ଜୁନ୍‌ ୩୦ରୁ ନୂଆ ଗାଇଡ୍‌ଲାଇନ୍, ଗାଡ଼ିର ଫାସ୍‌ଟ୍ୟାଗ୍ ବଦଳାଇ ହେବ

ନୂଆଦିଲ୍ଲୀ: ଗାଡ଼ି ମାଲିକମାନେ ନିଜ ଫାସ୍‌ଟ୍ୟାଗ୍ ବଦଳାଇବା ସୁବିଧା ପାଇବେ। ଖୁବଶୀଘ୍ର ଏହି ବ୍ୟବସ୍ଥା ଲାଗୁ ହେବ। ସମାନ ଗାଡ଼ି ପାଇଁ ନିଜ ପୁରୁଣା ଫାସ୍‌ଟ୍ୟାଗ୍‌କୁ ବନ୍ଦ କରି ସେହି ଗାଡ଼ି ନମ୍ବରରେ ନୂଆ ଫାସ୍‌ଟ୍ୟାଗ୍ ନେଇହେବ। ଏଥିପାଇଁ ନୂତନ ଗାଇଡ୍‌ଲାଇନ୍ ଜାରି କରାଯାଇଛି ଯାହା ଜୁନ୍‌ ୩୦ରୁ ଲାଗୁ ହେବ। ଏବେ ଫାସ୍‌ଟ୍ୟାଗ୍ ବଦଳାଇବା ଏକ ଜଟିଳ ବ୍ୟାପାର ହୋଇରହିଛି। ଫାସ୍‌ଟ୍ୟାଗ୍‌କୁ ବଦଳାଇ ହେବ ବୋଲି ବହୁ ଗାଡ଼ି ମାଲିକ ଜାଣିନାହାନ୍ତି। ବ୍ୟାଙ୍କ ଓ ଆର୍ଥିକ ସେବା ପ୍ରଦାନ କରୁଥିବା ସଂସ୍ଥା ମଧ୍ୟ ଏବିଷୟରେ ଗ୍ରାହକଙ୍କୁ କିଛି କୁହନ୍ତି ନାହିଁ। ପୁରୁଣା ଫାସ୍‌ଟ୍ୟାଗ୍‌ର ସମସ୍ତ ଦେୟ ଦେବା ପରେ ତାହାକୁ କିଭଳି ବନ୍ଦ କରିହେବ ସେ ବିଷୟରେ ବ୍ୟାଙ୍କଗୁଡ଼ିକ ଗ୍ରାହକମାନଙ୍କୁ ଅବଗତ କରିବେ। ସେଥିପାଇଁ ନୂତନ ଗାଇଡ୍‌ଲାଇନ୍‌ରେ ବ୍ୟବସ୍ଥା ରହିଛି।

ଫାସ୍‌ଟ୍ୟାଗ୍ ପାଇଁ ନ୍ୟାସନାଲ୍ ପେମେଣ୍ଟ୍‌ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏନ୍‌ପିସିଆଇ) ତିନି ନୂଆ କୋଡ୍ ଜାରି କରିଛି। ତାହା ଫାସ୍‌ଟ୍ୟାଗ୍ ବଦଳାଇବା କାର୍ଯ୍ୟ ସହଜ କରିବ। ଏବେ କେବଳ ତିନିଟି କୋଡ୍ ପ୍ରଚଳନରେ ରହିଛି। ତାହା ହେଉଛି ବ୍ଲାକ୍‌ଲିଷ୍ଟ୍‌, ଲୋ ବାଲାନ୍ସ ଓ ଏକ୍‌ଜେମ୍ପ୍‌ଟେଡ୍‌। ଗାଡ଼ି ଟୋଲ୍ ପ୍ଲାଜାରେ ପହଞ୍ଚିବା ବେଳେ ସେଠାରେ ଥିବା ଏକ୍‌ଜିକ୍ୟୁଟିଭ୍ ଏହି କୋଡ୍‌ ଜରିଆରେ ଫାସ୍‌ଟ୍ୟାଗ୍‌ର ସ୍ଥିତି ବିଷୟରେ ଜାଣିପାରନ୍ତି। ଆଗକୁ ଆଉ ତିନିଟି ନୂଆ କୋଡ୍ ଏଥିରେ ଯୋଡ଼ାଯିବ। ତାହା ହେଉଛି ହଟ୍‌ଲିଷ୍ଟ୍‌, କ୍ଲୋଜଡ୍‌/ ରିପ୍ଲେସ୍‌ଡ ଓ ଇନ୍‌ଭାଲିଡ୍‌ କ୍ୟାରେଜ୍। ଯେଉଁ ଫାସ୍‌ଟ୍ୟାଗ୍‌ରେ ବାଲାନ୍ସ ବିଯୁକ୍ତ (ନେଗେଟିଭ୍‌) ଥିବ କିମ୍ବା ଗାଡ଼ି କୌଣସି ଆଇନ ଉଲ୍ଲଂଘନ କରିଥିବ ତାହା ହଟ୍‌ଲିଷ୍ଟ୍‌ ବର୍ଗରେ ପ୍ରଦର୍ଶିତ ହେବ। ସଡ଼କ ଓ ପରିବହନ ମନ୍ତ୍ରଣାଳୟ ଅନୁଯାୟୀ ଯେଉଁ ଗାଡ଼ିଗୁଡ଼ିକୁ ଟୋଲ୍ ଶୁଳ୍କରୁ ବାଦ ଦିଆଯାଇଛି ସେଗୁଡ଼ିକ ଏକ୍‌ଜେମ୍ପ୍‌ଟେଡ୍‌ ବର୍ଗରେ ରହିବ। ଯେଉଁ ଫାସ୍‌ଟ୍ୟାଗ୍‌ର ବାଲାନ୍ସ ନେଗେଟିଭ୍ ହୋଇନଥିଲେ ମଧ୍ୟ ଏକ ନିର୍ଦିଷ୍ଟ ସୀମାରୁ କମ୍ ରହିଥିବ ତାହାକୁ ଲୋ ବାଲାନ୍ସ ବର୍ଗରେ ରଖାଯିବ। ଶାରିରୀକ ଭିନ୍ନକ୍ଷମ ଥିବା ମାଲିକଙ୍କ ଗାଡ଼ିକୁ ଇନ୍‌ଭାଲିଡ୍‌ କ୍ୟାରେଜ୍ ବର୍ଗରେ ରଖାଯିବ। ଯେଉଁ ଗାଡ଼ିଗୁଡ଼ିକୁ କୌଣସି କର୍ତ୍ତୃପକ୍ଷ କିମ୍ବା ପ୍ରଶାସନିକ ସଂସ୍ଥା ଉଲ୍ଲଘଂନକାରୀ ବୋଲି ଦର୍ଶାଇଥିବେ ସେଗୁଡ଼ିକୁ ବ୍ଲାକ୍‌ଲିଷ୍ଟ୍ ବର୍ଗରେ ରଖାଯିବ। ଫାସ୍‌ଟ୍ୟାଗ୍ ଆକାଉଣ୍ଟ୍‌ ବନ୍ଦ କରାଯାଇଥିବା, ସର୍ପମଣ କରାଯାଇଥିବା କିମ୍ବା ଗୋଟିଏ ଫାସ୍‌ଟ୍ୟାଗ୍ ଫେରସ୍ତ କରି ତାହା ସ୍ଥାନରେ ନୂତନ ଫାସ୍‌ଟ୍ୟାଗ୍ ନିଆଯାଇଥିବ ସେହି ଗାଡ଼ିଗୁଡ଼ିକ କ୍ଲୋଜଡ୍‌/ ରିପ୍ଲେସ୍‌ଡ ବର୍ଗରେ ପ୍ରଦର୍ଶିତ ହେବ।

ସମ୍ବନ୍ଧିତ ଖବର