ବ୍ୟାଙ୍କ କ୍ଷତି ବଢ଼ାଉଛି ନୂଆ ଏନ୍‌ପିଏ ନିୟମ

ମୁମ୍ବାଇ: ବ୍ୟାଙ୍କ ଗୁଡ଼ିକର ଋଣ ପ୍ରଦାନ ଓ ଆଦାୟକୁ ସୁବ୍ୟବସ୍ଥିତ କରିବା ଲାଗି ରିଜର୍ଭ ବ୍ୟାଙ୍କ ନୂଆ ଅନାଦାୟ ପରିସମ୍ପତ୍ତି (ଏନ୍‌ପିଏ) ନିୟମ ଚଳିତ ବର୍ଷ ଫେବ୍ରୁଆରିରୁ ପ୍ରଚଳନ କରିଛନ୍ତି। ଏହି ନିୟମର ସୁପ୍ରଭାବ ଆଗାମୀ ଦିନରେ ବ୍ୟାଙ୍କ ଗୁଡ଼ିକ ଉପରେ କ’ଣ ପଡ଼ିବ ତାହା ସ୍ପଷ୍ଟ ହୋଇ ନାହିଁ। ଏବେ କିନ୍ତୁ ଏଥିପାଇଁ ବ୍ୟାଙ୍କ ଗୁଡ଼ିକର ଆର୍ଥିକ କ୍ଷତି ବଢ଼ିବାରେ ଲାଗିଛି। ଏନ୍‌ପିଏ ହେବାକୁ ଯାଉଥିବା ଋଣକୁ ଆଗୁଆ ଚିହ୍ନଟ କରିବା ଏବଂ ଏଥିପାଇଁ ଆର୍ଥିକ ପ୍ରାବଧାନ କରିବା ଲାଗି ହୋଇଥିବା ଏହି ନିୟମ ଯୋଗୁଁ ବ୍ୟାଙ୍କ ଗୁଡ଼ିକୁ ସେମାନଙ୍କ ଲାଭରୁ ବହୁ ପରିମାଣର ରାଶି ଏ ବାବଦରେ ଅଲଗା ରଖିବାକୁ ପଡ଼ୁଛି। ଫଳରେ ବ୍ୟାଙ୍କ ଗୁଡ଼ିକର କ୍ଷତି ବଢ଼ିବାରେ ଲାଗିଛି। ୪ଟି ସରକାରୀ ବ୍ୟାଙ୍କ ଗତ ଆର୍ଥିକ ବର୍ଷର ଶେଷ ତ୍ରୟ ମାସରେ ୧୧,୭୨୯ କୋଟି ଟଙ୍କାର ନିଟ୍‌ କ୍ଷତି କରିଛନ୍ତି। ବେଙ୍ଗାଲୁରୁ ଭିତ୍ତିକ କାନାରା ବ୍ୟାଙ୍କର ନିଟ୍‌ କ୍ଷତି ଜାନୁଆରି-ମାର୍ଚ୍ଚ ତ୍ରୟମାସରେ ୪୮୬୦ କୋଟି ଟଙ୍କାରେ ପହଞ୍ଚିଛି। ଏହି ବ୍ୟାଙ୍କ କିନ୍ତୁ ୨୦୧୬-୧୭ ଆର୍ଥିକ ବର୍ଷର ଉପରୋକ୍ତ ତ୍ରୟମାସରେ ୨୧୪ କୋଟି ଟଙ୍କା ଲାଭ କରିଥିଲା। ସେହିଭଳି ଆହ୍ଲାବାଦ ବ୍ୟାଙ୍କ ଚଳିତ ବର୍ଷର ଜାନୁଆରି-ମାର୍ଚ୍ଚ ତ୍ରୟ ମାସରେ ୩୫୧୦ କୋଟି ଟଙ୍କାର ନିଟ୍‌ କ୍ଷତି କରିଥିବା ବେଳେ ୟୁକୋ ବ୍ୟାଙ୍କ ୨୧୩୪ କୋଟି ଟଙ୍କାର କ୍ଷତି କରିଛି। ଏହାବ୍ୟତୀତ ଦେନା ବ୍ୟାଙ୍କ ମଧ୍ୟ ୧୨୨୫ କୋଟି ଟଙ୍କାର ନିଟ୍‌ କ୍ଷତି କରିଛି। ଏତଦ୍‌ବ୍ୟତୀତ ଅନ୍ୟାନ୍ୟ ବ୍ୟାଙ୍କ ମଧ୍ୟ କ୍ଷତି କରିବା ନଜରକୁ ଆସିଛି। ଏବେ ରିଜର୍ଭ ବ୍ୟାଙ୍କ ଅଧ ଡଜନ ଋଣ ପୁନର୍ଗଠନ ସ୍କିମ୍‌କୁ ଉଚ୍ଛେଦ କରିବା ସହିତ କେତେକ ନିୟମକୁ କଡ଼ାକଡ଼ି କରିବା ଫଳରେ ବ୍ୟାଙ୍କ ଗୁଡ଼ିକର ଏନପିଏ ବାବଦ ରାଶି ଆହୁରି ବୃଦ୍ଧି ପାଇବ। ଆଗାମୀ ଦିନରେ ଭାରତୀୟ ଷ୍ଟେଟ ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ବ୍ୟାଙ୍କ ଅଫ୍‌ ବରୋଦା ଏବଂ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଭଳି ପ୍ରମୁଖ ସରକାରୀ ବ୍ୟାଙ୍କ ସେମାନଙ୍କ ଆର୍ଥିକ ଫଳାଫଳ ଘୋଷଣା କରିବେ। ସେମାନେ ମଧ୍ୟ ରିଜର୍ଭ ବ୍ୟାଙ୍କର ନୂଆ ନିୟମ ଦ୍ୱାରା ପ୍ରଭାବିତ ହେବାର ଆଶଙ୍କା ରହିଛି। ସରକାରୀ ବ୍ୟାଙ୍କ ଗୁଡ଼ିକରେ କେନ୍ଦ୍ର ସରକାରଙ୍କର ସିଂହଭାଗ ଅଂଶଧନ ରହିଛି। ଫଳରେ ବ୍ୟାଙ୍କ ଗୁଡ଼ିକୁ ଏନ୍‌ପିଏ ଯନ୍ତାରୁ ମୁକୁଳାଇବା ସହିତ ଋଣ ପ୍ରଦାନକୁ ସ୍ୱାଭାବିକ କରିବା ଲାଗି ଗତବର୍ଷ ସରକାର ଏକ ବଡ଼ ପ୍ୟାକେଜ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର