ନାଁ, ମୂଲ୍ୟ ଛଡ଼ା ଇକୋସ୍ପୋର୍ଟରେ ସବୁକିଛି ନୂଆ: ତ୍ୟାଗୀ

ନୂଆ ଇକୋସ୍ପୋର୍ଟ ବଜାର କିଭଳି ରହିଛି?
ନୂଆ ଇକୋସ୍ପୋର୍ଟ କମ୍ପାକ୍ଟ ଏସ୍‌ୟୁଭି ବର୍ଗରେ ଆସିଛି। ଭାରତରେ ଏହି ବର୍ଗ ଯାନର ବିକ୍ରି ଅଭିବୃଦ୍ଧି ସର୍ବାଧିକ ରହିଛି। ଏହି ବର୍ଗ ଯାନର ବଜାର ଆକାର ଏବେ ୧୬% ଥିବାବେଳେ ଆସନ୍ତା ୨୦୨୦-୨୧ ବେଳକୁ ୨୪%ରେ ପହଞ୍ଚିବ ବୋଲି ଆଶା ରଖାଯାଇଛି।
ପ୍ରତିଯୋଗିତାରେ ଆଗରେ ରହିବା ଲାଗି ଫୋର୍ଡର ରଣନୀତି କ’ଣ?
ଗ୍ରାହକଙ୍କୁ କିଭଳି ଭ୍ୟାଲୁ ଫର୍‌ ମନି ଉତ୍ପାଦ ଏବଂ ତ୍ତ୍‌ତ୍ତର ବିକ୍ରି ପରବର୍ତ୍ତୀ ସେବା ଯୋଗାଇ ଦିଆଯିବ ତାହା ଉପରେ ଫୋର୍ଡ ଗୁରୁତ୍ୱ ଦେଉଛି। ଏତଦ୍‌ବ୍ୟତୀତ ବ୍ରାଣ୍ଡ୍‌ରେ ସ୍ୱଚ୍ଛତା ଆଣି ଗ୍ରାହକଙ୍କ ଆସ୍ଥା ହାସଲ ଉପରେ ମଧ୍ୟ କମ୍ପାନି ଗୁରୁତ୍ୱ ଦେଉଛି।
ଓଡ଼ିଶା ବଜାର କିଭଳି ସଫଳତା ଦେଇଛି?
ଓଡ଼ିଶା ଏବଂ ପୂର୍ବ ଭାରତରେ କମ୍ପାନି ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଏଥିପାଇଁ କମ୍ପାନି ଏହି ବଜାର ଉପରେ ଯଥେଷ୍ଟ ଗୁରୁତ୍ୱ ଦେଉଛି।
କାର ଚାଳକଙ୍କୁ ନିରାପଦ ଗାଡ଼ି ଚାଳନା ନେଇ କମ୍ପାନି କି ପଦକ୍ଷେପ ନେଇଛି?
ନିରାପଦ ଗାଡ଼ି ଚାଳନା ସମ୍ପର୍କରେ ଆମେ ଦୀର୍ଘଦିନ ହେଲା ଗ୍ରାହକ ଓ ଚାଳକଙ୍କୁ ସଚେତନ କରାଇ ଆସୁଛି। ସେମାନଙ୍କୁ ପ୍ରଶିକ୍ଷଣ ଦେଉଛୁ। ଏ ନେଇ ୫୦୦ରୁ ଅଧିକ କାର୍ଯ୍ୟକ୍ରମ ହୋଇଛି। ୨୦ ହଜାରରୁ ଅଧିକ ଗ୍ରାହକ, ଗାଡ଼ି ଚାଳକ ଆଦିଙ୍କୁ ନିରାପଦ ଗାଡ଼ି ଚାଳନା ସମ୍ପର୍କରେ ସଚେତନ କରାଯାଇଛି।
ଇକୋସ୍ପୋର୍ଟ ନେଇ କ’ଣ କହିବେ?
ଚଳିତମାସ ୯ ତାରିଖରେ ନୂଆଦିଲ୍ଲୀରେ ଏହି ଗାଡ଼ିର ସର୍ବଭାରତୀୟ ବଜାର ପ୍ରବେଶ ଘୋଷଣା ହୋଇଛି। ସେବେଠାରୁ ଏହି ଗାଡ଼ି ପ୍ରତି ଗ୍ରାହକମାନେ ଯଥେଷ୍ଟ ଆଗ୍ରହ ପ୍ରକାଶ କରିଆସିଛନ୍ତି। ନୂଆ ଇକୋସ୍ପୋର୍ଟରେ ୫୦ରୁ ଅଧିକ ବୈଶିଷ୍ଟ୍ୟ ରହିଛି। ୧୬୦୦ରୁ ଅଧିକ ପାର୍ଟସ ଲାଗିଛି। ଗ୍ରାହକଙ୍କ ଆରାମ ଓ ସୁବିଧାକୁ ଦେଖି ଏସବୁ କରାଯାଇଛି। ତେଣୁ ଇକୋସ୍ପୋର୍ଟରେ ନାମ ଏବଂ ମୂଲ୍ୟ ଛଡ଼ା ଆଉ ସବୁକିଛି ନୂଆ ରହିଛି।
ଇଲେକ୍‌ଟ୍ରିକ୍‌ କାର ନେଇ ଫୋର୍ଡର ଯୋଜନା କ’ଣ?
ଇଲେକ୍‌ଟ୍ରିକ୍‌ ଯାନ ନେଇ ସରକାରଙ୍କ ଯୋଜନା ଏବେ ପ୍ରାରମ୍ଭିକ ପର୍ଯ୍ୟାୟରେ ରହିଛି। ସରକାର ଏ ନେଇ କି ଯୋଜନା କରୁଛନ୍ତି ତାହା ଉପରେ କମ୍ପାନି ନଜର ରଖିଛି। ତେଣୁ ଏ ନେଇ କମ୍ପାନିର ଯୋଜନା କ’ଣ ରହିଛି ତାହା କହିବା ଏବେଠାରୁ ବହୁତ ଆଗୁଆ ହୋଇଯିବ। ଅବଶ୍ୟ ଇଲେକ୍‌ଟ୍ରିକ କାରର ବଜାର ସୃଷ୍ଟି ହେଲେ ଏକ କାର ନିର୍ମାତାଭାବେ ଆମକୁ ମଧ୍ୟ ସେହି ବଜାରରେ ରହିବାକୁ ପଡ଼ିବ।
ସମ୍ବନ୍ଧିତ ଖବର