ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀର ପରେ ଭାରତରେ ଦ୍ବିତୀୟ ଲିଥିଅମ୍ ଖଣି ରାଜସ୍ଥାନରେ ଠାବ ହୋଇଛି। ଭାରତୀୟ ଭୂବୈଜ୍ଞାନିକ ସର୍ବେକ୍ଷଣ (ଜିଏସ୍ଆଇ) ପକ୍ଷରୁ ରାଜସ୍ଥାନର ନାଗଉର ସ୍ଥିତ ଦେଗାନାରେ ଏହି ଖଣିକୁ ଠାବ କରାଯାଇଛି। ତିନି ମାସ ପୂର୍ବରୁ ଜମ୍ମୁ ଓ କାଶ୍ମୀରରେ ୫.୯ ନିୟୁତ ଟନ୍ ଲିଥିଅମ୍ ଗଚ୍ଛିତ ଥିବା ଏକ ଖଣି ଠାବ କରାଯାଇଥିଲା। ତେବେ ରାଜସ୍ଥାନ ଖଣିରେ କେତେ ପରିମାଣର ଲିଥିଅମ୍ ରହିଛି ତାହା ଘୋଷଣା କରାଯାଇନାହିଁ। ନେଟ୍ ଜିରୋ ଲକ୍ଷ୍ୟ ହାସଲ କରିବା ସହ ଇଲେକ୍ଟ୍ରିକ୍ ଯାନ ଗ୍ରହଣୀୟତା ବଢ଼ାଇବା ଲାଗି ଉଦ୍ୟମ କରୁଥିବା ଭାରତ ପାଇଁ ଲିଥିଅମ୍ ଭଣ୍ଡାରର ସନ୍ଧାନ ଏକ ବହୁତ ବଡ଼ ଖବର। କାରଣ ଇଲେକ୍ଟ୍ରିକ୍ ଗାଡ଼ିରେ ବ୍ୟବହାର ହେଉଥିବା ବ୍ୟାଟେରିର ଏକ ପ୍ରମୁଖ ଉପାଦାନ ହେଉଛି ଲିଥିଅମ୍ ଯାହାକୁ ଭାରତ ବର୍ତ୍ତମାନ ସୁଦ୍ଧା ଆମଦାନି କରୁଛି। କିଛି ହାତଗଣତି ଦେଶ ପାଖରେ ଲିଥିଅମ୍ ରହିଛି। ଇଲେକ୍ଟ୍ରିକ୍ ଗାଡ଼ି ଦାମ୍ର ଏକ ବଡ଼ ଭାଗ ହେଉଛି ବ୍ୟାଟେରି। ସେଥିରେ ବ୍ୟବହାର ହେଉଥିବା ଲିଥିଅମ୍ ଯଦି କମ୍ ଦାମ୍ରେ ଦେଶ ଭିତରେ ଉପଲବ୍ଧ ହେବ ତେବେ ବ୍ୟାଟେରି ମୂଲ୍ୟ କମିବ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp