ରେଳଗାଡ଼ିରେ ଲାଗିବ ଅାମେରିକା ତିଅାରି ନୂତନ ସୁଦୃଶ୍ୟ ଓ ବେଗଗାମୀ ଡିଜେଲ୍‌ ଇଞ୍ଜିନ୍‌

ନୂଆଦିଲ୍ଲୀ: ଭାରତୀୟ ରେଳଗାଡ଼ିଗୁଡ଼ିକରେ ଚଳିତ ଫେବ୍ରୁଆରି ମାସ ଶେଷ ସୁଦ୍ଧା ନୂତନ ସୁଦୃଶ୍ୟ ଓ ଅଧିକ ବେଗଶାଳୀ ତଥା କ୍ଷମତାସଂପନ୍ନ ଡିଜେଲ୍‌ ଇଞ୍ଜିନ୍‌ ଦେଖିବାକୁ ମିଳିବ। ଏହି ନୂତନ ରେଳ ଇଞ୍ଜିନ୍‌କୁ ନିର୍ମାଣ କରିଛନ୍ତି, ଆମେରିକାର ଜିଇ ଟ୍ରାନ୍ସପୋର୍ଟେସନ୍‌। ଭାରତୀୟ ରେଳ ପକ୍ଷରୁ ଏହିପରି ୧୦୦୦ଟି ନୂତନ ଇଞ୍ଜିନ୍‌ ପାଇଁ ଜିଇ ଟ୍ରାନ୍ସପୋର୍ଟେସନ୍‌କୁ ଅର୍ଡର ଦିଆ ଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ନିର୍ମାଣ ଶେଷ ହୋଇ ବ୍ୟାପକ ସ୍ତରରେ ପରୀକ୍ଷା କରାଯାଇ ଥବା ଦୁଇଟିି ନୂତନ ରେଳ ଇଞ୍ଜିନ୍‌କୁ ଜିଇ ଟ୍ରାନ୍ସପୋର୍ଟେସନ୍‌ ଭାରତକୁ ଇତିମଧ୍ୟରେ ପଠାଇଦେଇଛି। ଏହି ସମସ୍ତ ଇଞ୍ଜିନ୍‌ ଆସନ୍ତା ୨୨ ତାରିଖରେ ଆସି ଭାରତରେ ପହଞ୍ଚୁଥିବା ଜାଣିବାକୁ ମିଳିଛି। ପରେ ପରେ ଆଉ ୪୦ଟି ଏହିପରି ଇଞ୍ଜିନ୍‌ ଭାରତ ପଠାଇବ ଜିଇ ଟ୍ରାନ୍ସପୋର୍ଟେସନ୍‌।

ଏହି ନୂତନ ଡିଜେଲ୍‌ ଇଞ୍ଜିନ୍‌ ପାଇଁ ଅର୍ଡର ପାଇଥିବା ଆମେରିକାର ଜିଇ ଟ୍ରାନ୍ସପୋର୍ଟେସନ୍‌ ପ୍ରଥମେ କିଛି ଇଞ୍ଜିନ୍‌ ତା’ର ଆମେରିକାସ୍ଥିତ କାରଖାନାରେ ନିର୍ମାଣ କରି ରେଳ ବିଭାଗକୁ ଦେବା ପରେ ବଳକା ଇଞ୍ଜିନ୍‌ ସବୁକୁ ଭାରତରେ ନିର୍ମାଣ କରିବ। ଏଥିପାଇଁ ଜିଇ କମ୍ପାନି ମୋଦି ସରକାରଙ୍କର ‘ମେକ୍‌ ଇନ୍‌ ଇଣ୍ଡିଆ’ ଯୋଜନା ଅଧୀନରେ ୨.୫ ବିଲିୟନ ଆମେରିକୀୟ ଡଲାର ବ୍ୟୟ କରି ବିହାରରେ ନିଜର ଏକ କାରଖାନା ପ୍ରତିଷ୍ଠା କରିଛି।

Railway Technology

ଏହି ନୂତନ ୧୦୦୦ ଡିଜେଲ୍‌ ଇଞ୍ଜିନ୍‌ଗୁଡ଼ିକ ୪,୫୦୦ ଓ ୬,୦୦୦ ହର୍ସପାଓ୍ଵାର କ୍ଷମତା ବିଶିଷ୍ଟ ରହିଛି। ଯାହାକି ସାଧାରଣ ଡିଜେଲ ଇଞ୍ଜିନ୍‌ ଠାରୁ ଅଧିକ ବେଗରେ ଗତି କରିବ। ଦୁଇ କ୍ୟାବିନ୍‌ ବିଶିଷ୍ଟ ଡିଜେଲ୍‌ ଇଞ୍ଜିନ୍‌ରେ ଚାଳକଙ୍କ ପାଇଁ ସମସ୍ତ ପ୍ରକାରର ସୁବିଧା ସୁଯୋଗ ମହଜୁଦ୍‌ ରହିଛି। ଏଥିସହ ଇଞ୍ଜିନ୍‌ଗୁଡ଼ିକ ଯେପରି ଖରାବର୍ଷାରେ ଖରାପ ନ ହୁଏ, ସେଥିପାଇଁ ଗୋଟିଏ ଗୋଟିଏ ଇଞ୍ଜିନ୍‌ ରଙ୍ଗ କରିବାରେ ୫୦ ଗ୍ୟାଲେନ୍‌ ରଙ୍ଗ ଖର୍ଚ୍ଚ କରାଯାଇଥିବା ଜାଣିବାକୁ ମିଳିଛି।

ସେହିପରି ଅନ୍ୟ ଏକ ଆମେରିକୀୟ କମ୍ପାନି ଅଲ୍‌ଷ୍ଟମ୍‌କୁ ଭାରତୀୟ ରେଳ ପାଇଁ ୮୦୦ଟି ନୂତନ ଇଲେକ୍‌ଟ୍ରିକ୍‌ ଇଞ୍ଜିନ୍‌ ନିର୍ମାଣ କରିବା ପାଇଁ ଅର୍ଡର ଦିଆଯାଇଛି। ଏହି ଅର୍ଡର ପାଇବା ପରେ ଅଲ୍‌ଷ୍ଟମ୍‌ କମ୍ପାନି ବିହାରର ମାଧେପୁରାଠାରେ ନିଜର ଏକ କାରଖାନା ପ୍ରତିଷ୍ଠା କରିବା ସହ ନୂତନ ଇଞ୍ଜିନ୍‌ ନିର୍ମାଣ କାମ ଜୋରସୋରରେ ଆରମ୍ଭ କରିଦେଇଛି। ଖୁବ୍‌ ଶୀଘ୍ର ଏହି ନୂତନ ଇଲେକ୍‌ଟ୍ରିକ୍‌ ଇଞ୍ଜିନ୍‌ଗୁଡ଼ିକ ମଧ୍ୟ ଭାରତୀୟ ରେଳରେ ଦେଖିବାକୁ ମିଳିବ, ଯାହାର ଘଣ୍ଟାପ୍ରତି ବେଗ ରହିବ ୧୨୦ କିଲୋମିଟର।

ସମ୍ବନ୍ଧିତ ଖବର