ଷ୍ଟେଟ ବ୍ୟାଙ୍କର ନୂଆ ନିୟମ:ଆଜିଠୁ ମିଳିବ କମ୍ ସୁଧ

୧ ଲକ୍ଷରୁ ଅଧିକ ଜମାଥିବା ଖାତାରେ ମଳିବ ୩.୨୫% ସୁଧ

ନୂଆଦିଲ୍ଲୀ: ଭାରତୀୟ ‌ଷ୍ଟେଟ ବ୍ୟାଙ୍କ ଏହାର ସଞ୍ଚୟ ଜମା ଗ୍ରାହକମାନଙ୍କୁ ମେ ପହିଲାରୁ ନୂଆ ନିୟମ ଅନୁସାରେ ସୁଧ ପ୍ରଦାନ କରିବ। ବ୍ୟାଙ୍କର ନୂଆ ସୁଧ ନିୟମ ଅନୁଯାୟୀ ବର୍ତମାନ ଜମାକାରୀମାନେ କ୍ଷତି ସହିବେ। ସୂଚନା ଅନୁଯାୟୀ ୧ ଲକ୍ଷ ଟଙ୍କାରୁ ଅଧିକ ଜମା ରଖିଥିବା ବ୍ୟକ୍ତିମାନେ ‌ଆସନ୍ତାକାଲିଠାରୁ ସେମାନଙ୍କ ଜମାରାଶି ଉପରେ ୦.୨୫ ପ୍ରତିଶତ କମ୍ ସୁଧ ପାଇବେ। ଆସନ୍ତାକାଲିଠାରୁ ଷ୍ଟେଟ ବ୍ୟାଙ୍କ ଏହାର ସୁଧ ହାରକୁ ରିଜର୍ଭ ବ୍ୟାଙ୍କର ‌ରେପୋ ହାର ସହିତ ଯୋଡ଼ି ସୁଧ ହିସାବ କରିବାକୁ ଥିବାରୁ ଏଭଳି ସ୍ଥିତି ଉପୁଜିବ। ତେବେ ୧ ଲକ୍ଷରୁ କମ୍ ଟଙ୍କା ଜମା ଥିବା ସଞ୍ଚୟ ଖାତାଧାରୀଙ୍କୁ ପୂର୍ବଭଳି ୩.୫ ପ୍ରତିଶତ ସୁଧ ମିଳିବ। ‌ଷ୍ଟେଟ ବ୍ୟାଙ୍କର ୱେବସାଇଟରେ ଦିଆଯାଇଥିବା ସୂଚନା ଅନୁଯାୟୀ, ରିଜର୍ଭ ବ୍ୟାଙ୍କର ରେପୋ ହାର ଏବେ ୬ ପ୍ରତିଶତ ରହିଛି। ତେଣୁ ୧ ଲକ୍ଷରୁ ଅଧିକ ଜମା ଥିବା ସଞ୍ଚୟ ଖାତା ଉପରେ ସୁଧ ହାର ରେପୋ ହାରଠାରୁ ୨.୭୫ ପ୍ରତିଶତ କମ୍ ରହିବ। ଅର୍ଥାତ୍ ଏମାନଙ୍କୁ ୩.୨୫ ପ୍ରତିଶତ ସୁଧ ମିଳିବ। ଆଗାମୀ ଦିନରେ ରିଜର୍ଭ ବ୍ୟାଙ୍କ ଯଦି ରେପୋ ହାର ବଢ଼ାଇବେ ତାହେଲେ ଏହି ଜମାକାରୀମାନଙ୍କ ସୁଧ ହାର ବୃଦ୍ଧି ପାଇବ ଏବଂ ଯଦି ରିଜର୍ଭ ବ୍ୟାଙ୍କ ରେପୋ ହାର ହ୍ରାସ କରନ୍ତି ତାହେଲେ ସଞ୍ଚୟ ଖାତା ଉପରେ ସୁଧ ହାର ଆହୁରି କମିଯିବ। ବର୍ତମାନ ଅର୍ଥାତ୍ ୩୦ ଏପ୍ରିଲ ସୁଦ୍ଧା ଷ୍ଟେଟ ବ୍ୟାଙ୍କ ୧ କୋଟି ଟଙ୍କା ପର୍ଯ୍ୟନ୍ତ ସଞ୍ଚୟ ଜମା ଉପରେ ୩.୫ ପ୍ରତିଶତ ସୁଧ ପ୍ରଦାନ କରୁଛି। ତେବେ ୧ କୋଟି ଟଙ୍କାରୁ ଊର୍ଧ୍ବ ଜମା ଉପରେ ୪ ପ୍ରତିଶତ ସୁଧ ପ୍ରଦାନ କରୁଛି। ଗତ ମାର୍ଚରେ ଷ୍ଟେଟ ବ୍ୟାଙ୍କ ଘୋଷଣା କରିଥିଲା ଯେ ଏହାର ସୁଧ ହାରକୁ ରେପୋ ରେଟ୍ ସହିତ ଯୋଡ଼ିବ। ଯାହାଦ୍ବାରା ରିଜର୍ଭ ବ୍ୟାଙ୍କ ପକ୍ଷରୁ ଘୋଷଣା କରାଯାଉଥିବା ମୁଦ୍ରାନୀତିର ଲାଭ ଗ୍ରାହକମାନଙ୍କୁ ବ୍ୟାଙ୍କ ଗୁଡ଼ିକ ଶୀଘ୍ର ପ୍ରଦାନ କରିପାରିବେ।
ଅନ୍ୟପକ୍ଷରେ ୧ ଲକ୍ଷ ଟଙ୍କାରୁ ଅଧିକ କ୍ୟାସ କ୍ରେଡିଟ୍ ଆକାଉଣ୍ଟ ଏବଂ ଓଭରଡ୍ରାଫ୍ଟର ସୁଧ ହାରକୁ ମଧ୍ୟ ରେପୋ ହାର ସହିତ ଷ୍ଟେଟ ବ୍ୟାଙ୍କ ଯୋଡ଼ିବ। ଏହି ଆକାଉଣ୍ଟ ଗୁଡ଼ିକର ସୁଧ ହାର ‌ରେପୋ ହାର ଠାରୁ ୨.୭୫ ପ୍ରତିଶତ ଅଧିକ ରହିବ। ଏତଦବ୍ୟତୀତ ଋଣ ନେଇଥିବା ବ୍ୟକ୍ତିଙ୍କ ରିସ୍କ ପ୍ରୋଫାଇଲ ଅନୁଯାୟୀ ରିସ୍କ ପ୍ରିମିୟମ ବ୍ୟାଙ୍କ ଆଦାୟ କରିବ।

ସମ୍ବନ୍ଧିତ ଖବର