ବଜାରରେ ନୂଆ କାର୍‌

ଅଡି ଆଣିଲା ୩ ନୂଆ କାର୍‌

ନୂଆଦିଲ୍ଲୀ: ବିଳାସପୂର୍ଣ୍ଣ କାର୍‌ ନିର୍ମାତା ଅଡି ଇଣ୍ଡିଆ ପକ୍ଷରୁ ତିନିଟି ନୂଆ କାର୍‌କୁ ଉନ୍ମୋଚନ କରାଯାଇଛି। ତାହା ହେଉଛି ଏ୫ ସ୍ପୋର୍ଟସ୍‌ବ୍ୟାକ୍‌, ଏ୫ କାବ୍ରିଓଲେଟ୍‌ ଏବଂ ଏସ୍‌୫ ସ୍ପୋର୍ଟସ୍‌ବ୍ୟାକ୍‌। ଏ୫ ସ୍ପୋର୍ଟସ୍‌ବ୍ୟାକ୍‌ର ମୂଲ୍ୟ ୫୪ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇଥିବା ବେଳେ ଏ୫ କାବ୍ରିଓଲେଟ୍‌ର ମୂଲ୍ୟ ୬୭.୫୧ ଲକ୍ଷ ଟଙ୍କା ଏବଂ ଏସ୍‌୫ ସ୍ପୋର୍ଟସ୍‌ବ୍ୟାକ୍‌ର ମୂଲ୍ୟ ୭୦.୬୦ ଲକ୍ଷ ଟଙ୍କା ରହିଛି। ଅଡି ପ୍ରଥମ ଥର ପାଇଁ ଭାରତୀୟ ବଜାରରେ ଏ୫ର ଡ୍ରପ୍‌-ଟପ୍‌ ଭର୍ସନ୍‌କୁ ଉନ୍ମୋଚନ କରିଛି।

ଟାଟାର ନୂଆ ଏସ୍‌ୟୁଭି ‘ନେକ୍ସନ୍‌’

ଭୁବନେଶ୍ୱର: ଟାଟା ମୋଟର୍ସ ପକ୍ଷରୁ ନୂଆ ଏସ୍‌ୟୁଭି ଟାଟା ନେକ୍ସନ୍‌କୁ ଉନ୍ମୋଚନ କରାଯାଇଛି। କଂପାନିର ପ୍ରଭାବଶାଳୀ ଡିଜାଇନ୍‌ ଦର୍ଶନର ଏହା ଚତୁର୍ଥ ଉତ୍ପାଦ। ।ଏହା ଚାରିଟି ଭାରିଆଣ୍ଟ୍‌ ଏବଂ ୫ଟି ରଙ୍ଗରେ ଉପଲବ୍ଧ ହେବ। ଭୁବନେଶ୍ୱରରେ ଏହାର ଏକ୍ସ ସୋ’ରୁମ୍‌ ମୂଲ୍ୟ ୫,୯୯,୨୫୮ ଟଙ୍କାରୁ ଆରମ୍ଭ ହୋଇଛି। ଏହା ଉଭୟ ପେଟ୍ରୋଲ୍‌ ଏବଂ ଡିଜେଲ୍‌ ଇଞ୍ଜିନ ବିକଳ୍ପରେ ଉପଲବ୍ଧ ହେଉଛି। କଂପାନି ପକ୍ଷରୁ ରାଉରକେଲା ଏବଂ ସମ୍ବଲପୁର ପାଇଁ ମଧ୍ୟ ଏହାର ମୂଲ୍ୟ ଘୋଷଣା କରାଯାଇଛି। ଏହି ନୂତନ ଏସ୍‌ୟୁଭି ବିଷୟରେ କଂପାନିର ଡିଜାଇନ୍‌ ମୁଖ୍ୟ ପ୍ରତାପ ବୋଷ କହିଛନ୍ତିି ଯେ ଟାଟା ନେକ୍ସନ ଷ୍ଟାଇଲିସ୍‌ ହୋଇଥିବା ବେଳେ ବିଳାସପୂର୍ଣ୍ଣ ମଧ୍ୟ। ଏହା ଜରିଆରେ କଂପାନି ଅଭିବୃଦ୍ଧିରେ ନୂତନ ଅଧ୍ୟାୟ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି।

ମାରୁତି ସୁଜୁକିର ନୂଆ ସେଲେରିଓ

ନୂଆଦିଲ୍ଲୀ: ମାରୁତି ସୁଜୁକି ପକ୍ଷରୁ ନୂଆ ସେଲେରିଓ ଫେସ୍‌ଲିଫ୍ଟକୁ ଉନ୍ମୋଚନ କରାଯାଇଛି। ଏହାର ଏକ୍ସ ସୋ’ରୁମ୍‌ ମୂଲ୍ୟ ୪.୧୫ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇଛି। ଏହାର ଉଭୟ ଭିତର ଏବଂ ବାହାର ପାର୍ଶ୍ୱରେ ଉନ୍ନତି ଅଣାଯାଇଥିବା ବେଳେ ନିରାପତ୍ତା ମାନ ବୃଦ୍ଧି କରାଯାଇଛି। ୨୦୧୪ରେ ବଜାରକୁ ଆସିଥିବା ସେଲେରିଓର ଇତି ମଧ୍ୟରେ ୩ ଲକ୍ଷରୁ ଅଧିକ ୟୁନିଟ୍‌ ବିକ୍ରି ହୋଇସାରିଲାଣି। ଏହା ଥିଲା ଭାରତର ପ୍ରଥମ ଅଟୋମେଟିକ୍‌ ଗିୟର୍‌ କାର୍‌। ଏଥିରେ ଡ୍ରାଇଭର୍‌ ପାର୍ଶ୍ୱ ଏୟାରବ୍ୟାଗ୍‌ ଏବଂ ସିଟ୍‌ ବେଲ୍‌ଟ ରିମାଇଣ୍ଡର ରହିଛି।

 

 

ସମ୍ବନ୍ଧିତ ଖବର