ଶିଳ୍ପ ବର୍ଜ୍ୟ ପାଇଁ ଆସିବ ନୂଆ ନୀତି, ଚିଠା ପ୍ରସ୍ତୁତ ହୋଇସାରିଛି

ମନ୍ତ୍ରଣାଳୟଗୁଡ଼ିକ ସହ ଆଲୋଚନା ଚାଲିଛି

ଭୁବନେଶ୍ବର: ଖଣି ଖାଦାନ ଓ କଳ କାରଖାନାରେ ସୃଷ୍ଟି ହେଉଥିବା ବର୍ଜ୍ୟବସ୍ତୁର ମୁକାବିଲା ଲାଗି ୟୁରୋପୀୟ ରାଷ୍ଟ୍ର ଓ ଚୀନ୍‌ରେ ସ୍ବତନ୍ତ୍ର ନୀତି ରହିଛି। କିନ୍ତୁ, ଭାରତରେ ଆଜି ପର୍ଯ୍ୟନ୍ତ ଏଥିପାଇଁ ନୀତି ପ୍ରସ୍ତୁତ ହୋଇପାରିନାହିଁ। କିଛି ଦିନ ତଳେ ପରିବେଶ ମନ୍ତ୍ରଣାଳୟ ତରଫରୁ ଏନେଇ ଏକ ଚିଠା ପ୍ରସ୍ତୁତ କରାଯାଇଛି। ଶିଳ୍ପ ସଂସ୍ଥାଗୁଡ଼ିକରେ ସୃଷ୍ଟି ହେଉଥିବା ବର୍ଜ୍ୟବସ୍ତୁକୁ କିଭଳି ସଠିକ୍ ଢଙ୍ଗରେ ରିସାଇକଲ୍‌ କରାଯାଇପାରିବ ସେନେଇ ଏଥିରେ ବ୍ୟବସ୍ଥା କରାଯାଇଛି। ବର୍ତ୍ତମାନ ଏହି ଚିଠା ନୀତି ଉପରେ ବିଭିନ୍ନ ମନ୍ତ୍ରଣାଳୟ ସହ ଆଲୋଚନା ଜାରି ରହିଛି। ଏହି ପ୍ରକ୍ରିୟା ଶେଷ ହେବା ପରେ ଚିଠା ନୀତି ଚୂଡ଼ାନ୍ତ ହୋଇଯିବ ବୋଲି ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦର ସଦସ୍ୟ ସଚିବ ରତନ ପି ୱାଟାଲ୍‌ କହିଛନ୍ତି।

ଆଜିଠାରୁ ହୋଟେଲ୍‌ ମେ’ଫେୟାରରେ ଭାରତୀୟ ଆଲୁମିନିୟମ ସଂଘ (ଏଏଆଇ), ମାଟେରିଆଲ୍ ରିସାଇକ୍ଲିଂ ଆସୋସିଏସନ୍ ଅଫ୍‌ ଇଣ୍ଡିଆ (ଏମ୍‌ଆର୍‌ଏଆଇ) ଓ ଆଲୁମିନିୟମ ସେକେଣ୍ଡାରି ମାନୁଫାକ୍‌ଚର୍ସ ଆସୋସିଏସନ (ଏଏସ୍‌ଏମ୍‌ଏ)ର ମିଳିତ ଆନୁକୂଲ୍ୟରେ ଆରମ୍ଭ ହୋଇଥିବା ତିନିଦିନିଆ ‘ଦକ୍ଷତା ବିକାଶ ଓ ଆଲୁମିନିୟମ ସମ୍ବନ୍ଧୀୟ ସଚେତନତା’ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବା ଅବସରରେ ଶ୍ରୀ ୱାଟାଲ୍‌ ଏହା କହିଛନ୍ତି। ସେ କହିଲେ, ଓଡ଼ିଶାରେ ଚାରିଟି କ୍ଷେତ୍ର-ଆଲୁମିନିୟମ୍, ଇସ୍ପାତ, କନ୍‌ଷ୍ଟ୍ରକ୍ସନ ଓ ଇଲେକ୍ଟ୍ରାନିକ୍ସ କ୍ଷେତ୍ରର ବର୍ଜ୍ୟ ଉପରେ ବିଶେଷ ଗୁରୁତ୍ବ ଦିଆଯାଉଛି। ଏହି ସବୁ ବର୍ଜ୍ୟବସ୍ତୁକୁ କିଭଳି ରିସାଇକଲ୍‌ କରାଯାଇପାରିବ ଓ ତାହାକୁ ନେଇ କ’ଣ ସବୁ ସମସ୍ୟା ରହିଛି ତାହା ଜାଣିବା ଲାଗି ଆମେ ଏହି କାର୍ଯ୍ୟକ୍ରମ ଆୟୋଜନ କରିଛୁ। ଏଠାରେ ଶିଳ୍ପ ସଂସ୍ଥାଗୁଡ଼ିକ ସେମାନଙ୍କ ସମସ୍ୟା ବିଷୟରେ ଆମକୁ ଜଣାଇବେ। ଶିଳ୍ପ ବର୍ଜ୍ୟକୁ କିଭଳି ଉପଯୁକ୍ତ ଢଙ୍ଗରେ ମୁକାବିଲା କରାଯାଇପାରିବ ସେ ନେଇ ସୁପାରିସ୍‌ ମଧ୍ୟ ପ୍ରଦାନ କରିବେ। ଓଡ଼ିଶାରେ ଆଲୁମିନିୟମ୍ ଏକ ବଡ଼ କ୍ଷେତ୍ର। ଏଠାରେ ୩୦% ଜିନିଷ ମାଧ୍ୟମିକ ସ୍ତରରେ ରହିଛି। ଆଉ କିଛିଟା ଉଦ୍ୟମ କଲେ ସେହି ଅନୁପାତକୁ ୯୦%ରେ ପହଞ୍ଚାଇହେବ ବୋଲି ସେ କହିଛନ୍ତି। ଏହି ଅବସରରେ ଉଦ୍‌ବୋଧନ ଦେଇଥିବା ବକ୍ତାମାନେ କହିଛନ୍ତି ଯେ, ରେଡ୍‌ ମଡ୍‌, ଫ୍ଲାଏ ଆସ୍‌, ସ୍ପେଣ୍ଟ୍‌ ପଟ୍‌ଲାଇନ୍ ଓ ଡ୍ରସ୍‌ ଆଦି ଶିଳ୍ପ ବର୍ଜ୍ୟବସ୍ତୁକୁ ବ୍ୟବହାର କରି ମୂଲ୍ୟଯୁକ୍ତ ଉତ୍ପାଦ ବିକଶିତ କରାଯାଇପାରିବ। ଏହି ଅବସରରେ ଦେଶର ତିନି ପ୍ରମୁଖ ଆଲୁମିନିୟମ୍ ଉତ୍ପାଦନକାରୀ ନାଲ୍‌କୋ, ବେଦାନ୍ତ ଓ ହିଣ୍ଡାଲ୍‌କୋ ଯୋଗ ଦେଇଛନ୍ତି। ଏହା ବ୍ୟତୀତ ବିଭିନ୍ନ ମନ୍ତ୍ରଣାଳୟ, ନିତି ଆୟୋଗ, ଆଇବିଏମ୍, ବିଆଇଏସ୍‌ର ପ୍ରତିନିଧି, ଯୁବ ଶିଳ୍ପଦ୍ୟୋଗୀ, ଶିକ୍ଷାବିତ୍ ଓ ଛାତ୍ରଛାତ୍ରୀମା‌ନେ ଅଂଶଗ୍ରହଣ କରିଛନ୍ତି।

ଏହି ଅବସରରେ ଜେଏନ୍‌ଏଆର୍‌ଡିଡିସିର ନିର୍ଦେଶକ ଡକ୍ଟର ଅନୁପମ ଅଗ୍ନିହୋତ୍ରୀ, କେନ୍ଦ୍ର ସରକାରଙ୍କ ବୈଜ୍ଞାନିକ ପରାମର୍ଶଦାତା ଅଫିସ୍‌ର ବରିଷ୍ଠ ଉପଦେଷ୍ଟା ଡକ୍ଟର ବି ଏନ୍‌ ଶତପଥୀ, ଖଣି ନିର୍ଦେଶକ ଅମିତ୍ ଶରଣ, ହିଣ୍ଡାଲ୍‌କୋର ଏମ୍‌ସିଓଇ ବିଭୁ ମିଶ୍ର, ନାଲ୍‌କୋର କାର୍ଯ୍ୟନିର୍ବାହୀ ନିର୍ଦେଶକ ଷଡ଼ାନନ ଚୌଧୁରୀ ଓ ଏମ୍‌ଆର୍‌ଏଆଇର ଉପସଭାପତି କିଶୋର ରାଜ‌ପୁରୋହିତ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର