ନୂଆଦିଲ୍ଲୀ : ଆସନ୍ତା ମାସରୁ ଦେଶରେ ନୂଆ ଶ୍ରମ କୋଡ୍‌ କାର୍ଯ୍ୟକାରୀ ହୋଇପାରେ। ୨୯ଟି କେନ୍ଦ୍ରୀୟ ଶ୍ରମ ନିୟମକୁ ପରିବର୍ତ୍ତନ କରି ୪ଟି କୋଡ୍‌ରେ ପରିଣତ କରାଯାଇଛି। ନୂଆ ଶ୍ରମ କୋଡ୍‌ କାର୍ଯ୍ୟକାରୀ ହେଲେ କର୍ମଚାରୀଙ୍କ ପକେଟକୁ କମ୍‌ ବେତନ ଆସିପାରେ। କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ବାବଦ ଯୋଗଦାନ ବଢ଼ିପାରେ। ଏଥିସହିତ ସପ୍ତାହକୁ ୪ ଦିନ କାମ କରିବାର ସୁଯୋଗ ମଧ୍ୟ ମିଳିପାରେ। ତେବେ ଦିନକୁ ୮ ଘଣ୍ଟା ପରିବର୍ତ୍ତେ ସେମାନଙ୍କୁ ୧୨ ଘଣ୍ଟା କାମ କରିବାକୁ ପଡ଼ିବ।

Advertisment

ସରକାର ନୂଆ ଶ୍ରମ କୋଡ୍‌କୁ କାର୍ଯ୍ୟକାରୀ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। କିନ୍ତୁ କେତେକ ରାଜ୍ୟ ୪ଟି ଯାକ ଶ୍ରମ କୋଡ୍‌ର ଢାଞ୍ଚା ପ୍ରସ୍ତୁତ କରିନାହାନ୍ତି। କେବଳ ୨୩ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଚିଠା ନିୟମ ଜାରି କରିଛନ୍ତି ବୋଲି ଅତୀତରେ ଲୋକସଭାରେ ଶ୍ରମ ଓ ନିଯୁକ୍ତି ରାଷ୍ଟ୍ରମନ୍ତ୍ରୀ ରାମେଶ୍ବର ତେଲି ସୂଚନା ଦେଇଥିଲେ। ନୂଆ ଶ୍ରମ କୋଡ୍‌ ଲାଗୁ ହେଲେ କମ୍ପାନି ଗୁଡ଼ିକ ଶ୍ରମିକମାନଙ୍କ ଦୈନିକ କାର୍ଯ୍ୟ ସମୟ ୮ ଘଣ୍ଟାରୁ ୧୨ ଘଣ୍ଟାକୁ ବୃଦ୍ଧି କରିବେ। କିନ୍ତୁ ଏହା ବଦଳରେ ସେମାନଙ୍କୁ ପ୍ରତି ସପ୍ତାହରେ ୩ ଦିନ ଛୁଟି ମିଳିବ। ଅର୍ଥାତ୍ ୪ ଦିନ ସେମାନେ କାମ କରିବେ। ଏହାଦ୍ବାରା ସେମାନଙ୍କ ସାପ୍ତାହିକ କାର୍ଯ୍ୟ ସମୟ ପ୍ରଭାବିତ ନହୋଇ ୪୮ ଘଣ୍ଟାରେ ରହିବ। କର୍ମଚାରୀଙ୍କ ମୂଳ ବେତନ ସେମାନଙ୍କ ମୋଟ ମାସିକ ବେତନର ଅତିକମରେ ୫୦ ପ୍ରତିଶତ ହେବ। ଏହାଦ୍ବାରା କର୍ମଚାରୀ ଓ ନିଯୁକ୍ତିଦାତାମାନେ ଭବିଷ୍ୟନିଧି ପାଣ୍ଠିକୁ ପ୍ରଦାନ କରୁଥିବା ଯୋଗଦାନ ରାଶି ବୃଦ୍ଧି ପାଇବ। ନୂଆ ଶ୍ରମ ଆଇନ ଅନୁସାରେ କର୍ମଚାରୀମାନଙ୍କ ଅବସରକାଳୀନ ପାଣ୍ଠି ଓ ଗ୍ରାଚ୍ୟୁଇଟି ବୃଦ୍ଧି ପାଇବ। ଶ୍ରମ କୋଡ୍‌ ସଂସଦରେ ଗୃହୀତ ହୋଇସାରିଛି। କିନ୍ତୁ ସବୁ ରାଜ୍ୟ ନୂଆ କୋଡ୍‌କୁ ମଞ୍ଜୁରି ଦେଇନାହାନ୍ତି।