କ୍ଷୁଦ୍ର ଶିଳ୍ପ, ଏସ୍‌ଏଚ୍‌ଜି ଉତ୍ପାଦ ପାଇଁ ଓଡ଼ିଶା ଆଣିବ ନିଜର ପୋର୍ଟାଲ

ଭୁବନେଶ୍ବର: ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ସଂସ୍ଥା (ଏମ୍ଏସ୍‌ଏମ୍‌ଇ)ଗୁଡ଼ିକର ଉତ୍ପାଦ ନିମନ୍ତେ ବଜାର ସୃଷ୍ଟି କରିବା ଲାଗି କେନ୍ଦ୍ର ସରକାର ‘ସରକାରୀ ଇ-ମାର୍କେଟ୍‌ପ୍ଲେସ୍’ (ଜେଇଏମ୍) ବିକଶିତ କରିଛନ୍ତି। ସେହି ଢାଞ୍ଚାରେ ଓଡ଼ିଶା ସରକାର ନିଜର ଏକ ପୋର୍ଟାଲ୍‌ ବିକାଶିତ କରିବାକୁ ଚାହୁଛନ୍ତି। ଏହା ପଛର ଲକ୍ଷ୍ୟ ହେଉଛି ରାଜ୍ୟରେ ଥିବା ଅଣୁ ଓ କ୍ଷୁଦ୍ର ଶିଳ୍ପ ଏବଂ ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି) ଉତ୍ପାଦନ କରୁଥିବା ଉତ୍ପାଦଗୁଡ଼ିକ ନିମନ୍ତେ ଏକ ବଜାର ପ୍ରଦାନ କରିବା। ଆଜି ଇଡ୍‌କଲ୍ ଅଡିଟୋରିୟମ୍ ଠାରେ ଓଡ଼ିଶା ଆସୋସିଏସନ୍ ଅଫ୍ ଏସ୍‌ଏମ୍‌ଇ (ଓସ୍‌ମି) ପକ୍ଷରୁ ଆୟୋଜନ କରାଯାଇଥିବା ଓଡ଼ିଶା ଏମ୍‌ଏସ୍‌ଏମ୍ଇ ମିଟ୍ ୨୦୧୯ର ଉଦ୍‌ଯାପନୀ ଉତ୍ସବରେ ଅତିଥି ଭାବେ ଯୋଗ ଦେଇ ଶିଳ୍ପ ନିର୍ଦେଶକ ପ୍ରଣବଜ୍ୟୋତି ନାଥ ଏହି ସୂଚନା ଦେଇଛନ୍ତି। ସେ କହିଲେ, ମିଶନ ଶକ୍ତିର ମୁଖ୍ୟ ସୁଜାତା କାର୍ତ୍ତି‌େକୟନ ମୋତେ କିଛି ଦିନ ତଳେ ଫୋନ୍ କରି ଓଡ଼ିଶାର ନିଜସ୍ବ ଜେଇଏମ୍ ବିକଶିତ କରିବା ବିଷୟରେ ଆଲୋଚନା କରିଥିଲେ। ଏ ସମ୍ପର୍କରେ ଆମେ ଗମ୍ଭୀରତାର ସହ ବିଚାର କରୁଛୁ ବୋଲି ସେ କହିଛନ୍ତି।

ବ୍ୟବସାୟୀଙ୍କ ପାଇଁ ବ୍ୟବସାୟ ବାତାବରଣକୁ ସହଜ କରିବା ଦିଗରେ ସରକାର ଅନେକ କାର୍ଯ୍ୟ କରୁଥିବା ସେ କହିଛନ୍ତି। ତେବେ ଯେ ପର୍ଯ୍ୟନ୍ତ ସାର୍ଟିଫିକେଟ୍ ହାସଲ କରିବା ଓ ପ୍ରୋତ୍ସାହନ ପ୍ରଦାନ କରିବା ପ୍ରକ୍ରିୟାର ସରଳୀକରଣ ନହୋଇଛି ସେ ପର୍ଯ୍ୟନ୍ତ ବ୍ୟବସାୟ ବାତାବରଣକୁ ସହଜ କରାଯାଇପାରିବ ନାହିଁ ବୋଲି ସେ କହିଛନ୍ତି। ଉଦ୍ୟୋଗୀଙ୍କ ପାଇଁ ସରକାର ଯେଉଁ ସ୍କିମ୍ ସବୁ ଘୋଷଣା କରିଛନ୍ତି ତାହାର ଲାଭ ଉଠାଇବା ଲାଗି ଅଧିକ ଉତ୍ସାହ ପ୍ରଦର୍ଶନ କରିବାକୁ ସେ ଉଦ୍ୟୋଗୀମାନଙ୍କୁ ଆହ୍ବାନ ଦେଇଛନ୍ତି। ପ୍ରକ୍ୟୁରମେଣ୍ଟ୍‌ କ୍ଷେତ୍ରରେ ଏମ୍ଏସ୍‌ଏମ୍‌ଇଗୁଡ଼ିକ ଭଲ ପ୍ରଦର୍ଶନ କରୁଛନ୍ତି। ଆଗକୁ ଭେଣ୍ଡର୍‌ ଡେଭେଲପ୍‌ମେଣ୍ଟ୍‌ ଉପରେ ଅଧିକ ଗୁରୁତ୍ବ ଦେବାକୁ ହେବ ବୋଲି ଶ୍ରୀ ନାଥ କହିଛନ୍ତି।

ଏହି ଅବସରରେ ଏମ୍ଏସ୍‌ଏମ୍‌ଇ-ଡିଆଇ କଟକର ନିର୍ଦେଶକ ଡକ୍ଟର ଏସ୍‌ କେ ସାହୁ କହିଛନ୍ତି ଯେ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ଠାରୁ ୨୫% ସାମଗ୍ରୀ କିଣିବା ଲାଗି କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକ (ପିଏସ୍‌ୟୁ) ନିମନ୍ତେ କେନ୍ଦ୍ର ସରକାର ନିୟମ ପ୍ରସ୍ତୁତ କରିଛନ୍ତି। ରାଜ୍ୟ ସରକାର ମଧ୍ୟ ରାଜ୍ୟର ପିଏସ୍‌ୟୁଗୁଡ଼ିକ ପାଇଁ ସେଭଳି ନୀତି ଆଣିବା ଦରକାର। ଏହା ହେଲେ କ୍ଷୁଦ୍ର ବ୍ୟବସାୟୀମାନେ ସେମାନଙ୍କ ୫୦% ଉତ୍ପାଦକୁ ପିଏସ୍‌ୟୁଗୁଡ଼ିକୁ ବିକ୍ରି କରିପାରିବେ। ଏହି ଅବସରରେ ଓସ୍‌ମିର ଅଧ୍ୟକ୍ଷ ଗୌରୀ ଶଙ୍କର ଦାଶ, ସାଧାରଣ ସମ୍ପାଦକ ସାତ୍ତ୍ବିକ ସ୍ବାଇଁ, ଏମ୍‌ସିଏଲ୍‌ର ମହାପ୍ରବନ୍ଧକ ମିହିର ଚନ୍ଦ୍ର ଓ ଏନ୍‌ଏସ୍‌ଆଇସିର ଏସ୍‌ଟି ଆଣ୍ଡ୍‌ ଏସ୍‌ସି ହବ୍‌ର ମୁଖ୍ୟ ଶୁଭାଶିଷ ଦାଶ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର