ନୂଆଦିଲ୍ଲୀ: ବିମୁଦ୍ରୀକରଣ ପରେ ଜାରି କରାଯାଇଥିବା ନୂଆ ନୋଟ୍ଗୁଡ଼ିକର ମାନ ବହୁତ ଖରାପ। ଏଭଳି ଏକ ରିପୋର୍ଟ ଏକ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି। ନୂଆ ନୋଟ୍ଗୁଡ଼ିକରେ ଅତି ଖରାପ ମାନର କାଗଜ ବ୍ୟବହାର କରାଯାଇଥିଲା। ପୂର୍ବରୁ ଛପା ହେଉଥିବା ନୋଟ୍ ତୁଳନାରେ ଏହି କାଗଜଗୁଡ଼ିକ ନିକୃଷ୍ଟ ମାନର ଥିଲା। ସେଥିପାଇଁ ଏହି ନୂଆ ନୋଟ୍ଗୁଡ଼ିକୁ ଅଧିକ ଦିନ ବ୍ୟବହାର କରାଯାଇପାରିବ ନାହିଁ। ଦୁଇ ବର୍ଷ ପରେ ବହୁ ନୂଆ ନୋଟ୍ ବ୍ୟବହାର ଅନୁପଯୋଗୀ ହୋଇଯାଇଛି। ଏଟିଏମ୍ରେ ମଧ୍ୟ ତାହାକୁ ଭର୍ତି କରାଯାଇପାରିବ ନାହିଁ। କାରଣ ନୋଟ୍ର ମାନ ଖରାପ ହୋଇଯାଇଥିବାରୁ ଏଟିଏମ୍ର ସେନ୍ସର୍ ସେଗୁଡ଼ିକୁ ଠିକ୍ ଭାବେ ଚିହ୍ନଟ କରିପାରୁ ନାହିଁ। ନୂଆ ଦୁଇ ହଜାର ଟଙ୍କିଆ ଠାରୁ ଆରମ୍ଭ କରି ନୂଆ ୫୦୦ ଓ ୧୦ ଟଙ୍କିଆ ପର୍ଯ୍ୟନ୍ତ ପ୍ରାୟ ସବୁ ପ୍ରକାର ନୋଟ୍ ଏଭଳି ନିମ୍ନ ମାନର କାଗଜରେ ଛପା ଯାଇଛି। ସେଗୁଡ଼ିକ ମଧ୍ୟରୁ ଅଧିକାଂଶ ନୋଟ୍ ଧୀରେ ଧୀରେ ବ୍ୟବହାର ଅନୁପଯୋଗୀ ହୋଇଗଲାଣି। ବ୍ୟାଙ୍କ ସ୍ତରରେ ଏଭଳି ଖରାପ ନୋଟ୍ଗୁଡ଼ିକର ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ସେଗୁଡ଼ିକୁ ‘ବ୍ୟବହାର ଅନୁପଯୋଗୀ’ ବର୍ଗରେ ରଖାଯାଉଛି। କିନ୍ତୁ, ସରକାର କହୁଛନ୍ତି ଯେ, ନୋଟ୍ର ମାନ ସହିତ କୌଣସି ପ୍ରକାର ସାଲିସ୍ କରାଯାଇନାହିଁ। ନୂଆ ନୋଟ୍ରେ ଅତିରିକ୍ତ ସୁରକ୍ଷା ବୈଶିଷ୍ଟ୍ୟ ବ୍ୟବହାର କରାଯାଇଛି ଓ ସେଗୁଡ଼ିକର ଜାଲ୍ ନୋଟ୍ ବାହାର କରିବା ଅତ୍ୟନ୍ତ କଷ୍ଟକର ବୋଲି ସରକାରୀ ସୂତ୍ରରୁ କୁହାଯାଇଛି। ଅର୍ଥ ମନ୍ତ୍ରଣାଳୟ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଲୋକମାନଙ୍କ ଯୋଗୁ ନୋଟ୍ର ମାନ ଖରାପ ହେଉଛି। ସେମାନେ ନୋଟ୍କୁ ମୋଡ଼ିମକଚି ପକେଟ୍ ଭିତରେ ରଖନ୍ତି କିମ୍ବା ଶାଢ଼ୀ ଓ ଧୋତିରେ ଗଣ୍ଠି ପକାଇ ରଖନ୍ତି। ସେଥିପାଇଁ ନୋଟ୍ଗୁଡ଼ିକର ମାନ ଖରାପ ହୋଇଯାଏ ବୋଲି ସେ କହିଛନ୍ତି। ବ୍ୟାଙ୍କଗୁଡ଼ିକ ସେହି ନୋଟ୍ଗୁଡ଼ିକୁ ‘ବ୍ୟବହାର ଅନୁପଯୋଗୀ’ ବର୍ଗରେ ସାମିଲ କରନ୍ତି ଯେଉଁଗୁଡ଼ିକୁ ଏଟିଏମ୍ରେ ବ୍ୟବହାର କରାଯାଇପାରେ ନାହିଁ କିମ୍ବା ଯେଉଁ ନୋଟ୍ ଲୋକମାନଙ୍କ ଦ୍ବାରା ସହଜରେ ଗ୍ରହଣୀୟ ହୁଏ ନାହିଁ। ଖରାପ ନୋଟ୍ଗୁଡ଼ିକୁ ଚିହ୍ନଟ କରିବା ପରେ ତାହାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ନିକଟକୁ ପଠାଇ ଦିଆଯାଏ। ରିଜର୍ଭ ବ୍ୟାଙ୍କ ସେଗୁଡ଼ିକୁ ପ୍ରଚଳନରୁ ପ୍ରତ୍ୟାହାର କରିନେଇଥାନ୍ତି। ଚିରା ଫଟା ନୋଟ୍ଗୁଡ଼ିକୁ ମଧ୍ୟ ବ୍ୟବହାର ଅନୁପଯୋଗୀ ନୋଟ୍ ବର୍ଗରେ ସାମିଲ କରାଯାଏ। ନୋଟ୍ଗୁଡ଼ିକୁ ବ୍ୟବହାର ଅନୁପଯୋଗୀ ବର୍ଗରେ ସାମିଲ ନକରିବା ପାଇଁ ରିଜର୍ଭ ବ୍ୟାଙ୍କ ପକ୍ଷରୁ ବ୍ୟାଙ୍କଗୁଡ଼ିକୁ କୁହାଯାଇଥିଲା। କିନ୍ତୁ ପରବର୍ତି ସମୟରେ ଏତେ ଅଧିକ ଖରାପ ନୋଟ୍ ବ୍ୟାଙ୍କ ପାଖରେ ପହଞ୍ଚିଥିଲା ଯେ ସେହି ନିୟମ କୋହଳ କରିବାକୁ ରିଜର୍ଭ ବ୍ୟାଙ୍କ ବାଧ୍ୟ ହୋଇଥିଲା।