ନୂଆ ବନାମ ପୁରୁଣା ସ୍ଲାବ୍‌: ୧୫ ଲକ୍ଷ ଆୟରେ, ୧.୯୫ ଲକ୍ଷ ଟିକସ

ନୂଆଦିଲ୍ଲୀ: ଚଳିତ ବର୍ଷ ବଜେଟ୍‌ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆୟକରର ନୂଆ ସ୍ଲାବ୍ ଘୋଷଣା କରିଛନ୍ତି। ଉଭୟ ପୁରୁଣା ଏବଂ ନୂଆ ସ୍ଲାବ୍ ଜାରି ରହିବ ଓ ଟିକସଦାତାମାନେ ନିଜକୁ ସୁହାଇବା ଭଳି ସ୍ଲାବ୍‌କୁ ଗ୍ରହଣ କରିପାରିବେ ବୋଲି ବଜେଟ୍‌ରେ ବିକଳ୍ପ ପ୍ରଦାନ କରାଯାଇଛି। ଏକ ହିସାବରୁ ଜଣାପଡ଼ିଛି ଯେ, ନୂଆ ବିକଳ୍ପକୁ ଯଦି ଟିକସଦାତାମାନେ ଚୟନ କରିବେ ତେବେ ବାର୍ଷିକ ୧୫ ଲକ୍ଷ ଟଙ୍କାର ଆୟ ଉପରେ ତାଙ୍କୁ ୧ ଲକ୍ଷ ୯୫ ହଜାର ଟଙ୍କାର ଟିକସ ଦେବାକୁ ପଡ଼ିବ। କିନ୍ତୁ, ଏଥିପାଇଁ ତାଙ୍କୁ ସବୁ ପ୍ରକାର ଛାଡ଼ ଏବଂ ଡିଡକ୍ସନ (କାଟ)କୁ ପରିହାର କରିବାକୁ ହେବ। ଯଦି ଏହି ଟିକସଦାତା ଜଣକ ଛାଡ଼ ଓ ଡିଡକ୍ସନକୁ ଗ୍ରହଣ କରି ପୁରୁଣା ସ୍ଲାବ୍‌କୁ ଚୟନ କରିବେ ତେବେ ତାଙ୍କୁ ୨ ଲକ୍ଷ ୭୩ ହଜାର ଟଙ୍କାର ଟିକସ ଗଣିବାକୁ ପଡ଼ିବ। ଅର୍ଥାତ, ପରୁଣା ବଦଳରେ ଯଦି ନୂତନ ସ୍ଲାବ୍‌କୁ ଚୟନ କରାଯିବ ତେବେ ବାର୍ଷିକ ୧୫ ଲକ୍ଷ ଟଙ୍କା ଆୟ କରୁଥିବା ଲୋକମାନଙ୍କ ଆୟକର ବୋଝ ୭୮ ହଜାର ଟଙ୍କା କମିଯିବ। ଏକ ହିସାବରୁ ଜଣାପଡ଼ିଛି ଯେ ବାର୍ଷିକ ୮ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରୁଥିବା ଲୋକମାନଙ୍କ ପାଇଁ ପୁରୁଣା ସ୍ଲାବ୍ ଅନୁସାରେ ଆୟକର ପଇଠ କରିବା ଅଧିକ ଲାଭଦାୟକ ହେବ। ଏହି ପର୍ଯ୍ୟନ୍ତ ଆୟ ଉପରେ ନୂଆ ସ୍ଲାବ୍ ଅନୁସାରେ ଅଧିକ ଟିକସ ଗଣିବାକୁ ପଡ଼ିବ। କିନ୍ତୁ ବର୍ଷକୁ ୮ ଲକ୍ଷ ଟଙ୍କାରୁ ଅଧିକ ଆୟ କରୁଥିବା ଲୋକମାନେ ନୂଆ ସ୍ଲାବ୍ ଅନୁସାରେ ଟିକସ ପଇଠ କଲେ ଅଧିକ ଲାଭବାନ ହେବେ। ପ୍ରତି ଏକ ଲକ୍ଷ ଟଙ୍କାର ଅତିରିକ୍ତ ଆୟ ଉପରେ ଟିକସ ସଞ୍ଚୟ ପରିମାଣ ବୃଦ୍ଧି ପାଇବ ବୋଲି ଏହି ହିସାବରୁ ଜଣାପଡ଼ିଛି। ନୂଆ ଆୟକର ସ୍ଲାବ୍‌କୁ ଇଚ୍ଛାଧୀନ କରାଯାଇଥିବା ବେଳେ ଏଥିପାଇଁ କିଛିଟା ସର୍ତ୍ତ ମଧ୍ୟ ରଖାଯାଇଛି। ଆୟକର ହିସାବ ବେଳେ ପ୍ରଦାନ କରାଯାଉଥିବା ୧୦୦ ପ୍ରକାର ଛାଡ଼ ଏବଂ କାଟ ସଂଖ୍ୟାକୁ ହ୍ରାସ କରି ୩୦ କରିବାକୁ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି। ଅର୍ଥାତ ଏବେ ଯେଉଁ ୭୦ ପ୍ରକାର ଛାଡ଼ ଓ କାଟର ସୁବିଧା ମିଳୁଛି ତାହା ସମ୍ପୂର୍ଣ୍ଣ ବନ୍ଦ ହୋଇଯିବ।

ସମ୍ବନ୍ଧିତ ଖବର