ଥର୍ମାଲ୍‌ରେ ହେବ ନୂଆ ପାଓ୍ଵାର ପ୍ଲାଣ୍ଟ୍‌

ତାଳଚେର ଥର୍ମାଲ୍‌ ପାଓ୍ଵାର ଷ୍ଟେସନ୍‌ ବନ୍ଦ ହେବ

ଭୁବନେଶ୍ୱର: ପଚାଶ ବର୍ଷରୁ ଅଧିକ ପୁରୁଣା ତାଳଚେର ଥର୍ମାଲ୍‌ ପାଓ୍ଵାର ଷ୍ଟେସନ୍‌ (ଟିଟିପିଏସ୍‌)କୁ ବନ୍ଦ କରିଦିଆଯିବ। ସେହି ସ୍ଥାନରେ ଏକ ୧୩୨୦ ମେଗାଓ୍ଵାଟ୍‌ର ନୂଆ ଅତ୍ୟାଧୁନିକ ପାଓ୍ଵାର ପ୍ଲାଣ୍ଟ୍‌ ସ୍ଥାପନ କରାଯିବ। ପୁରୁଣା କାରଖାନା ଉଚ୍ଛେଦ କାର୍ଯ୍ୟ ଆସନ୍ତା ପାଞ୍ଚ ବର୍ଷ ଭିତରେ ଶେଷ ହୋଇଯିବ ବୋଲି ଏନ୍‌ଟିପିସର ଆଞ୍ଚଳିକ କାର୍ଯ୍ୟନିର୍ବାହୀ ନିର୍ଦେଶକ (ପୂର୍ବାଞ୍ଚଳ-୨) ଆର୍‌ କେ ଶ୍ରୀବାସ୍ତବ କହିଛନ୍ତି। ତେବେ ପୁରୁଣା କାରଖାନା ଉଚ୍ଛେଦ ହେବା ପୂର୍ବରୁ ନୂଆ କାରଖାନାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯିବ ବୋଲି ସେ କହିଛନ୍ତି। ଦେଶରେ ୨୫ ବର୍ଷରୁ ଅଧିକ ପୁରୁଣା ଥିବା ସମସ୍ତ ଥର୍ମାଲ୍‌ ପାଓ୍ଵାର ପ୍ଲାଣ୍ଟ୍‌କୁ ବନ୍ଦ କରିବାକୁ ସରକାର ନିର୍ଦେଶ ଦେଇଛନ୍ତି। ସେହି ନିର୍ଦେଶକୁ ପାଳନ କରିବାକୁ ଯାଇ ଏନ୍‌ଟିପିସି ଏହାର ଟିପିସିଏସ୍‌ କାରଖାନାକୁ ଉଚ୍ଛେଦ କରିବ। ପୁରୁଣା ପାଓ୍ଵାର ପ୍ଲାଣ୍ଟ୍‌ଗୁଡ଼ିକ କୋଇଲାକୁ ଜାଳେଣି ଭାବେ ବ୍ୟବହାର କରୁଛନ୍ତି। ସେଥିରୁ ଯେଉଁ ପ୍ରଦୂଷଣ ସୃଷ୍ଟି ହେଉଛି ତାହା ସ୍ଥାନୀୟ ଲୋକଙ୍କ ଜନଜୀବନକୁ ଗୁରୁତର ଭାବେ ପ୍ରଭାବିତ କରୁଛି। ଏହାକୁ ଦୃଷ୍ଟିରେ ରଖି ପୁରୁଣା ଏବଂ ଆର୍ଥିକ ଦୃଷ୍ଟିରୁ ଲାଭଦାୟକ ହେଉନଥିବା ଥର୍ମାଲ୍‌ ପାଓ୍ଵାର ପ୍ଲାଣ୍ଟ୍‌ଗୁଡ଼ିକୁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି।

ଏବେ ଟିଟିପିଏସ୍‌ ଯେଉଁଠାରେ ରହିଛି, ସେହି ସ୍ଥାନରେ ନୂଆ କାରଖାନା ସ୍ଥାପନ କରାଯିବ। ଟାଉନ୍‌ସିପ୍‌ ଭିତରୁ ଏଥିପାଇଁ ଜମି ବାହାର କରାଯିବ। ଟାଉନ୍‌ସିପ୍‌ରେ ଏବେ ଗୋଟିକିଆ ଘର ସବୁ ରହିଛି। ସେଗୁଡ଼ିକୁ ଭାଙ୍ଗି ବଡ଼ ବଡ଼ କୋଠା ନିର୍ମାଣ କରାଯିବ। ଫଳରେ ବହୁ ପରିମାଣର ଜମି ଫାଙ୍କା ହୋଇଯିବ। ଟିଟିପିଏସ୍‌ ପରିସରରେ ଥିବା ଡାକ୍ତରଖାନାଙ୍କୁ ଉଚ୍ଛେଦ କରାଯିବ ନାହିଁ। ଦରକାର ପଡ଼ିଲେ ପାର୍କର କିଛି ଅଂଶ ବ୍ୟବହାର କରାଯାଇପାରେ। ନୂଆ କାରଖାନା ପାଇଁ ଅଧିକ ଜମି ଆବଶ୍ୟକ ପଡ଼ିବ ନାହିଁ ବୋଲି କଂପାନି ପକ୍ଷରୁ କୁହାଯାଇଛି। ଟିପିସିଏସ୍‌ ସ୍ଥାନରେ ଯେଉଁ ନୂଆ କାରଖାନା ସ୍ଥାପନ କରାଯିବ ସେଥିରେ ସର୍ବାଧୁନିକ ପ୍ରଯୁକ୍ତି ବ୍ୟବହାର କରାଯିବ। ପ୍ରସ୍ତାବିତ ନୂଆ କାରଖାନା ପାଇଁ ପ୍ରାରମ୍ଭିକ ପର୍ଯ୍ୟାୟରେ ୩୮୨ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ଭିତ୍ତିଭୂମି ବିକଶିତ କରିବା ଏବଂ ଅନ୍ୟ ସବୁ ବ୍ୟବସ୍ଥା କରିବା ଦିଗରେ ଏହି ଅର୍ଥ ଖର୍ଚ କରାଯିବ। ସେଥି ମଧ୍ୟରୁ ୧୦୪ କୋଟି ଟଙ୍କାର କଣ୍ଟ୍ରାକ୍ଟ ଖୁବ୍‌ଶୀଘ୍ର ଘୋଷଣା କରାଯିବ। ଏହି କାରଖାନା ପାଇଁ ଯାହା ସବୁ ମଞ୍ଜୁରି ଦରକାର ସେଥିପାଇଁ ଆବେଦନ କରାଯିବ। ସବୁ ମଞ୍ଜୁରି ଠିକ୍‌ ସମୟରେ ମିଳିଗଲେ ପୁରୁଣା କାରଖାନା ଭଙ୍ଗା ହେବା ପୂର୍ବରୁ ନୂଆ କାରଖାନା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯିବ। ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାର ୩-୫ ବର୍ଷ ଭିତରେ ପ୍ରକଳ୍ପ କାର୍ଯ୍ୟ ଶେଷ ହେବ। ପୁରୁଣା କାରଖାନାର କୌଣସି କର୍ମଚାରୀ ଏହା ଦ୍ୱାରା ପ୍ରଭାବିତ ହେବେ ନାହିଁ ବୋଲି କଂପାନି ପକ୍ଷରୁ କୁହାଯାଇଛି। ଟିଟିପିଏସ୍‌ରେ ଏବେ ୬୦ ମେଗାଓ୍ଵାଟ୍‌ର ୪ଟି ଏବଂ ୨୧୦ ମେଗାଓ୍ଵାଟ୍‌ର ୨ଟି ୟୁନିଟ୍‌ ରହିଛି। ସେଠାରେ ଉତ୍ପାଦନ କରାଯାଉଥିବା ସମସ୍ତ ବିଦ୍ୟୁତ ଶକ୍ତି ଗ୍ରିଡ୍‌କୋକୁ ପ୍ରଦାନ କରାଯାଉଛି। ୟୁନିଟ୍‌ ପିଛା ୧ ଟଙ୍କା ୬୧ ପଇସାରେ ଟିପିସିଏଓ ଏହାର ବିଦ୍ୟୁତ ଗ୍ରିଡ୍‌କୋକୁ ପ୍ରଦାନ କରୁଛି। ବହୁ ପୁରୁଣା ହୋଇଥିଲେ ମଧ୍ୟ ଏନ୍‌ଟିପିସି ପାଇଁ ଏହି କାରଖାନା ସବୁ ବେଳେ ଉଲ୍ଲେଖନୀୟ ପ୍ରଦର୍ଶନ ଦେଇଛି। ପ୍ଲାଣ୍ଟ୍‌ ଲୋଡ୍‌ ଫ୍ୟାକ୍ଟର (ପିଏଲ୍‌ଏଫ୍‌) ଦୃଷ୍ଟିରୁ ଏହା ଏନ୍‌ଟିପିସି ପାଇଁ ଦେଶର ଦୁଇ ନମ୍ବର କାରଖାନା ହୋଇରହିଛି। ଏହା ପୂର୍ବରୁ କ୍ରମାଗତ ତିନି ବର୍ଷ ପର୍ଯ୍ୟନ୍ତ ଏହା ଏକ ନମ୍ବର ସ୍ଥାନରେ ରହିଥିଲା। ଏନ୍‌ଟିପିସି ଏହାର ବଦରପୁର କାରଖାନାକୁ ମଧ୍ୟ ବନ୍ଦ କରିବ।

ସମ୍ବନ୍ଧିତ ଖବର