ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍ଓ)ର କର୍ମଚାରୀ ପେନ୍ସନ୍ ଯୋଜନା (ଇପିଏସ୍) ଅଧୀନରେ ଅଧିକ ପେନ୍ସନ୍ ପାଇବା ଲାଗି ଆବେଦନ କରିବା ପାଇଁ ଯୋଗ୍ୟ ସଦସ୍ୟମାନଙ୍କ ନିମନ୍ତେ ଆଜି ନୂଆ ଗାଇଡ୍ଲାଇନ୍ ଜାରି କରାଯାଇଛି। ଅଧିକ ପେନ୍ସନ୍ ପାଇବା ଲାଗି ଯେଉଁ ସଦସ୍ୟମାନେ ଯୋଗ୍ୟ ଥିଲେ, କିନ୍ତୁ କୌଣସି କାରଣ ପାଇଁ ଆବେଦନ କରିପାରିନଥିଲେ ସେମାନେ ଏବେ ସେଥିପାଇଁ ଆବେଦନ କରିପାରିବେ। ଯୋଗ୍ୟ ସଦସ୍ୟମାନଙ୍କୁ ସେହି ସୁବିଧା ଦେବା ଲାଗି ୨୦୨୨ ନଭେମ୍ବର ୪ରେ ସୁପ୍ରିମକୋର୍ଟ ନିର୍ଦେଶ ଦେଇଥିଲେ। ତାହାକୁ କାର୍ଯ୍ୟକାରୀ କରିବା ଲାଗି ଚାରି ମାସର ମହଲତ ଦିଆଯାଇଥିଲା ଯାହା ଆସନ୍ତା ମାର୍ଚ୍ଚ ୩ରେ ଶେଷ ହେବ। ସମୟ ସୀମା ଶେଷ ହେବାକୁ ଆଉ କିଛି ଦିନ ବାକି ଥିବା ବେଳେ ଯୋଗ୍ୟ ସଦସ୍ୟମାନଙ୍କୁ ଅଧିକ ପେନ୍ସନ୍ ପାଇବା ଲାଗି ଆବେଦନ କରିବାର ସୁଯୋଗ ପ୍ରଦାନ କରାଯାଇଛି। ଗାଇଡ୍ଲାଇନ୍ରେ କୁହାଯାଇଛି ଯେ ଉଭୟ ଯୋଗ୍ୟ ସଦସ୍ୟ ଓ ନିଯୁକ୍ତିଦାତା ମିଳିତ ଭାବେ ଏଥିପାଇଁ ଆବେଦନ କରିପାରିବେ।
ଅଧିକ ପେନ୍ସନ୍ ପାଇବା ଲାଗି ଆସିବାକୁ ଥିବା ଯୁଗ୍ମ ଆବେଦନଗୁଡ଼ିକକୁ କିଭଳି ପରିଚାଳନା କରାଯିବ ସେନେଇ ଇପିଏଫ୍ଓ ପକ୍ଷରୁ ଏହାର ଆଞ୍ଚଳିକ କାର୍ଯ୍ୟାଳୟଗୁଡ଼ିକୁ ଅବଗତ କରାଯାଇଛି। ଅଧିକ ପେନ୍ସନ୍ ଲାଗି ପ୍ରତି ଆବେଦନକୁ ଡିଜିଟାଲ ମାଧ୍ୟମରେ ପଞ୍ଜୀକରଣ କରାଯିବ ଏବଂ ଆବେଦନକାରୀଙ୍କୁ ଏକ ରିସିପ୍ଟ ନମ୍ବର ଦିଆଯିବ। ଯୁଗ୍ମ ଆବେଦନ ବର୍ଗରେ ଆସିଥିବା ପ୍ରତିଟି ଆବେଦନକୁ ସଂପୃକ୍ତ ଆଞ୍ଚଳିକ ଭବିଷ୍ୟନିଧି ପାଣ୍ଠି କାର୍ଯ୍ୟାଳୟ ଅନୁଧ୍ୟାନ କରିବେ ଏବଂ ଆବେଦନକୁ ନେଇ ଯେଉଁ ନିଷ୍ପତ୍ତି ନିଆଯିବ ତାହାକୁ ଇ-ମେଲ୍, ଡାକ ଠିକଣା କିମ୍ବା ଏସ୍ଏମ୍ଏସ୍ ଜରିଆରେ ଆବେଦନକାରୀଙ୍କୁ ଜଣାଇବେ। ଆବେଦନ ସମ୍ପର୍କିତ କୌଣସି ଆପତ୍ତି କିମ୍ବା ପ୍ରଶ୍ନ ଥିଲେ ତାହାକୁ ଇପିଏଫ୍ଆଇଜିଏମ୍ଏସ୍ ପୋର୍ଟାଲ୍ରେ ଦାଖଲ କରାଯାଇପାରିବ।
ଯେଉଁ ସଦସ୍ୟମାନେ ଉଚ୍ଚ ବେତନ ହାରରେ ପେନ୍ସନ୍ ପାଇଁ ଯୋଗଦାନ ରାଶି ଦେଉଛନ୍ତି ସେମାନେ ଏବେ ଆନୁଷ୍ଠାନିକ ଭାବେ ଇପିଏଫ୍ଓର ଆଞ୍ଚଳିକ କାର୍ଯ୍ୟାଳୟରେ ଅଧିକ ପେନ୍ସନ୍ ପାଇଁ ଆବେଦନ ଦାଖଲ କରିପାରିବେ। ଏହି ସୁବିଧା ପାଇବା ଲାଗି ଯଦି କିଛି ଅଧିକ ଅର୍ଥ ଜମା କରିବାକୁ ପଡ଼ିବ ତାହା ଦେବେ ବୋଲି ନିଯୁକ୍ତିଦାତାଙ୍କ ସହ ମିଳିତ ଭାବେ ଦାଖଲ କରାଯାଇଥିବା ଆବେଦନ ଫର୍ମରେ କର୍ମଚାରୀ ନିଜର ସମ୍ମତି ପ୍ରକାଶ କରିବେ। ଗତ ମାସରେ ଇପିଏଫ୍ଓ ପକ୍ଷରୁ ଏକ ସର୍କୁଲାର ଜାରି କରାଯାଇଥିଲା ଯେଉଁଥିରେ ୨୦୧୪ ସେପ୍ଟେମ୍ବର ପୂର୍ବରୁ ଅବସର ନେଇ ଅଧିକ ପେନସନ୍ ପାଉଥିବା ମାମଲାଗୁଡ଼ିକର ପୁନଃ ସମୀକ୍ଷା କରିବା ଲାଗି ନିର୍ଦେଶ ଜାରି କରାଯାଇଥିଲା। ଯେଉଁମାନେ ଅଧିକ ପେନ୍ସନ୍ ପାଉଛନ୍ତି ୨୦୨୩ ଜାନୁଆରି ମାସଠାରୁ ସେମାନଙ୍କ ପେନ୍ସନ୍ର ଅତିରିକ୍ତ ରାଶିକୁ ବନ୍ଦ କରି ସେମାନଙ୍କ ପାଇଁ ୫୦୦୦ ଟଙ୍କା କିମ୍ବା ୬୫୦୦ ଟଙ୍କା ପର୍ଯ୍ୟନ୍ତର ପେନ୍ସନ୍ ସୀମା ଲାଗୁ କରିବାକୁ କୁହାଯାଇଥିଲା। ଯେଉଁମାନଙ୍କ ପେନ୍ସନ୍ ହ୍ରାସ ପାଇବାର ଥିବ ସେମାନଙ୍କୁ ଆଗୁଆ ସୂଚନା ଦେଇ ନିଜ ଦାବିକୁ ପ୍ରମାଣ କରିବାର ସୁଯୋଗ ଦେବାକୁ ଅଧିକାରୀମାନଙ୍କୁ କୁହାଯାଇଥିଲା।
ଏହା ପୂର୍ବରୁ ଗତ ଡିସେମ୍ବରରେ ଏକ ସର୍କୁଲାର ଜାରି କରାଯାଇଥିଲା ଯେଉଁଥିରେ କୁହାଯାଇଥିଲା ଯେ ଯେଉଁମାନେ ପେନ୍ସନ୍ ପାଇଁ ଅଧିକ ଯୋଗଦାନ ରାଶି ଦେଉଥିଲେ ଏବଂ ଅଧିକ ପେନ୍ସନ୍ ପାଇବା ଲାଗି ସେ କରିଥିବା ଆବେଦନକୁ ଇପିଏଫ୍ଓ ଯଦି ପ୍ରତ୍ୟାଖ୍ୟାନ କରିଥିବ ତେବେ ସେମାନେ ପୁଣି ଥରେ ଅଧିକ ପେନ୍ସନ୍ ପାଇବାକୁ ଆବେଦନ କରିପାରିବେ। ଗତବର୍ଷ ନଭେମ୍ବର ୪ ତାରିଖରେ ସୁପ୍ରିମକୋର୍ଟ ଏକ ଐତିହାସିକ ରାୟ ଦେଇ କର୍ମଚାରୀ ପେନ୍ସନ୍ (ସଂଶୋଧିତ) ସ୍କିମ୍, ୨୦୧୪କୁ ବଜାୟ ରଖିଥିଲେ। ଏହି ନିୟମରେ ଥିବା ସୁବିଧା ଅନୁସାରେ ଯେଉଁମାନେ ଅଧିକ ପେନ୍ସନ୍ ପାଇବା ବିକଳ୍ପ ଚୟନ କରିପାରିନାହାନ୍ତି ସେମାନଙ୍କୁ ଆଉ ଥରେ ସୁବିଧା ଦେବା ଲାଗି କୋର୍ଟ ଚାରି ମାସ ସମୟ ଦେଇଥିଲେ। ୨୦୧୪ ସେପ୍ଟେମ୍ବର ପର୍ଯ୍ୟନ୍ତ ଯେଉଁ ସଦସ୍ୟମାନେ ଇପିଏସ୍ରେ ସାମିଲ ଥିଲେ ସେମାନଙ୍କୁ ପେନ୍ସନ୍ ଯୋଗ୍ୟ ମାସିକ ୧୫୦୦୦ ଟଙ୍କା ବଦଳରେ ମୂଳ ଦରମାର ୮.୩୩ ପ୍ରତିଶତ ରାଶିକୁ ପେନ୍ସନ୍ ଖାତାରେ ଜମା କରିବା ଲାଗି ଆଉ ଏକ ସୁଯୋଗ ପ୍ରଦାନ କରାଯାଇଥିଲା।
ଇପିଏସ୍ ସ୍କିମ୍ କ’ଣ?
ଇପିଏସ୍ରେ ଇପିଏଫ୍ଓ ସଦସ୍ୟମାନଙ୍କୁ ପେନ୍ସନ୍ ପ୍ରଦାନ କରିବାର ବ୍ୟବସ୍ଥା ରହିଛି। କର୍ମଚାରୀଙ୍କୁ ୫୮ ବର୍ଷ ହେବା ପରେ ତାଙ୍କ ଅବଦାନ ଅନୁସାରେ ସେମାନଙ୍କୁ ପେନ୍ସନ୍ ମିଳେ। ବର୍ତମାନ ସର୍ବନିମ୍ନ ପେନ୍ସନ୍ ରାଶି ୧୦୦୦ ଟଙ୍କା ରହିଛି। ପିଏଫ୍ ଖାତା ଲାଗି କର୍ମଚାରୀଙ୍କ ମୂଳ ବେତନର ୧୨% ରାଶି ଜମା କରାଯାଉଥିବା ବେଳେ ନିଯୁକ୍ତିଦାତା ମଧ୍ୟ ସମାନ ପରିମାଣର ରାଶି ଦେଇଥିଲା। କିନ୍ତୁ ନିଯୁକ୍ତିଦାତା ଦେଉଥିବା ରାଶିର ୮.୩୩ % ରାଶିକୁ ଇପିଏସ୍ ଖାତାରେ ଜମା କରାଯାଏ। ବଳକା ୩.୬୭ % ରାଶି ପିଏଫ୍ ଖାତାରେ ଜମା ହେଉଛି। କର୍ମଚାରୀଙ୍କ ପେନ୍ସନ୍ ପାଇଁ ଭାରତ ସରକାର ମଧ୍ୟ ୧.୧୬% ରାଶି ଜମା କରୁଛନ୍ତି।