ନୂଆ ରୂପରେ ରାସ୍ତାକୁ ଓହ୍ଲାଇବ ବଜାଜ୍ ଚେତକ : ପେଟ୍ରୋଲ ନୁହେଁ ବ୍ୟାଟେରିରେ ଚାଲିବ, ୭୦ହଜାର କିଲୋମିଟର ପରେ ବଦଳିବ ବ୍ୟାଟେରି

ମୁମ୍ବାଇ : ୧୪ ବର୍ଷର  ବ୍ୟବଧାନ ପ‌ରେ ପୁଣି ରାସ୍ତାକୁ ଫେରୁଛି ଲୋକପ୍ରିୟ ସ୍କୁଟର ଚେତକ । ନୂଆ ଟେକ୍ନଲଜିରେ ତିଆରି ଚେତକ ବଜାରକୁ ପ୍ରବେଶ କରୁଛି । ପେଟ୍ରୋଲ ନୁହେଁ ବ୍ୟାଟେରି  ଚାର୍ଜ କଲେ ଚାଲିବ ଚେତକ । ବଜାଜ କମ୍ପାନି ୧୪ ବର୍ଷ ପରେ ଚେତକର ଏହି ନୂଆ ସ୍କୁଟର ଇଲେକଟ୍ରିକ ଭର୍ସନର ବଜାରକୁ ଛାଡ଼ିଛନ୍ତି।

ମଙ୍ଗଳବାର ବଜାଜ କମ୍ପାନି ଚେତକ ଲଞ୍ଚ କରିଛି । ଏହାର ମୂଲ୍ୟ ୧ ଲକ୍ଷ ଟଙ୍କାରୁ ଅଧିକ ରହିଥିବା ବେଳେ ୧୫ ଜାନୁଆରିରୁ ଏହାର ବୁକିଂ ଆରମ୍ଭ ହେବ । ମାତ୍ର ୨ ହଜାର ଟଙ୍କା ଦେଇ କମ୍ପାନିର ୱେବସାଇଟରେ ଏହି ନୂଆ ମଡେଲର ବୁକିଂ କରିପାରିବେ ଗ୍ରାହକ । ପ୍ରଥମେ ପୁଣେରେ ଏହାର ବିକ୍ରି ଆରମ୍ଭ କରିବ କମ୍ପାନି । ଏହାପରେ ବାଙ୍ଗାଲୋର ସମେତ ଦେଶର ଅନ୍ୟ ସହରରେ ମଧ୍ୟ ଚେତକ ସ୍କୁଟର ଉପଲବ୍ଧ ହେବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି । ଉଭୟ ଅନଲାଇନ ଓ ଅଫଲାଇନ ମାଧ୍ୟମରେ ଗ୍ରାହକ  ଚେତକ ସ୍କୁଟର ବୁକିଂ କରିପାରିବେ ।

ବଜାଜ ଚେତକ ଇଲେକଟ୍ରିକ ସ୍କୁଟର ଇକୋ ଓ ସ୍ପୋର୍ଟ ମଡେଲର ରହିଥିବା ବେଳେ ଇକୋ ମୋଡରେ ଏହା ୯୫ କିଲୋମିଟର ଓ ସ୍ପୋର୍ଟ ମୋଡରେ ଏହା ୮୫ କିଲୋମିଟର ଯାଇପାରିବ।ପେଟ୍ରୋଲ ପମ୍ପ ଆଉଟଷ୍ଟେସନ ଛଡା ଘରେ ମଧ୍ୟ ଏହାକୁ ଚାର୍ଜ କରାଯାଇପାରିବ । ୭୦ ହଜାର କିଲୋମିଟର ପର୍ଯ୍ୟନ୍ତ ଏହାର ପ୍ରଥମ ବ୍ୟାଟେରି କାର୍ଯ୍ୟ କରିବ । ବର୍ଷକୁ ଥରେ ମାତ୍ର କରିବାକୁ ପଡିବ ସର୍ଭିସିଂ । ତେବେ ୧୨ ହଜାରରୁ ଅଧିକ କିଲୋମିଟର ଯାତ୍ରା କଲେ ବର୍ଷକ ପୂର୍ବରୁ ସର୍ଭିସିଂ କରିବାକୁ ପଡିବ ।

୧୯୭୨ରେ ବଜାଜ ଚେତକ ଲଞ୍ଚ କରିଥିଲା । ପ୍ରାୟ ୩ ଦଶକ ଧରି ଭାରତୀୟ ବଜାରରେ ଦବଦବା ଦେଖାଇଥିଲା ଚେତକ । ତେବେ ବଜାରକୁ ବିଭିନ୍ନ କମ୍ପାନିର ନୂଆ ମଡେଲର ବାଇକ ଆସିବାରୁ ଚେତକର ଚାହିଦା କମିଥିଲା । ତେଣୁ ୨୦୦୬ରେ ଚେତକ ସ୍କୁଟର ବିକ୍ରି ବନ୍ଦ କରିଥିଲା ବଜାଜ କମ୍ପାନି । କାରଣ ଗତ କିଛି ବର୍ଷ ହେବ ବଜାଜ କମ୍ପାନି ବାଇକ ନିର୍ମାଣ ଉପରେ ଫୋକସ କରିଥିଲା । ଖାସକରି ବଜାଜର ପଲସର ମଡେଲ ବାଇକକୁ ଯୁବଗୋଷ୍ଠୀ ବେଶ ପସନ୍ଦ ମଧ୍ୟ କରିଥିଲେ । କିନ୍ତୁ ଏବେ ଇଲେକଟ୍ରିକ ସ୍କୁଟର ସହ ପୁଣିଥରେ ବଜାରରେ ପ୍ରବେଶ କରିଛି ବଜାଜ।

ସମ୍ବନ୍ଧିତ ଖବର