ହ୍ଵାଟସ୍‌ଆପ୍‌ ମେସେଜ୍‌ରେ ଲାଗିବ ଅଙ୍କୁଶ

ମେସେଜ୍‌ ଫର୍‌ଓ୍ଵାର୍ଡ ୫ ଥରରେ ସୀମିତ ରହିବ ପ୍ରଥମେ ପରୀକ୍ଷଣ, ପରେ ଲାଗୁ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଗୁଜବ ଏବଂ ମିଥ୍ୟା ଖବର ପ୍ରବଳ ମାତ୍ରାରେ ବ୍ୟାପୁଛି। ଏଥିଯୋଗୁଁ ଗତ ବର୍ଷକ ମଧ୍ୟରେ ଦେଶର ୧୦ଟି ରାଜ୍ୟରେ ୩୧ ଜଣ ଲୋକଙ୍କ ଜୀବନ ଗଲାଣି। ଫଳରେ ହ୍ଵାଟ୍‌ସଆପ୍‌ ଭଳି ସୋସିଆଲ ମିଡିଆ ଜରିଆରେ ହେଉଥିବା ଗୁଜବକୁ ରୋକିବା ଲାଗି ସରକାର ଏହି କମ୍ପାନି ଉପରେ ଜୋରଦାର ଚାପ ପକାଇ ଆସୁଥିଲେ। ଚାପର ବଶବର୍ତ୍ତୀ ହୋଇ ଶେଷରେ ହ୍ଵାଟ୍‌ସଆପ୍‌ର ମେସେ୍‌ଜ୍‌ ପ୍ରେରଣ ଉପରେ କଟକଣା ଲଗାଇବାକୁ ଉଦ୍ୟମ ଆରମ୍ଭ କରିଦେଇଛି। କମ୍ପାନିର ବ୍ଲଗ୍‌ସାଇଟ୍‌ରେ ଏ ନେଇ ସୂଚନା ମଧ୍ୟ ଦିଆଯାଇଛି। ବହୁ ସଖ୍ୟାରେ ମେସେଜ୍‌, ଚିତ୍ର ଏବଂ ଭିଡିଓ ଫରଓ୍ଵାର୍ଡକୁ ରୋକିବା ପାଇଁ କମ୍ପାନି ଏହି ପଦକ୍ଷେପ ନେଇଛି। ଶୁକ୍ରବାର କମ୍ପାନି ପକ୍ଷରୁ କୁହାଯାଇଛି ଯେ ଭାରତରେ ହ୍ଵାଟ୍‌ସଆପ୍‌ରେ ଫରଓ୍ଵାର୍ଡକୁ ସୀମିତ ରଖିବା ପାଇଁ କମ୍ପାନି ପରୀକ୍ଷଣ ଆରମ୍ଭ କରିବାକୁ ଯାଉଛି। ଅନ୍ୟ ଦେଶ ତୁଳନାରେ ଭାରତରେ ହ୍ଵାଟ୍‌ସଆପ୍‌ ବ୍ୟବହାରକାରୀମାନେ ସାଧାରଣତଃ ଅଧିକ ସଂଖ୍ୟାରେ ମେସେଜ୍‌, ଫଟୋ ଏବଂ ଭିଡିଓ ଫରଓ୍ଵାର୍ଡ କରନ୍ତି। ତେଣୁ ଭାରତରେ ଜଣେ ଥରକେ ୫ଟି ଚାଟ୍‌ରୁ ଅଧିକ କରି ପାରିବ ନାହିଁ। ଭାରତ ପାଇଁ କମ୍ପାନିର ପ୍ରବକ୍ତା କୁହନ୍ତି, ଗୋଟିଏ ମେସେଜ୍‌କୁ ଜଣେ ବ୍ୟକ୍ତି କେବଳ ୫ ଥର ଫରଓ୍ଵାର୍ଡ କରିବା ସୁଯୋଗ ପାଇବ। ଏହା ଏବେ ପରୀକ୍ଷଣ ପର୍ଯ୍ୟାୟରେ ଅଛି। ଆଗାମୀ ଦିନରେ ଏହି କଟକଣା ସମସ୍ତଙ୍କ ପାଇଁ ଲାଗୁ ହେବ ବୋଲି କୁହାଯାଉଛି। କିଛିଦିନ ପୂର୍ବରୁ ହ୍ଵାଟ୍‌ସଆପ୍‌ ଭାରତରେ ମେସେଜ୍‌ ଫରଓ୍ଵାର୍ଡ ସଂକ୍ରାନ୍ତରେ ଅନ୍ୟ ଏକ ଫିଚର ଆରମ୍ଭ କରିଛି। ଯେଉଁ ମେସେଜ୍‌ ଗୁଡ଼ିକ ମୌଳିକ ନୁହେଁ ଏବଂ ତାହାକୁ ଅନ୍ୟ ନିକଟକୁ ଫରଓ୍ଵାର୍ଡ କରାଯାଉଛି ସେହି ମେସେଜ୍‌ ଗୁଡ଼ିକ ଉପରେ ଫରଓ୍ଵାର୍ଡ ବୋଲି ଲେଖାଯାଉଛି।

ସୋସିଆଲ ମିଡିଆର ଗୁଜବ ପ୍ରଚାର ସରକାରଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିବା ଫଳରେ ଗତ ଗୁରୁବାର ସରକାର କମ୍ପାନିକୁ ଦ୍ୱିତୀୟ ଚିଠି ଲେଖିଥିଲେ। ଗୁଜବ ପ୍ରସାରକୁ ରୋକିବା ଲାଗି ପ୍ରଭାବୀ ପଦକ୍ଷେପ ନେବାକୁ ସରକାର କହିଥିଲେ। ଏହାପୂର୍ବରୁ ଇଲେକ୍‌ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରାଳୟ ପକ୍ଷରୁ କମ୍ପାନିକୁ ଦାୟିତ୍ୱହୀନ ଏବଂ ଗଣ୍ଡଗୋଳ ସୃଷ୍ଟିକାରୀ ବାର୍ତ୍ତାର ପ୍ରସାରକୁ ରୋକିବା ଲାଗି ନିର୍ଦ୍ଦେଶ ଦିଆଯାଇଥିଲା। କମ୍ପାନି ମଧ୍ୟ ସରକାରଙ୍କୁ ଦେଇଥିବା ଉତ୍ତରରେ ଦର୍ଶାଇଥିଲା ଏଥିପାଇଁ ପଦକ୍ଷେପ ନିଆଯିବ। ଫରଓ୍ଵାର୍ଡ ହୋଇଥିବା ମେସେଜ୍‌କୁ ଚିହ୍ନଟ କରିବା ଲାଗି କମ୍ପାନି ପ୍ରଯୁକ୍ତି ଏବଂ ନୂଆ ଫିଚରର ଉପଯୋଗ କରିବ ବୋଲି କହିଥିଲା।

ଉଲ୍ଲେଖଯୋଗ୍ୟ ଯେ, ହ୍ଵାଟ୍‌ସଆପ୍‌ ପାଇଁ ଭାରତ ହେଉଛି ସବୁଠୁ ବଡ଼ ବଜାର। ଏଠାରେ ପ୍ରାୟ ୨୦ କୋଟି ଲୋକ ହ୍ଵାଟ୍‌ସଆପ୍‌ ବ୍ୟବହାର କରୁଛନ୍ତି। ଅନ୍ୟ ଦେଶ ତୁଳନାରେ ଭାରତରେ ହ୍ଵାଟ୍‌ସଆପ୍‌ ବ୍ୟବହାରକାରୀ ମାନେ ଅଧିକ ସଂଖ୍ୟାରେ ମେସେଜ୍‌, ଫଟୋ ଏବଂ ଭିଡିଓ ପଠାଇଥାନ୍ତି। ହ୍ଵାଟ୍‌ସଆପ୍‌ ଗ୍ରୁପ୍‌ରେ ସର୍ବାଧିକ ୨୫୬ ଜଣ ଲୋକ ରହିବା ବ୍ୟବସ୍ଥା ରହିଛି। ତେବେ ଦେଶରେ ହିଂସା ସୃଷ୍ଟି କରୁଥିବା ମେସେ୍‌ଜ ଗୁଡ଼ିକୁ ସାଧାରଣତଃ ୧୦୦ରୁ ଅଧିକ ସଦସ୍ୟ ରହିଥିବା ଏକାଧିକ ଗ୍ରୁପ୍‌ ମାଧ୍ୟମରେ ପ୍ରସାରିତ ହେଉଥିବା ନେଇ ସନ୍ଦେହ କରାଯାଉଛି। ତେଣୁ କମ୍ପାନି ମେସେଜ୍‌ ଫରଓ୍ଵାର୍ଡ ନେଇ ଯେଉଁ କଟକଣାର ପରୀକ୍ଷଣ କରିବ ତାହା ସବୁ ହ୍ଵାଟ୍‌ସଆପ୍‌ ବ୍ୟବହାରକାରୀଙ୍କ ପାଇଁ ପ୍ରଯୁଜ୍ୟ ହେବ। ଭାରତରେ ଫରଓ୍ଵାର୍ଡ ସୁଯୋଗ ଉପରେ ଅଧିକ କଟକଣା କରାଯିବ। ଭାରତ ପାଇଁ କମ୍ପାନିର ଜଣେ ପ୍ରବକ୍ତା କହିଛନ୍ତି ଯେ, ଜଣେ ବ୍ୟବହାରକାରୀ ଗୋଟିଏ ମେସେଜ୍‌କୁ ୫ ଥର ଫରଓ୍ଵାର୍ଡ କରିପାରିବ।

ସମ୍ବନ୍ଧିତ ଖବର