ଗୁରୁବାରଠାରୁ ବ୍ୟାଙ୍କ ଉଠାଣ, ଜମା ପାଇଁ ଲାଗୁହେବ ନୂଆ ନିୟମ

ନୂଆଦିଲ୍ଲୀ : ଗୁରୁବାର ଅର୍ଥାତ ମେ ୨୬ରୁ ବ୍ୟାଙ୍କରେ ଟଙ୍କା ଉଠାଣ ଓ ଜମା ରଖିବା ଉପରେ କେତେକ ନୂଆ ନିୟମ ଲାଗୁ ହେବ । ଏଣିକି ଗୋଟିଏ ଆର୍ଥିକ ବର୍ଷରେ ଜଣେ ବ୍ୟକ୍ତି ଗୋଟିଏ କିମ୍ବା ନିଜ ନାଁରେ ଥିବା ଏକାଧିକ ବ୍ୟାଙ୍କ ଖାତାରୁ ମୋଟ ୨୦ ଲକ୍ଷ ଟଙ୍କା ଉଠାଣ କିମ୍ବା ଜମା ବେଳେ ପ୍ୟାନ ନମ୍ବର ଅଥବା ଆଧାର ନମ୍ବର ଦାଖଲ କରିବା ବାଧ୍ୟତାମୂଳକ ହେବ । ପୋଷ୍ଟ ଅଫିସ, ସମବାୟ ବ୍ୟାଙ୍କରେ ଥିବା ଖାତାରୁ ଉଠାଣ କିମ୍ବା ଜମା ପାଇଁ ଏହି ନିୟମ ଲାଗୁ ହେବ । ଏ ସଂପର୍କରେ ଚଳିତ ମାସ ୧୦ ତାରିଖରେ କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ସେହିପରି ଗୋଟିଏ ବ୍ୟାଙ୍କ କିମ୍ବା ପୋଷ୍ଟ ଅଫିସରେ କରେଣ୍ଟ ଆକାଉଣ୍ଟ କିମ୍ବା କ୍ୟାସ କ୍ରେଡିଟ ଆକାଉଣ୍ଟ ଖୋଲିଲେ ବି ପ୍ୟାନ ଓ ଅଧାର ନମ୍ବର ପ୍ରଦାନ କରିବା ବାଧ୍ୟତାମୂଳକ କରାଯାଇଛି ।

ସିବିଡିଟି ପକ୍ଷରୁ ଆୟକର ଆଇନ ୧୯୬୨ରେ ସଂଶୋଧନ କରି ଏହି ନୂଆ ନିୟମ ପ୍ରଣୟନ କରାଯାଇଛି । ଉଚ୍ଚମୂଲ୍ୟର ଆର୍ଥିକ କାରବାର ଉପରେ ନଜର ରଖିବାକୁ ସରକାରଏହି ପଦକ୍ଷେପ ନେଇଥିବା କୁହାଯାଉଛି । ଏହା ଦ୍ବାରା ମଧ୍ୟ ବେଆଇନ ଅର୍ଥ କାରବାର, ଉଚ୍ଚମୂଲ୍ୟର ଆର୍ଥିକ କାରବାରର ଗତି ଉପରେ ସରକାର ନଜର ରଖିପାରିବେ ବୋଲି ଆର୍ଥିକ ବିଶେଷଜ୍ଞମାନେ କହିଛନ୍ତି ।

ସମ୍ବନ୍ଧିତ ଖବର