ଆସିଲା ନୂଆ ଆୟକର ରିଟର୍ଣ୍ଣ ଫର୍ମ : ବିଦେଶ ଯାତ୍ରା ଖର୍ଚ୍ଚ ଓ ବିଦ୍ୟୁତ ବିଲ୍ ତଥ୍ୟ ଦେବାକୁ ପଡ଼ିବ

ନୂଆଦିଲ୍ଲୀ : କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (ସିବିଡିଟି) ପକ୍ଷରୁ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ନୂଆ ଆୟକର ରିଟର୍ଣ୍ଣ ଫର୍ମ ଜାରି କରାଯାଇଛି। ଫର୍ମଗୁଡ଼ିକୁ ଅନୁଧ୍ୟାନ କରିବା ପରେ ଜଣାପଡ଼ିଛି ଯେ ଯେଉଁମାନଙ୍କ ଚଳନ୍ତୀ ଖାତାରେ ଜମା ରାଶି ପରିମାଣ ୧ କୋଟି ଟଙ୍କାରୁ ଅଧିକ ରହୁଥିବ କିମ୍ବା ଯେଉଁମାନଙ୍କ ବାର୍ଷିକ ବିଦ୍ୟୁତ ବିଲ୍ ଏକ ଲକ୍ଷ ଟଙ୍କା ଅତିକ୍ରମ କରୁଥିବ ସେମାନଙ୍କ ପାଇଁ ଆୟକର ରିଟର୍ଣ୍ଣ ଦାଖଲ କରିବା ବାଧ୍ୟତାମୂଳକ କରାଯାଇଛି। ସିବିଡିଟି ତରଫରୁ ଆଇଟିଆର-୧, ୨, ୩, ୪, ୫, ୬ ଓ ୭ ସହିତ ୨୦୨୦-୨୧ ଆର୍ଥିକ ବର୍ଷର ଆୟ ପାଇଁ ଆଇଟିଆର୍‌-ଭି ଫର୍ମ ଜାରି କରାଯାଇଛି।

ନୂଆ ଫର୍ମ ଅନୁସାରେ, ବିଦେଶ ଯାତ୍ରାରେ ଦୁଇ ଲକ୍ଷ ଟଙ୍କାରୁ ଅଧିକ ଖର୍ଚ୍ଚ ହୋଇଥିଲେ ସେହି ସୂଚନା ଟିକସ ବିଭାଗକୁ ଦେବାକୁ ପଡ଼ିବ। କୋଭିଡ୍-୧୯ ମହାମାରୀ ଲାଗି ବିଭିନ୍ନ ପ୍ରକାର ଟିକସ ଦାଖଲର ସମୟ ସୀମ‌ାରେ ଯେଉଁ ବୃଦ୍ଧି କରାଯାଇଛି ତାହାର ଲାଭ ଦେବା ପାଇଁ ମଧ୍ୟ ନୂଆ ଫର୍ମରେ ବ୍ୟବସ୍ଥା କରାଯାଇଛି। ଟିକସ ସଞ୍ଚୟ ନିବେଶ ଏବଂ ଦାନ ବିଷୟରେ ମଧ୍ୟ ଟିକସଦାତାଙ୍କୁ ସୂଚନା ଦେବାକୁ ପଡ଼ିବ। ଆଇଟିଆର୍‌-୪ରେ ଯଦି ଆଧାର ନମ୍ବର ଦିଆଯିବ ତେବେ ପାନ୍ ନମ୍ବର ଦେବା ଇଚ୍ଛାଧୀନ ରଖାଯାଇଛି। ୨୦୨୦ରେ ଆୟକର ବିଭାଗ ଦୁଇ ଥର ଆଇଟିଆର୍ ଫର୍ମ ଜାରି କରିଛି। ଗତ ଜାନୁଆରିରେ ଆଇଟିଆର୍‌-୧ଓ ଆଇଟିଆର୍‌-୪ ଫର୍ମ ଜାରି କରାଯାଇଥିଲା। ଏବେ ସେହି ଦୁଇ ଫର୍ମ ସମେତ ଅନ୍ୟ ସମସ୍ତ ସମସ୍ତ ଆଇଟିଆର୍‌ ଫର୍ମଗୁଡ଼ିକୁ ଜାରି କରାଯାଇଛି। ଆୟକର ଦାଖଲ କରିବା ଲାଗି ସରକାର ଯେଉଁ ସମୟ ସୀମା ବୃଦ୍ଧି କରିଛନ୍ତି ସେହି ସମୟରେ ଟିକସଦାତାମାନେ କେତେ ନିବେଶ, ଜମା ଓ ଦାନ କରିଛନ୍ତି ତାହା ଆୟକର ବିଭାଗ ଜାଣିବାକୁ ଚାହୁଛି। ସାଧାରଣତଃ ଏପ୍ରିଲ୍ ପ୍ରଥମ ସପ୍ତାହରେ ନୂଆ ଆଇଟିଆର୍‌ ଫର୍ମ ଜାରି କରାଯାଇଥାଏ। ମାତ୍ର ଚଳିତ ବର୍ଷ କୋଭିଡ୍‌-୧୯ ମହାମାରୀ ଦେଖାଦେଇଥିବାରୁ ପୁଣି ଥରେ ସବୁ ପ୍ରକାର ଫର୍ମକୁ ସଂଶୋଧିତ ରୂପରେ ଜାରି କରାଯାଇଛି। ଆଇଟିଆର୍‌-୧ ସହଜକୁ ସାଧାରଣ ଟିକସଦାତାମାନେ ପଇଠ କରିଥାନ୍ତି। ଆବାସିକ ବ୍ୟକ୍ତି, ଅବିଭକ୍ତ ହିନ୍ଦୁ ପରିବାର ଓ ସଂସ୍ଥାଗୁଡ଼ିକ ପାଇଁ ଆଇଟିଆର୍‌-୪ ସୁଗମ ଫର୍ମକୁ ପ୍ରସ୍ତୁତ କରାଯାଇଛି। ବ୍ୟବସାୟ ପ୍ରତିଷ୍ଠାନ ତରଫରୁ ଆଇଟିଆର୍‌-୩ ଓ ଆଇଟିଆର୍‌-୬ ଫର୍ମ ଦାଖଲ କରାଯାଇଛି। ଯେଉଁ ବ୍ୟକ୍ତିମାନେ ଆବାସିକ ସମ୍ପତ୍ତିରୁ ଆୟ କରିଥାନ୍ତି ସେମାନଙ୍କୁ ଆଇଟିଆର୍‌-୨ ଦାଖଲ କରିବାକୁ ପଡ଼େ। ଲିମିଟେଡ୍ ଲାୟବିଲିଟି ପାର୍ଟନରସିପ୍ (ଏଲ୍‌ଏଲ୍‌ପି) ଓ ଆସୋସିଏସନ୍ ଅଫ୍ ପର୍ସନ୍ସ (ଏଓପି) ଆଇଟିଆର୍‌-୫ ଫର୍ମ ଦାଖଲ କରିଥାନ୍ତି। ଟ୍ରଷ୍ଟ୍‌ କିମ୍ବା ଅନ୍ୟ ଯେକୌଣସି ଆଇନଗତ ବ୍ୟବସ୍ଥା ଅଧୀନରେ ଥିବା ସମ୍ପତ୍ତିରୁ ହେଉଥିବା ଆୟ ପାଇଁ ଆଇଟିଆର୍‌-୭ ଫର୍ମ ଦାଖଲ କରିବାକୁ ପଡ଼ିଥାଏ।

ସମ୍ବନ୍ଧିତ ଖବର