ନୂଆଦିଲ୍ଲୀ: ଟ୍ବିଟରର ବିକଳ୍ପ ଭାବେ ଆବିର୍ଭାବ ହୋଇଥିବା ଇନଷ୍ଟାଗ୍ରାମ୍‌ର ନୂଆ ଆପ୍‌ ‘ଥ୍ରେଡ୍‌ସ’ ୧୫ ଦିନ ଭିତରେ ଏହାର ଚମକ ହରାଇଛି। ଏହାର ପ୍ଲାଟଫର୍ମରେ ଦୈନିକ ପ୍ରବେଶ କରୁଥିବା ଲୋକଙ୍କ ସଂଖ୍ୟାରେ ୭୦ ପ୍ରତିଶତ ହ୍ରାସ ଘଟିଛି। ଚଳିତ ମାସ ୭ରେ ଥ୍ରେଡ୍‌ସକୁ ଦୈନିକ ୪.୪ କୋଟି ଲୋକ ବ୍ୟବହାର କରୁଥିଲେ। ଏବେ ସେହି ସଂଖ୍ୟା ୧.୩ କୋଟିକୁ ହ୍ରାସ ପାଇଛି। ଏହି ନୂଆ ଆପ୍ ଆସିବା ପରେ ଲୋକମାନେ ହାରାହାରି ଭାବେ ଦୈନିକ ୧୯ ମିନିଟ୍ ବିତାଉଥିଲେ। ଏବେ ଚାରି ମିନିଟ୍‌ରୁ ଅଧିକ ସମୟ ଲୋକମାନେ ‌ଥ୍ରେଡ୍‌ସରେ ରହୁନାହାନ୍ତି।

Advertisment

ଚଳିତ ମାସ ୫ରେ ଥ୍ରେଡ୍‌ସ ଉନ୍ମୋଚିତ ହୋଇଥିଲା। ସପ୍ତାହକ ଭିତରେ ଏହାର ବ୍ୟବହାରକାରୀ ସଂଖ୍ୟ‌ା ୧୦ କୋଟିରୁ ଅଧିକ ହୋଇଯାଇଥିଲା। ଏବେ ଏଥିରେ ୨୦ କୋଟି ସକ୍ରିୟ ଆକାଉଣ୍ଟ୍‌ ରହିଛି। ଥ୍ରେଡ୍‌ସରେ ଟ୍ବିଟର ଭଳି ବହୁ ସୁବିଧା ନାହିଁ। ସେଥିରେ ଚର୍ଚ୍ଚିତ ବିଷୟବସ୍ତୁ ପ୍ରଦର୍ଶିତ ହେଉନାହିଁ। କୌଣସି ବିଷୟକୁ ସର୍ଚ୍ଚ କରାଯାଇପାରୁନି। ଖବର ଓ ସୂଚନାର ଏକ ବଳିଷ୍ଠ ମାଧ୍ୟମ ଭାବେ ଟ୍ବିଟର ଗ୍ରହଣୀୟ ହୋଇଥିବା ବେଳେ ଥ୍ରେଡ୍‌ସ ‌ସେହି ଚାହିଦା ପୂରଣ କରିପାରୁନି।