ନୂଆଦିଲ୍ଲୀ: ସରକାରୀ କର୍ମଚାରୀମାନଙ୍କ ଲାଗି ରହିଥିବା ପେନ୍‌ସନ୍ ବ୍ୟବସ୍ଥାର ସମୀକ୍ଷା କରିବା ଲାଗି ଏକ ଚାରି ଜଣିଆ କମିଟି ଗଠନ କରାଯିବ। ଅର୍ଥ ସଚିବ ଟି ଭି ସୋମନାଥନଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ ହେବ ବୋଲି ଅର୍ଥ ମନ୍ତ୍ରାଳୟ ଜଣାଇଛି। ରାଜସ୍ଥାନ, ପଞ୍ଜାବ, ଛତିଶଗଡ଼, ଝାଡ଼ଖଣ୍ଡ ଓ ହିମାଚଳପ୍ରଦେଶ ଭଳି କିଛି ରାଜ୍ୟ ପୁରୁଣା ପେନ୍‌ସନ୍ ବ୍ୟବସ୍ଥା ଲାଗୁ କରିଛନ୍ତି। ୨୦୦୪ରୁ କାର୍ଯ୍ୟକାରୀ ହୋଇଥିବା ନୂଆ ପେନ୍‌ସନ୍ ବ୍ୟବସ୍ଥାରେ କର୍ମଚାରୀମାନଙ୍କ ଲାଗି ଯେଉଁ ପାଣ୍ଠି ଜମା କରାଯାଇଛି ତାହାକୁ ସେମାନେ ଫେରସ୍ତ ଚାହୁଛନ୍ତି। ପୁରୁଣା ପେନ୍‌ସନ୍ ବ୍ୟବସ୍ଥାରେ କର୍ମଚାରୀଙ୍କ ଶେଷ ଦରମାର ୫୦ ରାଶି ପେନ୍‌ସନ୍ ଆକାରରେ ପ୍ରଦାନ କରିବାର ବ୍ୟବସ୍ଥା ଥିଲା। ନୂଆ ପେନ୍‌ସନ୍ ବ୍ୟବସ୍ଥାରେ କର୍ମଚାରୀଙ୍କ ଯୋଗଦାନ ଅନୁସାରେ ପେନ୍‌ସନ୍‌ ରାଶି ନିର୍ଧାରଣ ହେଉଛି। ଅଧିକାଂଶ ରାଜ୍ୟ ନିର୍ବାଚନରେ ପୁରୁଣା ପେନ୍‌ସନ୍‌ ବ୍ୟବସ୍ଥା ଲାଗୁ କରିବାର ପ୍ରତିଶ୍ରୁତି ଦେଇ ବିଜୟୀ ହୋଇଛନ୍ତି।

Advertisment

ଆସନ୍ତାବର୍ଷ ଲୋକସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ତାହା ଏକ ପ୍ରମୁଖ ନିର୍ବାଚନୀ ପ୍ରତିଶ୍ରୁତି ହେବ ବୋଲି ଆଶା କରାଯାଉଛି। କିନ୍ତୁ ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନଙ୍କ ସମେତ ବହୁ ବିଶେଷଜ୍ଞ ସତର୍କ କରାଇଛନ୍ତି ଯେ ପୁରୁଣା ପେନ୍‌ସନ୍ ବ୍ୟବସ୍ଥା ଲାଗୁ କଲେ ତାହା ଭବିଷ୍ୟତ ପିଢ଼ି ଲାଗି ବୋଝ ସଦୃଶ ହେବ। ବହୁ ଭାବିଚିନ୍ତି ସେହି ବ୍ୟବସ୍ଥାକୁ ଉଚ୍ଛେଦ କରି ନୂଆ ବ୍ୟବସ୍ଥା ଲାଗୁ କରାଯାଇଥିଲା। ସ୍ବଳ୍ପକାଳୀନ ରାଜନୈତିକ ଫାଇଦା ହାସଲ କରିବା ଲାଗି ସେହି ବ୍ୟବସ୍ଥାକୁ ପୁନର୍ବାର ଲାଗୁ ନକରିବାକୁ ସେମାନେ କହୁଛନ୍ତି।