ନୂଆଦିଲ୍ଲୀ: ନୂଆବର୍ଷରୁ ବ୍ୟାଙ୍କଗୁଡ଼ିକ ନୂଆ ଲକର ନିୟମ ଲାଗୁ କରିବେ। ୨୦୨୩ ଜାନୁଆରି ୧ ସୁଦ୍ଧା ଗ୍ରାହକମାନଙ୍କ ସହ ଲକର ଚୁକ୍ତିର ନବୀକରଣ କରିବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ବ୍ୟାଙ୍କଗୁଡ଼ିକୁ କୁହାଯାଇଥିଲା। ନୂଆ ନିୟମ ଅନୁସାରେ ଗ୍ରାହକମାନଙ୍କୁ ଲକର ରଖିବା ପାଇଁ ଯୋଗ୍ୟତାର ପ୍ରମାଣ ଦେବାକୁ ପଡ଼ିବ। ୨୦୨୧ ଅଗଷ୍ଟରେ ରିଜର୍ଭ ବ୍ୟାଙ୍କ ଏହି ନୂଆ ନିୟମ ଜାରି କରିଥିଲା ଯାହା ନୂଆବର୍ଷରୁ ଲାଗୁ ହେବାକୁ ଯାଉଛି। ସୁପ୍ରିମ୍‌କୋର୍ଟଙ୍କ ନିର୍ଦେଶ ଅନୁସାରେ ଭାରତୀୟ ବ୍ୟାଙ୍କ ସଂଘ (ଆଇବିଏ) ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ମଡେଲ୍ ଲକର ରାଜିନାମାକୁ ବ୍ୟବହାର କରିବା ଲାଗି ବ୍ୟାଙ୍କଗୁଡ଼ିକୁ ଭାରତୀୟ ରିଜର୍ଭ ବ୍ୟାଙ୍କ କହିଛନ୍ତି। ଷ୍ଟ୍ରଙ୍ଗ୍‌ ରୁମ୍‌ର ପ୍ରବେଶ ଓ ପ୍ରସ୍ଥାନ ଦ୍ବାରରେ ସିସିଟିଭି କ୍ୟାମେରା ଲଗାଇବା ଏବଂ ତାହାର ରେକର୍ଡିଂକୁ ଅତିକମ୍‌ରେ ୧୮୦ ଦିନ ପର୍ଯ୍ୟନ୍ତ ରଖିବା ଲାଗି ବ୍ୟାଙ୍କଗୁଡ଼ିକୁ କୁହାଯାଇଛି। ଯଦି କୌଣସି ଗ୍ରାହକ ତାଙ୍କ ଲକର ବିଷୟରେ କିଛି ଅଭିଯୋଗ କରନ୍ତି ତାହାର ସତ୍ୟତା ଜାଣିବା ଲାଗି ସିସିଟିଭି ରେକର୍ଡିଂ ଯାଞ୍ଚ କରାଯିବ। ଅଗ୍ନିକାଣ୍ଡ କିମ୍ବା କୋଠା ଭାଙ୍ଗିଯିବା କିମ୍ବା ଡକାୟତି ଭଳି ମାମଲାରେ ଜମାକାରୀ ଲକରରେ ଥିବା ମୂଲ୍ୟର ୧୦୦ ଗୁଣା ପର୍ଯ୍ୟନ୍ତ ରାଶି ବ୍ୟାଙ୍କଠାରୁ ପାଇପାରିବେ। ମାତ୍ର ପ୍ରାକୃତିକ ବିପର୍ଯ୍ୟୟ କିମ୍ବା ଆକ୍ଟ ଅଫ୍‌ ଗଡ୍‌ ଭଳି ମାମଲାରେ ବ୍ୟାଙ୍କ କୌଣସି କ୍ଷତିପୂରଣ ଦେବନାହିଁ।

Advertisment

ଯଦି କୌଣସି ସରକାରୀ ଏଜେନ୍‌ସି କୌଣସି ଗ୍ରାହକଙ୍କ ଲକର ଉପରେ ଚଢ଼ଉ କିମ୍ବା ତାହାକୁ ଜବତ କରିବା ଲାଗି ଚାହୁଥିବେ ତେବେ ସେ ସମ୍ପର୍କରେ ବ୍ୟାଙ୍କ ପକ୍ଷରୁ ଗ୍ରାହକଙ୍କୁ ସୂଚନା ଦେବାକୁ ପଡ଼ିବ। ଚିଠି, ଇ-ମେଲ୍ କିମ୍ବା ଏସ୍‌ଏମ୍‌ଏସ୍‌ ଜରିଆରେ ଗ୍ରାହକଙ୍କୁ ସୂଚନା ଦେବାକୁ ପଡ଼ିବ। ନୂଆ ନିୟମ ଅନୁସାରେ ଲକର ଆବଣ୍ଟନ କରିବା ଲାଗି ତିନି ବର୍ଷର ଭଡ଼ା ସୂତ୍ରରେ ଗ୍ରାହକଙ୍କଠାରୁ ବ୍ୟାଙ୍କ ଏକ ଟର୍ମ ଡିପୋଜିଟ୍ (ମିଆଦୀ ଜମା) ଦାବି କରିପାରିବ। କିନ୍ତୁ କୌଣସି ପୁରୁଣା ଲକର ଗ୍ରାହକଙ୍କଠାରୁ ଯେଭଳି ଜମାର ଦାବି କରାଯାଇପାରିବ ନାହିଁ।