ଆସିଲା ନୂଆ କାର୍‌, ଟାଟାର ନୂଆ ଏସ୍‌ୟୁଭି ‘ହାରିୟର’

ମାରୁତିର ନୂଆ ୱାଗନ୍‌ଆର୍‌
ମାରୁତି ସୁଜୁକି ପକ୍ଷରୁ ଏହାର ଲୋକପ୍ରିୟ କାର୍‌ ୱାଗନ୍‌ଆର୍‌ର ନୂତନ ମଡେଲ୍‌କୁ ଉନ୍ମୋଚନ କରାଯାଇଛି। ଏହାର ମୂଲ୍ୟ ୪ ଲକ୍ଷ ୧୯ ହଜାର ଟଙ୍କାରୁ ଆରମ୍ଭ ହୋଇଛି। ଏହା ଏଲଏକ୍ସଆଇ, ଭିଏକ୍ସଆଇ ଏବଂ ଜେଡ୍‌ଏକ୍ସଆଇ ଭଳି ତିନିଟି ଭାରିଆଣ୍ଟ୍‌ରେ ଉପଲବ୍ଧ ହେବ। ଦୁଇ ପ୍ରକାର ପେଟ୍ରୋଲ୍ ଇଞ୍ଜିନ ଏବଂ ଅଟୋମେଟିକ୍ ଭର୍ସନରେ ମଧ୍ୟ ଏହା ଉପଲବ୍ଧ ହେବ। ବଜାରରେ ଏହା ହୁଣ୍ଡାଇ ସାଣ୍ଟ୍ରୋ ଏବଂ ଟାଟା ଟିଆଗୋ ସହ ପ୍ରତିଦ୍ବନ୍ଦ୍ବିତା କରିବ। ୱାଗନ୍‌ଆର୍‌ର ଏହା ହେଉଛି ତୃତୀୟ ପିଢ଼ି ମଡେଲ୍‌। ଏହାର ଭିତର ଓ ବାହାର ପାର୍ଶ୍ବରେ କେତେକ ଆକର୍ଷଣୀୟ ପରିବର୍ତ୍ତନ କରାଯାଇଛି। ଏଥିରେ ନୂଆ ଟଚ୍‌ସ୍କ୍ରିନ୍ ଇନ୍‌ଫୋଟେନ୍‌ମେଣ୍ଟ୍ ବ୍ୟବସ୍ଥା ମଧ୍ୟ ରହିଛି।

ଟାଟାର ନୂଆ ଏସ୍‌ୟୁଭି ‘ହାରିୟର’
ଟାଟା ମୋଟର୍ସ ପକ୍ଷରୁ ଏହାର ବହୁ ପ୍ରତିକ୍ଷୀତ ଏସ୍‌ୟୁଭି ହାରିୟରକୁ ଉନ୍ମୋଚନ କରାଯାଇଛି। ଏହାର ମୂଲ୍ୟ ୧୨ ଲକ୍ଷ ୬୯ ହଜାର ଟଙ୍କାରୁ ଆରମ୍ଭ ହୋଇଛି। ରେଞ୍ଜ ରୋଭର୍‌ରୁ ଅନୁପ୍ରାଣିତ ହୋଇ ଟାଟା ମୋଟର୍ସ ଏହି ଏସ୍‌ୟୁଭିକୁ ବିକଶିତ କରିଛି। କଂପାନିର ଏହା ହେଉଛି ଆଜି ପର୍ଯ୍ୟନ୍ତର ସବୁଠୁ ବିଳାସପୂର୍ଣ୍ଣ କାର। ଏଥିରେ ଟର୍ବୋଡିଜେଲ ଇଞ୍ଜିନ ବ୍ୟବହାର କରାଯାଇଛି ଯାହା ଗାଡ଼ିକୁ ବହୁତ ଶକ୍ତିଶାଳୀ କରିପାରିଛି। ଏହା ସହିତ ରହିଛି ୬ ସ୍ପିଡ୍ ମାନୁଆଲ୍ ଟ୍ରାନ୍ସମିସନ୍। ଯେକୌଣସି ପ୍ରକାର ରାସ୍ତା ସହ ଖାପଖୁଆଇ ଏହା ଆଗକୁ ବଢ଼ିପାରିବ। ଏଥିରେ ୮.୮ ଇଞ୍ଚ୍‌ର ଟଚ୍‌ସ୍କ୍ରିନ୍ ଇନ୍‌ଫୋଟେନ୍‌ମେଣ୍ଟ୍‌ ବ୍ୟବସ୍ଥା ରହିଛି। ଏହା ଚାରିଟି ଭାରିଆଣ୍ଟ୍‌ରେ ଉପଲବ୍ଧ ହେବ। ଏଥିରେ ଅନେକ ପ୍ରିମିୟମ୍ ବୈଶିଷ୍ଟ୍ୟ ବ୍ୟବହାର କରାଯାଇଛି।

ନିସାନ୍‌ର ଏସ୍‌ୟୁଭି ‘କିକ୍‌ସ’
ନିସାନ୍ ଇଣ୍ଡିଆ ପକ୍ଷରୁ କୋଲ୍‌କାତା ବଜାରରେ ଏହାର ନୂତନ ଏସ୍‌ୟୁଭି କିକସ୍‌କୁ ଉନ୍ମୋଚନ କରାଯାଇଛି। ଏହାର ଦାମ୍ ୯.୫୫ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇଛି। କଂପାନିର ସଭାପତି ଥୋମାସ୍‌ କୁହେଲ୍ ଏହାକୁ ଉନ୍ମୋଚନ କରିଛନ୍ତି। ଏଥିରେ ଅନେକ ଉତ୍କୃଷ୍ଟ ଏବଂ ବିଶ୍ବସ୍ତରୀୟ ବ୍ୟବସ୍ଥା ରହିଛି।

ବିଏମ୍‌ଡବ୍ଳୁର ଏକ୍ସ୪
ଚେନ୍ନାଇ କାରଖାନାରେ ଉତ୍ପାଦନ କରାଯାଇଥିବା ନୂଆ ବିଏମ୍‌ଡବ୍ଳୁ ଏକ୍ସ୪କୁ କଂପାନି ପକ୍ଷରୁ ଉନ୍ମୋଚନ କରାଯାଇଛି। ଏହା ଉଭୟ ପେଟ୍ରୋଲ ଏବଂ ଡିଜେଲ ଇଞ୍ଜିନ ବିକଳ୍ପରେ ଉପଲବ୍ଧ ହେବ। ବିଏମଡବ୍ଳୁର ସାରା ଦେଶରେ ଥିବା ଡିଲରସିପ୍‌ରେ ଏହା ଉପଲବ୍ଧ ହୋଇଛି। ବିଏମଡବ୍ଳୁ ଗ୍ରୁପ ଇଣ୍ଡିଆର ସଭାପତି ଡକ୍ଟର ହାନ୍ସ-ଖ୍ରିଷ୍ଟିଆନ୍ ବାଏର୍ଟେଲ୍ ଏହାକୁ ଉନ୍ମୋଚନ କରିଛନ୍ତି। ଏହାର ମୂଲ୍ୟ ୬୦ ଲକ୍ଷ ୬୦ ହଜାର ଟଙ୍କାରୁ ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର