ନୂଆଦିଲ୍ଲୀ: ରେଳଯାତ୍ରୀମାନଙ୍କ ଏକ ବଡ଼ ସମସ୍ୟା ଖୁବ୍ଶୀଘ୍ର ସମାଧାନ ହେବାକୁ ଯାଉଛି। ସଂରକ୍ଷିତ କନ୍ଫର୍ମ ଟିକଟ୍ର ଯାତ୍ରା ତାରିଖକୁ ବଦଳାଇବାର ସୁବିଧା ମିଳିବ। ଯାତ୍ରୀମାନେ ଅନଲାଇନ୍ରେ ବିନା ମୂଲ୍ୟରେ ତାରିଖ ବଦଳାଇ ପାରିବେ। ଆସନ୍ତା ଜାନୁଆରିଠାରୁ ଏନେଇ ନୂଆ ନିୟମ ଲାଗୁ କରିବା ଉପରେ ଭାରତୀୟ ରେଳ ବିଚାର କରୁଛି। ସମ୍ପ୍ରତି କନ୍ଫର୍ମ ହୋଇଥିବା ଟିକଟକୁ ବାତିଲ କଲେ ଶୁଳ୍କ ଗଣିବାକୁ ପଡ଼ୁଛି। କିନ୍ତୁ ନୂଆ ବ୍ୟବସ୍ଥାରେ ଯାତ୍ରୀମାନେ ଆଉ ଏକ ଟ୍ରେନ୍ରେ ଟିକଟ ବୁକିଂ କରିପାରିବେ। ତେବେ ସେଥିପାଇଁ କେବଳ ଟିକଟ ଦରରେ ଥିବା ଅନ୍ତର ରାଶି ସେମାନଙ୍କୁ ଦେବାକୁ ହେବ।
ଥରେ ଟ୍ରେନ୍ ଟିକଟ କନ୍ଫର୍ମ ହୋଇଗଲେ ସେଥିରେ ପରିବର୍ତ୍ତନ କରିବା କଷ୍ଟକର। କୌଣସି କାରଣ ପାଇଁ ଯଦି ସେହି ତାରିଖରେ ଯାତ୍ରା ସମ୍ଭବ ହେଉନାହିଁ ତେବେ ଯାତ୍ରୀମାନେ ଟିକଟରେ ଯାତ୍ରା ତାରିଖ ବଦଳାଇପାରିବେ। ପୁରୁଣା ବ୍ୟବସ୍ଥାରେ ଟିକଟ ବାତିଲ କଲେ ଟିକଟ ଦାମ୍ର ୨୫ ପ୍ରତିଶତ କିମ୍ବା ଅଧିକ ଟଙ୍କା ହରାଇବାକୁ ପଡ଼ୁଛି। ଅନେକ ସମୟରେ ସାମାନ୍ୟ ବିଳମ୍ବ କାରଣରୁ ଟ୍ରେନ୍ ଧରିପାରୁନଥିବା ଯାତ୍ରୀମାନେ ଆଗକୁ ନିଜ ଟିକଟକୁ ଆଉ ଥରେ ବୁକିଂ କରିବା ସୁବିଧା ପାଇପାରିବେ। ଫଳରେ ବାତିଲ ଫି’ ବାବଦରେ ସେମାନଙ୍କୁ ଆଉ ଟଙ୍କା ହରାଇବାକୁ ପଡ଼ିବ ନାହିଁ।