ଆୟକର ବିଭାଗର ନୂଆ ପୋର୍ଟାଲ: ତ୍ରୁଟି ସୁଧାରିପାରୁନି ଇନ୍‌ଫୋସିସ୍‌, ସିଇଓଙ୍କୁ ପୁଣି ଡାକିଲେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: ଆୟକର ବିଭାଗର ନୂଆ ପୋର୍ଟାଲ୍‌ରେ ଦେଖାଦେଇଥିବା ତ୍ରୁଟିଗୁଡ଼ିକର ସମାଧାନ କରିବାରେ ଇନ୍‌ଫୋସିସ୍‌ ବିଫଳ ହୋଇଛି। କାହିଁକି ଏହି ସମସ୍ୟା ଲାଗି ରହିଛି ତାହା ଜଣାଇବା ଲାଗି ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଇନ୍‌ଫୋସିସ୍‌ର ସିଇଓ ଶଲିଲ୍‌ ପାରେଖଙ୍କୁ ସମନ ଜାରି କରାଯାଇଛି। ଆସନ୍ତାକାଲି ମନ୍ତ୍ରଣାଳୟରେ ହାଜର ହୋଇ ସେ ତ୍ରୁଟିର କାରଣ ଓ ସମାଧାନ ପନ୍ଥା ବିଷୟରେ ଅବଗତ କରିବେ।

ଆୟକର ପଇଠ ବେଳେ ଟିକସଦାତାଙ୍କୁ ଉନ୍ନତ ଅନୁଭୂତି ପ୍ରଦାନ କରିବା ଲକ୍ଷ୍ୟ ନେଇ ଗତ ଜୁନ୍‌ରେ ଆୟକର ବିଭାଗର ନୂଆ ପୋର୍ଟାଲ୍ ଉନ୍ମୋଚନ କରାଯାଇଥିଲା। ଏହି ପୋର୍ଟାଲ୍ ଉପଲବ୍ଧ ହେବା ପରଠାରୁ ଖରାପ କାରଣ ପାଇଁ ଆଜି ପର୍ଯ୍ୟନ୍ତ ଚର୍ଚ୍ଚାରେ ରହିଛି। ଅନୁଭୂତିରେ ଉନ୍ନତି ଆଣିବା ବଦଳରେ ଏହା ଟିକସଦାତାଙ୍କୁ ତିକ୍ତ ଅନୁଭୂତି ଦେଉଛି। ଏବିଷୟରେ ସେମାନେ ସୋସିଆଲ ମିଡିଆରେ ଆଲୋଚନା କରୁଛନ୍ତି। ପୋର୍ଟାଲ୍‌ରେ ଦେଖାଦେଇଥିବା ତ୍ରୁଟିକୁ ସରକାର ଗମ୍ଭୀରତାର ସହ ନେଇଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ ଅସନ୍ତୋଷ ଜାହିର କରିଛନ୍ତି। କିଛି ଦିନ ପୂର୍ବରୁ ଶ୍ରୀ ପାରେଖ ଓ କଂପାନିର ବରିଷ୍ଠ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରବୀଣ ରାଓଙ୍କୁ ଡକାଇ ସେ ଏବିଷୟରେ ଆଲୋଚନା କରିଥିଲେ।

ପୋର୍ଟାଲ୍‌ର ତ୍ରୁଟି ସୁଧାରି ତାହାକୁ ବ୍ୟବହାରକାରୀଙ୍କ ପାଇଁ ଅଧିକ ମିତବ୍ୟୟୀ କରିବାକୁ କହିଥିଲେ। ଆଜି ଆୟକର ବିଭାଗର ଅଫିସିଆଲ୍ ଟ୍ବିଟର୍‌ ହାଣ୍ଡେଲ୍‌ରେ ସୂଚନା ଦିଆଯାଇଛି ଯେ ଇନ୍‌ଫୋସିସ୍‌ର ସିଇଓ ଓ ଏମ୍‌ଡି ଶଲିଲ ପା‌ରେଖ ଅଗଷ୍ଟ ୨୩ରେ ଅର୍ଥମନ୍ତ୍ରୀ ଶ୍ରୀମତୀ ସୀତାରମଣଙ୍କୁ ଭେଟି ନୂଆ ଇ-ଫାଇଲିଂ ପୋର୍ଟାଲ୍‌‌ରେ ଦେଖାଦେଇଥିବା ତ୍ରୁଟିର କାରଣ ବିଷୟରେ ଅବଗତ କରିବେ। ଉନ୍ମୋଚନ ହେବାରେ ଅଢ଼େଇ ମାସ ପରେ ମଧ୍ୟ କାହିଁକି ତ୍ରୁଟି ସମାଧାନ ହୋଇପାରୁନି ତାହା ଜଣାଇବେ। ଗତକାଲି ଠାରୁ ପୋର୍ଟାଲ୍ ଉପଲବ୍ଧ ନଥିବା ବିଷୟରେ ମଧ୍ୟ ଟୁଇଟ୍‌ରେ ସୂଚନା ଦିଆଯାଇଛି। ଇନ୍‌ଫୋସିସ୍‌ ପକ୍ଷରୁ ଏହି ପ୍ରସଙ୍ଗରେ ଏକ ଟୁଇଟ୍‌ କରି ଆୟକର ବିଭାଗ ପୋର୍ଟାଲ୍‌ର ଜରୁରୀକାଳୀନ ମରାମତି ଚାଲିଥିବା କୁହାଯାଇଛି। ପୋର୍ଟାଲ୍ ଟିକସଦାତାଙ୍କ ପାଇଁ ଉପଲବ୍ଧ ହେଲେ ଆମେ ସେ ବିଷୟରେ ସୂଚନା ଦେବୁ। ଏହି ଅସୁବିଧା ଲାଗି ଆମେ ଦୁଃଖିତ ବୋଲି ଇନ୍‌ଫୋସିସ୍‌ ପକ୍ଷରୁ କୁହାଯାଇଛି।

ଆୟକର ବିଭାଗର ନୂଆ ପୋର୍ଟାଲ୍‌ ବିକଶିତ କରିବା କାର୍ଯ୍ୟ ବରାଦ ଇନ୍‌ଫୋସିସ୍‌କୁ ଦିଆଯାଇଥିଲା। ପୋର୍ଟାଲ୍‌ ଉନ୍ମୋଚନ ହେବା ପରେ ସେଥିରେ ଅନେକ ସମସ୍ୟା ଦେଖାଦେଇଛି। ଟିକସଦାତାମାନେ ତ୍ରୁଟିଗୁଡ଼ିକର ସ୍କ୍ରିନ୍‌ସଟ୍‌ ରଖି ତାହାକୁ ଟ୍ବିଟର୍‌ରେ ପୋଷ୍ଟ୍‌ କରୁଛନ୍ତି ଓ ସେଥିରେ ଅର୍ଥମନ୍ତ୍ରୀ ସୀତାରମଣଙ୍କୁ ଟ୍ୟାଗ୍‌ କରୁଛନ୍ତି। ଏହି ପୋର୍ଟାଲ୍‌ରେ ପ୍ରୋଫାଇଲ୍‌ ଅପ୍‌ଡେଟ୍ କରିବା ଓ ପାସ୍‌ୱାର୍ଡ ବଦଳାଇବା ଭଳି ସାମାନ୍ୟ କାର୍ଯ୍ୟ ମଧ୍ୟ ଠିକ୍ ଭାବେ ହୋଇପାରୁନି। ପୋର୍ଟାଲ୍ ଅତ୍ୟନ୍ତ ମନ୍ଥର ଥିବା ବେଳେ ଲଗ୍‌ ଇନ୍ କରିବାକୁ ମଧ୍ୟ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡ଼ୁଛି। ଏହି ନୂଆ ପୋର୍ଟାଲ୍ ବିକଶିତ କରିବା ଲାଗି ସରକାର ୨୦୧୯ ଜାନୁଆରିରୁ ୨୦୨୧ ଜୁନ୍ ଭିତରେ ଇନ୍‌ଫୋସିସ୍‌କୁ ୧୬୪.୫ କୋଟି ଟଙ୍କା ଦେଇଛନ୍ତି। ପୋର୍ଟାଲ୍‌ ବିଷୟରେ କଂପାନିର ଅଣ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ନନ୍ଦନ ନିଲେକାନୀ ପ୍ରତି ସପ୍ତାହରେ ଅର୍ଥମନ୍ତ୍ରୀଙ୍କୁ ସୂଚନା ଦେଉଛନ୍ତି।

ସମ୍ବନ୍ଧିତ ଖବର