ଲଣ୍ଡନ : ବ୍ରିଟେନର ରାଣୀ ଏଲିଜାବେଥଙ୍କ ନିଧନ ଓ ତାଙ୍କ ପୁତ୍ର ଚାର୍ଲସ ରାଜା ହେବା ପରେ ବ୍ରିଟେନର ମୁଦ୍ରା ପାଉଣ୍ଡ ବଦଳିବାକୁ ଯାଉଛି । କିଙ୍ଗ ଚାର୍ଲ୍ସ ତୃତୀୟଙ୍କ ଚିତ୍ର ସହିତ ବ୍ୟାଙ୍କନୋଟ୍ ୨୦୨୪ ମଧ୍ୟଭାଗ ସୁଦ୍ଧା ପ୍ରଚଳନରେ ରହିବ ବୋଲି ବ୍ୟାଙ୍କ ଅଫ୍ ଇଂଲଣ୍ଡ ପକ୍ଷରୁ ଘୋଷଣା କରାଯାଇଛି । ମଙ୍ଗଳବାର ଦିନ ନୂତନ ନୋଟ୍ ର ଡିଜାଇନ୍ ଉନ୍ମୋଚନ କରିବା ସମୟରେ ଘୋଷଣା କରିଛି ।
ସୂଚନାଯୋଗ୍ୟ ଯେ, ଭାରତର ରିଜର୍ଭ ବ୍ୟାଙ୍କ ପରି ବ୍ୟାଙ୍କ ଅଫ ଇଂଲଣ୍ଡ ହେଉଛି ବ୍ରିଟେନର କେନ୍ଦ୍ରୀୟ ବ୍ୟାଙ୍କ ।
ବ୍ରିଟିଶ କେନ୍ଦ୍ରୀୟ ବ୍ୟାଙ୍କ କହିଛି, "ଆମର ଚାରୋଟି ପଲିମର ବ୍ୟାଙ୍କନୋଟ୍ (୫, ୧୦, ୨୦ ଏବଂ ୫୦ ପାଉଣ୍ଡ)ରେ ଏଣିକୁ ରାଜାଙ୍କ ଚିତ୍ର ରହିବ । ତେବେ ନୋଟର ଅନ୍ୟ ଡିଜାଇନରେ କୌଣସି ପରିବର୍ତ୍ତନ ହେବ ନାହିଁ ।
ମାଇକ୍ରୋ-ବ୍ଲଗିଂ ୱେବସାଇଟ୍ ଟ୍ୱିଟରରେ ଏକ ପୋଷ୍ଟରେ ବ୍ୟାଙ୍କ କହିଛି, "ରାଜାଙ୍କ ଚିତ୍ର ବ୍ୟାଙ୍କନୋଟ୍ ସମ୍ମୁଖରେ ଦୃଶ୍ୟମାନ ହେବ, ଏବଂ ତାଙ୍କର ଏକ ଛୋଟ ଚିତ୍ର ମଧ୍ୟ ସିକ୍ୟୁରିଟି ୱିଣ୍ଡୋରେ ଦୃଶ୍ୟମାନ ହେବ ।
ସେପ୍ଟେମ୍ବରରେ ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ମୃତ୍ୟୁ ପରେ ତାଙ୍କ ବଡ ପୁଅ ୭୪ ବର୍ଷୀୟ ଚାର୍ଲ୍ସ ରାଜା ହୋଇଥିଲେ । ଏହା ପରେ ନୋଟରେ ପରିବର୍ତ୍ତନ ବିଷୟରେ ଘୋଷଣା କରାଯାଇଥିଲା । କେବଳ ବ୍ରିଟେନ ନୁହେଁ, ଆଉ କେତୋଟି ଦେଶର ମୁଦ୍ରା ବି ବଦଳିବ । ସେସବୁ ଦେଶଙ୍କ ମଧ୍ୟରେ ରହିଛନ୍ତ କାନାଡା, ନ୍ୟୁଜିଲାଣ୍ଡ, ବାହାମାସ, ଜାମାଇକା, ଅଷ୍ଟ୍ରେଲିଆ ।