ହ୍ଵାଟସ୍‌ଆପ୍‌ ବାର୍ତାର ସତ୍ୟତା ଜଣାଇବ ନୂଆ ଆପ୍‌

ନୂଆଦିଲ୍ଲୀ: ହ୍ଵାଟସ୍‌ଆପ୍‌ରେ ଅନେକ ମିଥ୍ୟା ଖବର ପ୍ରଚାରିତ ହେଉଛି। ଏହାକୁ ନେଇ ଦେଶରେ ହିଂସାକାଣ୍ଡ ମଧ୍ୟ ହେଉଛି। ମିଥ୍ୟା ଖବର ପ୍ରଚାରକୁ ରୋକିବା ପାଇଁ ଅନେକ ପ୍ରୟାସ କରାଯାଉଥିଲେ ମଧ୍ୟ ତାହାର ସୁଫଳ ମିଳିପାରୁନାହିଁ। ମିଥ୍ୟା ଖବରଗୁଡ଼ିକର ସଂଖ୍ୟା କମୁନାହିଁ। ଏହି ସ୍ଥିତିକୁ ନଜରରେ ରଖି ଦିଲ୍ଲୀର ଏକ ଅନୁଷ୍ଠାନର କିଛି ବିଶେଷଜ୍ଞ ମିଶି ଏକ ନୂଆ ଆପ୍‌ ବିକଶିତ କରୁଛନ୍ତି। ହ୍ଵାଟସ୍‌ଆପ୍‌ରେ ଆସୁଥିବା ବାର୍ତା ସତ ନା ମିଛି ତାହା ଏହି ଆପ୍‌ ଲୋକମାନଙ୍କୁ ଜଣାଇବ। ଇନ୍ଦ୍ରପ୍ରସ୍ଥ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇନ୍‌ଫର୍ମେସନ୍‌ ଟେକ୍ନୋଲୋଜି-ଦିଲ୍ଲୀ (ଆଇଆଇଆଇଟି-ଡି)ର ବିଶେଷଜ୍ଞମାନେ ଏହି ଆପ୍‌ ବିକଶିତ କରୁଛନ୍ତି। ଅନୁଷ୍ଠାନର କମ୍ପ୍ୟୁଟର ସାଇନ୍ସ ବିଭାଗର ସହକାରୀ ପ୍ରଫେସର ପି କୁମାରଗୁରୁ କହିଛନ୍ତି ଯେ, ଆମେ ବିପୁଳ ପରିମାଣର ତଥ୍ୟ ସଂଗ୍ରହ କରୁଛୁ। ୯୩୫୪୩ ୨୫୭୦୦ ନମ୍ବରରେ ମେସେଜ୍‌ ପଠାଇବା ପାଇଁ ଲୋକମାନଙ୍କୁ କହୁଛୁ। ସେହି ମେସେଜ୍‌ଗୁଡ଼ିକୁ ବିଭିନ୍ନ ଦିଗରୁ ଅନୁଧ୍ୟାନ କରାଯିବା ପରେ ସେଗୁଡ଼ିକୁ ବିଭିନ୍ନ କଲର୍‌ କୋଡ୍‌ ପ୍ରଦାନ କରୁଛୁ। ସବୁଜ ରଙ୍ଗର କୋଡ୍‌ ଥିବା ମେସେଜ୍‌ଗୁଡ଼ିକ ସମ୍ପୂର୍ଣ୍ଣ ସତ। ହଳଦିଆ ରଙ୍ଗର କୋଡ୍‌ ଥିବା ମେସେଜ୍‌ ଦ୍ୱନ୍ଦ୍ୱାତ୍ମକ। ତାହା ସତ କି ମିଛ ଜାଣି ହେଉନାହିଁ। ଲାଲ୍‌ ରଙ୍ଗର କୋଡ୍‌ ମିଳିଥିବା ମେସେଜ୍‌ଗୁଡ଼ିକ ମିଥ୍ୟା ଖବର। ଏହି ନୂତନ ଆପ୍‌ ଦୁଇ ମାସ ଭିତରେ ପ୍ରସ୍ତୁତ ହୋଇଯିବ ବୋଲି ଶ୍ରୀ କୁମାରଗୁରୁ କହିଛନ୍ତି।

ସମ୍ବନ୍ଧିତ ଖବର