ସାଇବର ଅପରାଧୀଙ୍କ ପାଇଁ ଆକ୍ରମଣର ନୂଆ ସୁଯୋଗ ଆଣିଛି କରୋନା

ସାଇବର ସିକ୍ୟୁରିଟି ପେସାଦାରଙ୍କ ଚାହିଦା ବୃଦ୍ଧି

ନୂଆଦିଲ୍ଲୀ: କୋଭିଡ-୧୯ ମହାମାରୀ ବ୍ୟାପିବା ଫଳରେ ଲୋକମାନେ କାର୍ଯ୍ୟାଳୟକୁ ନଆସି ଘରୁ କାମ କରୁଛନ୍ତି। କର୍ମଚାରୀମାନେ ଅଫିସ୍ ନେଟୱାର୍କ ବାହାରେ ରହି କାମ କରୁଥିବାରୁ ସାଇବର ଅପରାଧୀଙ୍କ ପାଇଁ ଏହା ଆକ୍ରମଣର ନୂଆ ସୁଯୋଗ ସୃଷ୍ଟି କରିଛି। ଗୁଗୁଲ୍‌, ମାଇକ୍ରୋସଫ୍ଟ ଭଳି ଆଇଟି କମ୍ପାନିଙ୍କ ଠାରୁ ଆରମ୍ଭ କରି ଏଫ୍‌ବିଆଇ ଭଳି ଆମେରିକାର ତଦନ୍ତକାରୀ ସଂସ୍ଥା ମଧ୍ୟ ଏ ନେଇ କମ୍ପାନି ଗୁଡ଼ିକୁ ସତର୍କ କରାଇବା ଆରମ୍ଭ କରିଦେଇଛନ୍ତି। ଭାରତରେ ଭିଡିଓ କନଫରେନ୍ସିଂ ପ୍ଲାଟଫର୍ମ ଜୁମ୍‌ର ବ୍ୟବହାର ନେଇ ମଧ୍ୟ ଗୃହ ମନ୍ତ୍ରାଳୟ ଲୋକଙ୍କୁ ସତର୍କ କରାଇ ଦେଇଛି। ଗୁଗୁଲ୍‌ ମଧ୍ୟ ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ୧୮ ନିୟୁତ ମାଲଓୟାର ଏବଂ ଫିସିଂ ଇ-ମେଲ୍‌କୁ ବ୍ଲକ୍‌ କରିଛି। କୋଭିଡ-୧୯ ସହିତ ଜଡ଼ିତ ସ୍ବାସ୍ଥ୍ୟ ସେବା କ୍ଷେତ୍ର ମାଧ୍ୟମରେ ଅପରାଧୀମାନେ ସବୁଠୁ ଅଧିକ ଆକ୍ରମଣ କରିବାକୁ ଉଦ୍ୟମ କରୁଛନ୍ତି। ବିଭିନ୍ନ ଦେଶରେ ବ୍ୟକ୍ତିଗତ ସୁରକ୍ଷା ସରଂଜାମ (ପିପିଇ) ଏବଂ ସାନିଟାଇଜର ଆଦିର ଗୁରୁତର ଅଭାବ ଦେଖାଦେଇଥିବାରୁ ଆକ୍ରମଣକାରୀମାନେ ଏହାର ସୁଯୋଗ ନେଉଛନ୍ତି। ଏହା ପଛକୁ ବ୍ୟାଙ୍କ, ଆର୍ଥିକ କ୍ଷେତ୍ର ଏବଂ ଶିକ୍ଷା ଆଦି ରହୁଛି। କରୋନା ପାଇଁ ବିଭିନ୍ନ ଦେଶର ସରକାର ଲୋକଙ୍କ ପାଇଁ ବିଭିନ୍ନ ପ୍ୟାକେଜ ଘୋଷଣା କରିଛନ୍ତି। ‌ସେମାନଙ୍କ ଆକାଉଣ୍ଟକୁ ଟଙ୍କା ପଠାଉଛନ୍ତି। ଏହାର ସୁଯୋଗ ସାଇବର ଅପରାଧୀମାନେ ନେଇ ଆକ୍ରମଣ ଯୋଜନା ଚଳାଇଛନ୍ତି। ‌ବିଶେଷକରି ଲୋକଙ୍କୁ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟ ସମ୍ପର୍କିତ ତଥ୍ୟ ଅପରାଧୀମାନେ ମାଗୁଛନ୍ତି। ଏହା ଦେଲେ ସେମାନଙ୍କ ଆକାଉଣ୍ଟରେ ଟଙ୍କା ଜମା ହେବ ବୋଲି କହୁଛନ୍ତି। କିନ୍ତୁ ଏଭଳି ତଥ୍ୟ ନଦେବାକୁ କିମ୍ବା ଏସବୁ ଲିଙ୍କ୍‌ରେ କ୍ଲିକ୍ ନକରିବାକୁ ବିଶେଷଜ୍ଞମାନେ ସତର୍କ କରାଇ ଦେଇଛନ୍ତି। ଛାତ୍ରଛାତ୍ରୀମାନେ ଲକ୍‌ଡାଉନ୍ ପାଇଁ ଏବେ ଘରେ ବନ୍ଦ ହୋଇ ରହିଛନ୍ତି। ଫଳରେ ଶିକ୍ଷାନୁଷ୍ଠାନ ଗୁଡ଼ିକ ପିଲାମାନଙ୍କୁ ଅନଲାଇନ୍‌ରେ ପାଠ ପଢ଼ାଉଛନ୍ତି। କିନ୍ତୁ ଅପରାଧୀଙ୍କ ଟାର୍ଗେଟରେ ଏସବୁ ସାଇଟ୍ ରହିଛି। ଅପରାଧୀମାନେ ଏହାଦ୍ବାରା ବିଦ୍ୟାଳୟରୁ ପିଲାଙ୍କ ବ୍ୟକ୍ତିଗତ ତଥ୍ୟ ହାତେଇ ପରେ ସେମାନଙ୍କୁ ବ୍ଲାକମେଲ୍ କରିବା ଆଶଙ୍କା ରହିଛି। ସେହିଭଳି ଏମ୍‌ଏସ୍‌ଏମ୍‌ଇ ପ୍ରତି ବିପଦ ଥିବାରୁ ସେମାନଙ୍କୁ ଅତି ସତର୍କ ରହିବାକୁ କୁହାଯାଇଛି।

ସାଇବର ସିକ୍ୟୁରିଟି ପେସାଦାରଙ୍କ ଚାହିଦା ବୃଦ୍ଧି
ସାଇବର ଆକ୍ରମଣ ବଢ଼ିବା ସହିତ ତାଳଦେଇ ସାଇବର ସିକ୍ୟୁରିଟି ପେସାଦାର ଲୋକଙ୍କ ଚାହିଦା ମଧ୍ୟ ବଢ଼ିବାରେ ଲାଗିଛି। କରୋନା ପୂର୍ବରୁ ସାଇବର ସିକ୍ୟୁରିଟି ବିଶେଷଜ୍ଞଙ୍କ ଚାହିଦା ଯାହା ଥିଲା କରୋନା ପରେ ସେଥିରେ ବହୁ ବୃଦ୍ଧି ଦେଖାଦେଇଛି। ଟିମ୍‌ଲିଜ୍ ଡିଜିଟାଲ ନାମକ ଏକ ସଂସ୍ଥାର ସ୍ପେସାଲାଇଜଡ୍‌ ଷ୍ଟାଫିଂ ମୁଖ୍ୟ ସୁନୀଲ ସି କୁହନ୍ତି, କରୋନା ପୂର୍ବରୁ ସେମାନଙ୍କ ଠାରୁ ବିଭିନ୍ନ କମ୍ପାନି ଯେଉଁ ହାରରେ କର୍ମଚାରୀ ଖୋଜୁଥିଲେ ସେମାନଙ୍କ ମଧ୍ୟରେ ସାଇବର ସିକ୍ୟୁରିଟି ବିଶେଷଜ୍ଞଙ୍କ ଅନୁପାତ ୧୩ ପ୍ରତିଶତ ରହିଥିଲା। କିନ୍ତୁ କରୋନା ପରେ ଏହା ୨୦ ପ୍ରତିଶତକୁ ବୃଦ୍ଧି ପାଇଛି। କେବଳ ଏହି ପେସାର ବିଶେଷଜ୍ଞ ବା କର୍ମଚାରୀଙ୍କ ଚାହିଦା ନୁହେଁ କମ୍ପାନି ଗୁଡ଼ିକ ଏମାନଙ୍କୁ ୧୦ରୁ ୨୦ ପ୍ରତିଶତ ଅଧକ ‌ଦରମା ମଧ୍ୟ ଦେବାକୁ ଆଗ୍ରହ ପ୍ରକାଶ କରୁଛନ୍ତି।

ସମ୍ବନ୍ଧିତ ଖବର