ଭୁବନେଶ୍ବର : ଉଦ୍ୟୋଗୀଙ୍କୁ ଅନୁକୂଳ ବାତାବରଣ ଯୋଗାଇବା କ୍ଷେତ୍ରରେ ଓଡ଼ିଶା ଅନ୍ୟ ରାଜ୍ୟ ତୁଳନାରେ ଆଗରେ ରହିଛି। ଏହାସତ୍ତ୍ବେ ରାଜ୍ୟ ସରକାର ରାଜ୍ୟର ଶିଳ୍ପ ବିକାଶ ସଂପର୍କିତ ସବୁ ସମସ୍ୟାର ସମାଧାନ ପାଇଁ ଉଦ୍ୟମ କରୁଛନ୍ତି। ଶିଳ୍ପ ସଂଘ ୟୁସିସିଆଇର କାର୍ଯ୍ୟନିର୍ବାହୀ କମିଟି ବୈଠକରେ ଶନିବାର ଉଦ୍ବୋଧନ ଦେଇ ରାଜ୍ୟ ଶିଳ୍ପ, ଏମଏସଏମଇ, ଶକ୍ତି ଏବଂ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଏହା କହିଛନ୍ତି।
ରାଜ୍ୟ ସରକାର ଖୁବ୍ଶୀଘ୍ର ନୂଆ ଶିଳ୍ପ ନୀତି ଘୋଷଣା କରିବେ। ଏଥିରେ ରାଜ୍ୟର ବ୍ୟବସାୟିକ ବାତାବରଣରେ ଉନ୍ନତି ଲାଗି ବୈପ୍ଳବିକ ପରିବର୍ତ୍ତନ ଅଣାଯିବ। ରାଜ୍ୟରେ ଶିଳ୍ପାୟନ ପାଇଁ ବ୍ୟାପକ ସମ୍ଭାବନା ରହିଛି। ସେହି ସମ୍ଭାବନାକୁ ବାସ୍ତବତାରେ ପରିଣତ କରିବା ପାଇଁ ରାଜ୍ୟ ସରକାର ନୂଆ ଶିଳ୍ପ ନୀତିରେ ଆବଶ୍ୟକ ପରିବର୍ତ୍ତନ କରିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି। ଏଥିସହିତ କରୋନା ମହାମାରୀ ସମୟରେ ପୁଞ୍ଜିନିବେଶ କ୍ଷେତ୍ରରେ ଦେଶରେ ଓଡ଼ିଶା ଦ୍ବିତୀୟ ପସନ୍ଦଯୋଗ୍ୟ ସ୍ଥାନ ହୋଇପାରିଛି। ରାଜ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ରହିଥିବା ରାଜନୈତିକ ସ୍ଥିରତା ଏବଂ ଅନୁକୂଳ ନିବେଶ ବାତାବରଣ ଯୋଗୁ ଏହା ସମ୍ଭବ ହୋଇପାରିଛି ବୋଲି ସେ କହିଛନ୍ତି। ଇଡକୋର ଜମି ଆବଣ୍ଟନ ଏବଂ କଳ କାରଖାନାଗୁଡ଼ିକୁ ବିଦ୍ୟୁତ୍ ଯୋଗାଣ ନେଇ ଉଦ୍ୟୋଗୀମାନଙ୍କ ମଧ୍ୟରେ ରହିଥିବା ସଂଶୟକୁ ମନ୍ତ୍ରୀ ଦୂର କରିଥିଲେ। ରାଜ୍ୟକୁ ଦେଶର ଏକ ପ୍ରମୁଖ ଶିଳ୍ପ କେନ୍ଦ୍ରରେ ପରିଣତ କରିବା ଲାଗି ସମସ୍ତ ପ୍ରକାର ଉଦ୍ୟମ କରାଯିବ ବୋଲି ସେ କହିଛନ୍ତି। କରୋନା ମହାମାରୀ ଯୋଗୁ ଏମ୍ଏସ୍ଏମ୍ଇ କ୍ଷେତ୍ର ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଏହି ଅବସରରେ ୟୁସିସିଆଇର ସଭାପତି ବ୍ରହ୍ମା ମିଶ୍ର ଦାବି ଉପସ୍ଥାପନ କରିଥିଲେ। ଋଣ ପରିଶୋଧ ଛାଡ଼ ଅବଧିକୁ ୨୦୨୨ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବୃଦ୍ଧି କରିବା ଏବଂ ଏନ୍ପିଏର ପୁନର୍ଗଠନ ପାଇଁ ପ୍ରସ୍ତାବ ଦେଇଥିଲେ। ସଂଘର ଉପସଭାପତି (ବାଣିଜ୍ୟ) ଅଶୋକ ସାରଦା ଏହି କାର୍ଯ୍ୟକ୍ରମରେ ଧନ୍ୟବାଦ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/03/WhatsApp-Image-2021-02-28-at-3.17.29-PM.jpg)