ଆସିବ ଇଲେକ୍ଟ୍ରିକ୍‌ ନାନୋ

ନୂଆଦିଲ୍ଲୀ: ବିଶ୍ୱର ସବୁଠୁ ଶସ୍ତା କାର ନାନୋ ଇଲେକ୍‌ଟ୍ରିକ୍‌ କାର୍‌ ଆକାରରେ ବଜାରରେ ଉପଲବ୍ଧ ହେବ। ତେବେ ଇଲେକ୍‌ଟ୍ରିକ୍‌ ଇଞ୍ଜିନ୍‌ରେ ଯେଉଁ ନାନୋ ଆସିବ ତାହାର ନାମ ‘ଜୟେମ୍‌ ନିଓ’ ରହିବ। ଆସନ୍ତା ୨୮ ତାରିଖରେ ଏହି ଇଲେକ୍‌ଟ୍ରିକ୍‌ କାରର ଉନ୍ମୋଚନ ହାଇଦ୍ରାବାଦଠାରେ ହେବାର ସମ୍ଭାବନା ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଉତ୍ସବରେ ଯୋଗଦେଇ ପାରନ୍ତି ବୋଲି ଅଟୋକାର୍‌ ଇଣ୍ଡିଆ ପକ୍ଷରୁ ପ୍ରକାଶିତ ରିପୋର୍ଟରେ କୁହାଯାଇଛି।

ପ୍ରଥମ ବ୍ୟାଚ୍‌ରେ ୪୦୦ଟି ଧଳା ରଙ୍ଗର ‘ଜୟେମ୍‌ ନିଓ’ କାର୍‌କୁ ଓଲାକୁ ଯୋଗାଇ ଦିଆଯିବ। କାରଟି ଥରେ ପୂରା ଚାର୍ଜ ହେଲେ ୧୫୦ କିଲୋମିଟର ଯାତ୍ରା କରିବ ବୋଲି ଆଶା ରଖାଯାଇଛି। ଏହି କାର ପାଇଁ ଇଲେକ୍‌ଟ୍ରିକ୍‌ ଇଞ୍ଜିନ କୋଏମ୍ବାଟୁରର ଜୟେମ ଅଟୋମୋଟିଭ୍‌ସ ନାମ ଏକ କମ୍ପାନି ପ୍ରସ୍ତୁତ କରୁଛି। ଇଞ୍ଜିନ ଓ ଟ୍ରାନ୍ସମିସନ୍‌ ନଥିବା ନାନୋ କାରର ବଡ଼ିକୁ ଟାଟା ମୋଟର୍ସ କୋଏମ୍ବାଟୁରର ଏହି କମ୍ପାନିକୁ ଯୋଗାଇ ଦେଇଥିବା କୁହାଯାଉଛି। କୋଏମ୍ବାଟୁରର ଜୟେମ ଅଟୋମୋଟିଭ୍‌ସ ଇଲେକ୍‌ଟ୍ରିକ୍‌ ଇଞ୍ଜିନ ଲଗାଇବା ସହିତ ଏହାର ମାର୍କେଟିଂ କରିବ ବୋଲି ଅନୁମାନ କରାଯାଉଛି। ଦୁଇ କମ୍ପାନି ମଧ୍ୟରେ ନିକଟରେ ଜେଟି ସ୍ପେସାଲ ଭେଇକିଲ୍‌ ନାମରେ ଏକ ଯୌଥ ଉଦ୍ୟୋଗ ସ୍ଥାପନ ହୋଇଛି। ରିପୋର୍ଟ ମୁତାବକ ନୂଆକରି ପ୍ରସ୍ତୁତ ହୋଇଥିବା ଏହି ଯାନ ଜୟେମ୍‌ ବ୍ରାଣ୍ଡ୍‌ରେ ବିକ୍ରି ହେବାକୁ ଥିବାରୁ ଏହାର ନାମ ଜୟେମ ନିଓ ରଖାଯାଇଛି।

ସମ୍ବନ୍ଧିତ ଖବର