠନ କରି ଅଧା ହରଣ କରିନେଇଛନ୍ତି।
ଟାର୍ଗେଟ୍ରେ ଆଉ ଏକ ହିସାବ
/sambad/media/post_attachments/wp-content/uploads/2018/12/letter-1.bmp)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)