ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆସନ୍ତା ସପ୍ତାହରେ ସଂସଦରେ ନୂଆ ଆୟକର ବିଲ୍ ଉପସ୍ଥାପନ କରିବେ। ଏହା ପୂର୍ବରୁ ତାହାକୁ ଶୁକ୍ରବାର କ୍ୟାବିନେଟ୍‌ରେ ଉପସ୍ଥାପନ କରାଯିବ। ନୂଆ ବିଲ୍‌ରେ ଲମ୍ବା ବାକ୍ୟ ରହିବ ନାହିଁ। ଯେଉଁ ଭଳି ଆଇନଗୁଡ଼ିକୁ ଲେଖାଯାଉଥିଲା ସେଥିରେ ପରିବର୍ତ୍ତନ କରାଯାଇଛି। ସେଥିରେ କୌଣସି ନୂଆ ଟିକସ କିମ୍ବା ଅତିରିକ୍ତ ବୋଝ ରହିବ ନାହିଁ ବୋଲ ଅର୍ଥ ସଚିବ ତୁହିନ୍‌ କାନ୍ତ ପାଣ୍ଡେ କହିଛନ୍ତି। ଏହି ବିଲ୍‌ ୬ ଦଶନ୍ଧି ପୁରୁଣା ଆୟକର ଆଇନ ସ୍ଥାନରେ ଲାଗୁ ହେବ। ଶ୍ରୀ ପାଣ୍ଡେ କହିଛନ୍ତି ଯେ ନୂଆ ବିଲ୍‌ରେ ଆମୁଳଚୁଳ ପରିବର୍ତ୍ତନ କରାଯାଉନାହିଁ। 

Advertisment

ସେଭଳି କରି ଆମେ ଏକ ଅସ୍ଥିରତାର ପରିବେଶ ସୃଷ୍ଟି କରିବାକୁ ଚାହୁନୁ। ନୂଆ ବିଲ୍ ସରଳ ଭାଷାରେ ହେବ। ଏହା ଏଭଳି ଏକ ଆଇନ ଯାହାକୁ କେବଳ ଆଇନ ପେସାର ଲୋକମାନେ ନୁହେଁ, ସାଧାରଣ ନାଗରିକମାନେ ବୁଝିପାରିବେ ବୋଲି ସେ କହିଛନ୍ତି। ଦେଶରେ ଆୟକର ନିୟମ ୧୯୬୧ ଲାଗୁ ହୋଇଥିବା ବେଳେ ସେଥି‌ରେ ପରିବର୍ତ୍ତନ ଆଣିବା ଲାଗି ୬ ମାସ ଧରି କାମ ହୋଇଛି। ଆଇନର ଭାଷାକୁ ସରଳ କରିବା ଲାଗି ଯଥା ସମ୍ଭବ ଉଦ୍ୟମ କରାଯାଇଛି। କିଛି ପୁରୁଣା ବ୍ୟବସ୍ଥାକୁ ବାଦ୍‌ ଦିଆଯାଇଛି। ନୂଆ ଆୟକର ବିଲ୍‌ ସମ୍ପର୍କରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୫-୨୬ ବଜେଟ୍‌ରେ ଉଲ୍ଲେଖ କରିଥିଲେ। ଶ୍ରୀ ପାଣ୍ଡେ ସ୍ପଷ୍ଟ କରିଛନ୍ତି ଯେ ବଜେଟ୍‌ରେ ଆୟକର ସ୍ଲାବ୍‌ରେ ହୋଇଥିବା ପରିବର୍ତ୍ତନ, ଛାଡ଼, ରିହାତି, ଟିଡିଏସ୍‌କୁ ନେଇ ହୋଇଥିବା ଘୋଷଣା ରହିବ।