ବିଦ୍ୟାଳୟ ଶିକ୍ଷା ପାଇଁ ଆସିବ ନୂଆ ସମନ୍ଵିତ ସ୍କିମ୍‌

ନୂଆଦିଲ୍ଲୀ: ବିଦ୍ୟାଳୟ ଶିକ୍ଷା ପାଇଁ ନୂଆ ସମନ୍ଵିତ ସ୍କିମ୍‌ ପ୍ରସ୍ତୁତ କରିବା ସମ୍ପର୍କିତ ପ୍ରସ୍ତାବକୁ କ୍ୟାବିନେଟ୍‌ ଅନୁମୋଦନ ମିଳିଛି। ସର୍ବ ଶିକ୍ଷା ଅଭିଯାନ, ରାଷ୍ଟ୍ରୀୟ ମାଧ୍ୟମିକ ଶିକ୍ଷା ଅଭିଯାନ, ଟିଚର୍ସ ଟ୍ରେନିଂକୁ ଏକତ୍ରୀତ କରି ଏହି ସ୍କିମ୍‌ ପ୍ରସ୍ତୁତ କରାଯିବ। ୨୦୧୮ ଏପ୍ରିଲ୍‌ରୁ ୨୦୨୦ ମାର୍ଚ ପର୍ଯ୍ୟନ୍ତ ଏହି ସ୍କିମ୍‌ ପ୍ରସ୍ତୁତ କରାଯିବ। ଏଥିପାଇଁ ୭୫ ହଜାର କୋଟି ଟଙ୍କା ଆବଣ୍ଟନ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଆଜି ଗ୍ରହଣ କରାଯାଇଥିବା ଅନ୍ୟ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିଗୁଡ଼ିକ ହେଉଛି ଶିକ୍ଷା ଋଣ ସ୍କିମ୍‌ ପାଇଁ କ୍ରେଡିଟ୍‌ ଗ୍ୟାରେଣ୍ଟି ଫଣ୍ଡ୍‌କୁ ୨୦୧୯-୨୦ ପର୍ଯ୍ୟନ୍ତ ଜାରି ରଖିବା। ଏଥିପାଇଁ ୬୬୦୦ କୋଟି ଟଙ୍କାର ଅଟକଳ ପ୍ରସ୍ତୁତ କରାଯାଇଛି। ଏହି ଅବଧିରେ ୧୦ ଲକ୍ଷ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଋଣ ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଛି। ସୋରିଷ ତେଲ ବ୍ୟତୀତ ଅନ୍ୟ ଖାଇବା ତେଲଗୁଡ଼ିକୁ ବିପୁଳ ପରିମାଣରେ ରପ୍ତାନି କରିବା ଅନୁମତି ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀ ରୋଜଗାର ପ୍ରୋତ୍ସାହନ ଯୋଜନାର ପରିସୀମା ବୃଦ୍ଧି କରାଯାଇଛି। ଦେଶରେ ଥିବା ୬୬୯ଟି କୃଷି ବିଜ୍ଞାନ କେନ୍ଦ୍ରକୁ ସୁଦୃଢ଼ କରିବା ନିଷ୍ପତ୍ତି ମଧ୍ୟ ଗ୍ରହଣ କରାଯାଇଛି। ପୁଷ୍ଟି ଭିତ୍ତିକ ସବ୍‌ସିଡି ଓ ସିଟି କମ୍ପୋଷ୍ଟ୍‍ ସ୍କିମ୍‌କୁ ୨୦୨୦ ପର୍ଯ୍ୟନ୍ତ ଜାରି ରଖିବାକୁ ମଧ୍ୟ କ୍ୟାବିନେଟ୍‌ କମିଟି ବୈଠକରେ ନିଷ୍ପତ୍ତି ଦିଆଯାଇଛି। ନ୍ୟାସନାଲ୍‌ ମେଡିକାଲ୍‌ କମିସନ୍‌ ବିଲ୍‌ର ଏକ ସଂଶୋଧନକୁ ମଧ୍ୟ ମଞ୍ଜୁରି ମିଳିଛି।

ସମ୍ବନ୍ଧିତ ଖବର