ନୂଆ ନିଯୁକ୍ତି:ଏନ୍‌ କେ ସିଂହ ପଞ୍ଚଦଶ ଅର୍ଥ ଆୟୋଗର ମୁଖ୍ୟ

ନୂଆଦିଲ୍ଲୀ, : ଯୋଜନା କମିସନର ପୂର୍ବତନ ସଦସ୍ୟ ତଥା ପୂର୍ବତନ ବ୍ୟୟ ଏବଂ ରାଜସ୍ୱ ସଚିବ ଏନ୍‌ କେ ସିଂହଙ୍କୁ ପଞ୍ଚଦଶ ଅର୍ଥ ଆୟୋଗର ମୁଖ୍ୟ ଭାବେ ନିଯୁକ୍ତ କରାଯାଇଛି। ଆୟୋଗର ସଦସ୍ୟ ଭାବେ ପୂର୍ବତନ ଅର୍ଥନୈତିକ ବ୍ୟାପାର ସଚିବ ଶକ୍ତିକାନ୍ତ ଦାସ, ଜର୍ଜଟାଉନ୍‌ ବିଶ୍ୱବିଦ୍ୟାଳୟର ପ୍ରଫେସର ଅନୂପ ସିଂହ, ବନ୍ଧନ ବ୍ୟାଙ୍କର ଅଣ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଅଶୋକ ଲାହିରି ଏବଂ ନିତି ଆୟୋଗର ସଦସ୍ୟ ରମେଶ ଚାନ୍ଦଙ୍କୁ ନିଯୁକ୍ତ କରାଯାଇଛି। ଆୟୋଗର ସଚିବ ଭାବେ ଅରବିନ୍ଦ ମେହତା କାର୍ଯ୍ୟ କରିବେ। ପଞ୍ଚଦଶ ଅର୍ଥ ଆୟୋଗ ଯେଉଁ ସୁପାରିସ ପ୍ରଦାନ କରିବେ ତାହା ୨୦୨୦ ଏପ୍ରିଲ୍‌ ୧ରୁ ଲାଗୁ କରାଯିବ। ପଞ୍ଚଦଶ ଅର୍ଥ ଆୟୋଗ ଗଠନ କରିବା ପାଇଁ ଚଳିତ ବର୍ଷ ବଜେଟ୍‌ରେ ୧୦ କୋଟି ଟଙ୍କାର ବ୍ୟବସ୍ଥା ରହିଛି। ଏନ୍‌ କେ ସିଂହ ହେଉଛନ୍ତି ବିହାରର ରାଜ୍ୟସଭା ସଦସ୍ୟ। ତାଙ୍କ ନେତୃତ୍ୱରେ ପୂର୍ବରୁ ବିତ୍ତୀୟ ଦାୟିତ୍ୱ ଏବଂ ବଜେଟ୍‌ ପରିଚାଳନା କମିଟି ଗଠନ କରାଯାଇଥିଲା ଯାହାର ସୁପାରିସକୁ ସରକାର ଏ ପର୍ଯ୍ୟନ୍ତ ଲାଗୁ କରିନାହାନ୍ତି।

ସମ୍ବନ୍ଧିତ ଖବର